ଚାଷ ଜମି ଜବର ଦଖଲ, ତେଜୁଛି ଚାଷୀ ଅସନ୍ତୋଷ
ଖୋର୍ଦ୍ଧା: ଖୋର୍ଦ୍ଧା ତହସିଲ ଅଧିନସ୍ଥ ବରସାହି ମୌଜାର ଦକ୍ଷିଣ ଦିଗରେ ଥିବା ସମୁଦାୟ ଚାଷ ଜମିର ପରିମାଣ ପାଖାପାଖି ୧୯ ଏକର । ସେଥିମଧ୍ୟରୁ ଜଣେ ବ୍ୟକ୍ତି ଦେଢ଼ ଏକର ଚାଷ ଜମି କିଣିଥିବା ବେଳେ, ତାକୁ ମିଶାଇ ପାଖା ପାଖି ୧୯ ଏକର ଅନ୍ୟ ଚାଷୀଙ୍କ ଜମି ଏବଂ ଚାଷ ଜମିର ଚାରିପାଖରେ ଥିବା ସରକାରୀଜମିକୁ ମିଶାଇ ୩୨ ଏକରରୁ ଊର୍ଦ୍ଧ୍ୱ ଜମିକୁ ବେଆଇନ ଭାବରେ ପ୍ରାୟ ତିନି ଚାରି ବର୍ଷ ହେବ ତାରବାଡ ଆବଦ୍ଧ କରି ରଖିଛନ୍ତି । ଫଳରେ ଚାଷ ଉପରେ ନିର୍ଭରକରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇ ଚଳୁଥିବା ଚାଷୀମାନେ ନିଜ ଜମିକୁ ଜାଇ ନପାରି ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏପରିକି ଜବରଦଖଲକାରୀଙ୍କ ପକ୍ଷରୁ ନିୟୋଜିତ ଅସାମାଜିକ ବ୍ୟକ୍ତିମାନେ ଅଧିକାଂଶ ସମୟରେ ତାରବାଡ଼କୁ ବିଦୁ୍ୟତ କରେଣ୍ଟ ଚାର୍ଜ କରି ରଖୁଥିବାବେଳେ, ଜଣେ ଚାଷୀ ସେଇବାଟ ଦେଇ ନିଜ ଯାଉଥିବା ସମୟରେ ବିଦୁ୍ୟତ ତାରବାଡ ସଂସ୍ପର୍ଶରେ ଆସି ଗୁରୁତର ହୋଇ ମୃତୁ୍ୟ ମୁଖରୁ ବଞ୍ଚିଯାଇଥିଲେ ସତକିନ୍ତୁ ସବୁଦିନ ପାଇଁ ସମ୍ପୂର୍ଣ ଭାବରେ ଅକର୍ମଣ୍ୟ ହୋଇପଡିଛନ୍ତି । ଏପରିକି ସମ୍ପୃକ୍ତ ଜବରଦଖଲକାରୀ ବ୍ୟକ୍ତି ଜଣକ ଜମି ଚାରିପଟ ଆବଦ୍ଧ ତାରବାଡ଼ ଗୁଡିକ ରେ ବିଦୁ୍ୟତ କରେଣ୍ଟ ଏବଂ ବିଭିନ୍ନ ପ୍ରଜାତିର କୁକୁର ରଖି ଚାଷୀଙ୍କୁ ଭୟଭିତ କରୁଥିବା ନେଇ ମଧ୍ୟ ଅଭିଯୋଗ ହେଉଛି । ଫଳରେ କ୍ଷତି ଗ୍ରସ୍ତ ଚାଷୀମାନେ ନିଜ ଚାଷ ଜମିକୁ ଯିବାକୁ କୌଣସି ଚଲାବାଟ ନ ପାଇବାରୁ ଏ ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଖୋର୍ଦ୍ଧା ତହସିଲଦାର ଏହି ଘଟଣା ର ବିଧିବଦ୍ଧ ଭାବରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ରାଜସ୍ୱ ନିରୀକ୍ଷକ ପାଇକତିଗିରିଆଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଚାନ୍ଦପୁର ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଏବଂ ତହସିଲଦାର ଖୋର୍ଦ୍ଧାଙ୍କ ନିଦେ୍ର୍ଦଶ ପ୍ରକାରେ ଆରଆଇ ପାଇକତିଗିରିଆ ଘଟଣାର ତଦନ୍ତ କରି ତାଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା-୪୧୫,ତା-୫.୧.୨୦୨୪ରେ ବରସାହି ମୌଜାର ଖାତା ନଂ-୫୬୧, ପ୍ଲଟ ନଂ -୧୭୩୨, ଏରିଆ-ଇମ.୫.୦୦୦,କିସମ-ପତିତ,ଖାତା ନଂ -୫୬୧(ଇଔଇ) ପ୍ଲଟ ନଂ -୧୭୫୬,ଏରିଆ- ଇମ.୧.୫୦୦, କିସମ -ପତିତ, ଖାତା ନଂ-୫୬୩(ରକ୍ଷିତ) ପ୍ଲଟନଂ -୧୬୯୬, ଏରିଆ-ଇମ-୦.୬୦୦,କିସମ- ଗୋଚର, ସମୁଦାୟ-ଇମ-୭.୧୦୦ ଜମି ଜୈନକ ବ୍ୟକ୍ତି ଜବର ଦଖଲ କରିଥିବା ନେଇ ତାଙ୍କ ପତ୍ରରେ ଉଲ୍ଲେଖ କରିବା ସହିତ ତାଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖୋର୍ଦ୍ଧା ତହସିଲଦାରଙ୍କୁ ସୁପାରିଶ କରିଥିଲେ । କିନ୍ତୁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ବଦଳରେ ରାଜସ୍ୱ ବିଭାଗ ପକ୍ଷରୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଉଥିବା ନେଇ କ୍ଷତିଗ୍ରସ୍ତ ଚାଷୀଙ୍କ ପକ୍ଷରୁ ଖୋର୍ଦ୍ଧା ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ଏପରିକି ଚାଷକୁ ଜୀବିକା ଭାବରେ ଆପଣେଇ ନେଇଥିବା ଚାଷୀ ନିଜ ଜମିକୁ ଯାଇନପାରି ଭୋକ ଉପାସରେ ଦିନ ଅତିବାହିତ କରୁଥିବା ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଲି ଆଖିରେ ଭୟଭିତ ହୋଇ ରହିଥିବା ନେଇ ଚାଷୀ ମାନେ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରଛନ୍ତି ।