ଚାଷ ପାଇଁ ସ୍ୱାବଲମ୍ବୀ ଦାଦନ ଶ୍ରମିକ
ନୂଆପଡା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅରେଡ଼ା ଗାଁର ୧୨ ଜଣ ଚାଷୀ ଏବେ ଜିଲ୍ଲାରେ ଉଦାହରଣ ପାଲଟିଛନ୍ତି । ଦିନ ଥିଲା ଜମି ଥାଇ ଅନ୍ୟତ୍ର ଯାଇ ଦାଦନ ଖଟି ଦୁଇ ଓଳି ଦୁଇ ମୁଠା ପାଇଁ ଯନ୍ତ୍ରଣା ଭୋଗୁଥିଲେ । ହେଲେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗର ସଂସ୍ପର୍ଶରେ ଆସି ବିଭାଗର ସଚେତନତା ଓ ପ୍ରେରଣାରେ ଆମ୍ବ ବଗିଚା ପାଇଁ ସହାୟତା ପାଇଥିଲେ । ପ୍ରଥମେ ଆଠ ହେକ୍ଟର ଜାଗାରେ ବାଡ଼ ଦେଇ ସମୂହ ଚାଷୀ ୩୨୦୦ ଶହ ଆମ୍ବ ଗଛ ଲଗାଇଛନ୍ତି । ତାର ରକ୍ଷଣାବେକ୍ଷଣା ପାଇଁ ବିଭାଗ ସହାୟତାରେ ଶ୍ରମିକ ନିୟୋଜିତ ହୋଇ ଦୈନନ୍ଦିନ ଲାଗିଛନ୍ତି । ବର୍ତ୍ତମାନ ଆମ୍ବଗଛ ଗୁଡ଼ିକରେ ଆମ୍ବ ବଉଳ ଆସିଥିବା ବେଳେ ଆମ୍ବ ଅମଳ କଲେ ଲକ୍ଷାଧିକ ରୋଜଗାର ହେବ ବୋଲି ଚାଷୀମାନେ ଆସା ବାନ୍ଧିଛନ୍ତି । ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ତରଫରୁ ଚାଷୀଙ୍କୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବାଡ ଠାରୁ ଆରମ୍ଭ ଗଛର ରକ୍ଷଣାବେକ୍ଷଣା ପାଇଁ ଶ୍ରମିକଙ୍କ ପାଉଣା ଠାରୁ ନେଇ ଜୈବିକ ସାର ଯୋଗାଇ ଦେଇ ବିଭାଗୀୟ ଅଧିକାରୀ ମାନେ ତାର ତଦାରଖ ରଖୁଛନ୍ତି । ଆଗାମୀ ଦିନରେ ଆମ୍ବରୁ ବିଶେଷ ଲାଭବାନ ହେବେ ଏ ଆସା ଉଭୟ ବିଭାଗ ଓ ଚାଷୀ ରଖିଥିବା ବେଳେ ବର୍ତ୍ତମାନ ଆମ୍ବ ବଗିଚା ଭିତରେରେ ଅନ୍ତଚାଷ ଯେମିତି କି ଆଳୁ, ବାଇଗଣ ପାତଲ ଘଣ୍ଟା ଠାରୁ ନେଇ ଝୁନୁଙ୍ଗା, ତରଭୁଜ, ଲାଉ ଚାଷ କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ଆମ୍ବ ଅମଳ ହେବା ପୂର୍ବରୁ ଚାଷୀମାନେ ବିଭିନ୍ନ ପ୍ରକାର ପନିପରିବା ବିକ୍ରି କରି ବହୁତ୍ ଲାଭବାନ ହେବା ସହ ସ୍ଥାନୀୟ ଶ୍ରମିକ ମାନଙ୍କୁ ରୋଜଗାର ଦେଇପାରିଛନ୍ତି । ପୂର୍ବରୁ ଦାଦନ ମୁହାଁ ହୋଇ କାମ ଅନ୍ୱଷଣରେ ବାହାରେ ଯାଇ କାମ କରୁଥିଲୁ ବର୍ତ୍ତମାନ ଆମ୍ବ ବଗିଚାରେ କାମ କରି ସରକାରୀ ଟଙ୍କା ସହ ଚାଷୀଙ୍କ ଠାରୁ ମଧ୍ୟ ସହାୟତା ପାଇ ଖୁସିଥିବା ସ୍ଥାନୀୟ ଶ୍ରମିକ ମାନେ କହିଛନ୍ତି । ଅପରପକ୍ଷେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇ ତାର କାର୍ଯ୍ୟକାରିତା କରୁଛୁ ଏବଂ ଏଥିରେ ଅନେକ ଚାଷୀ ଉପକୃତ ହେବା ସହ ଶ୍ରମିକ ମାନେ ମଧ୍ୟ କାମ ପାଇ ପାରୁଛÿନ୍ତି । ଖଡିଆଳ ଅଞ୍ଚଳରେ ଅନେକ ଚାଷୀ ଉପକୃତ ହୋଇଥିବା ବେଳେ ଅରେଡ଼ା ଏହାର ଅନ୍ୟ ଉଦାହରଣ । ଏହି ଉଦାହରଣ ରୁ ଲୋକେ ଆହୁରି ସଚେତନ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦେ୍ଦଶ୍ୟ ସାଧନ ହୋଇ ପାରିବ ବୋଲି ଖଡ଼ିଆଳ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ଅଧିକାରୀ କହିଛନ୍ତି ।