ଘନ କୁହୁଡି ହେଲା କାଳ ଟ୍ରକ୍ ସହ ଅଟୋ ଧକ୍କା, ୨ ଭାଇ ଗୁରୁତର 

 ହିଞ୍ଜିଳିକାଟୁ : ୩୦ ନଂ ରାଜ୍ୟ ରାଜପଥ ତଥା ହିଞ୍ଜିଳି ଥାନା ସିକିରି ଗ୍ରାମ ନିକଟରେ ମାଲ ପରିବହନକାରୀ ଟ୍ରକ୍ (ସିଜି ୦୪ ଏମସି ୭୧୯୨) ସହ ପରିବା ବୋଝେଇ ଅଟୋ (ଓଡି୦୭ଭି ୧୩୨୫)ର ଧକ୍କା ଘଟିଛି । ଦୁର୍ଘଟଣାରେ ୨ ଭାଇ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ଛତ୍ରପୁର ଥାନା ଦୁଆନପଲ୍ଲୀ ଗ୍ରାମର ଖିରୋଦ କୁମାର ସାହୁ (୩୮) ଓ ପ୍ରଶାନ୍ତ କୁମାର ସାହୁ (୩୫)  । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଦୁଇ ଭାଇଙ୍କୁ ଅଧିକ ଚିକିସôା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଥାନାକୁ ଆଣି ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ବୁଧବାର ଭୋର ସମୟରେ ଛତ୍ରପୁର ଅଞ୍ଚଳରୁ ପରିବା ବୋଝେଇ କରି ଏକ ଅଟୋ ହିଞ୍ଜିଳିକାଟୁ ଅଭିମୁଖେ ଆସୁଥିଲା । ଅଟୋରେ ଦୁଆନପଲ୍ଲୀ ଗ୍ରାମର ୨ ଭାଇ ଭଞ୍ଜନଗର ଯିବା ପାଇଁ ବସିଥିଲେ । ହିଞ୍ଜିଳିକାଟୁ ଠାରୁ ତାରାତାରିଣୀ ଅଭିମୁଖେ ଯାଉଥିବା ଏକ ମାଲ ପରିବହନକାରୀ ଟ୍ରକ୍ ହିଞ୍ଜିଳି ଥାନା ସିକିରି ନିକଟରେ ଅଟୋ ସହ ଧକ୍କା ଘଟିବାରୁ ଅଟୋଟି ରାସ୍ତା ପାର୍ଶ୍ୱକୁ ଓଲଟି ପଡିଥିଲା । ଦୁର୍ଘଟଣାରେ ଅଟୋରେ ଯାତ୍ରା କରୁଥିବା ୨ ଭାଇ ଗୁରୁତର ଆହତ ହୋଇଥିବା ବେଳେ ଅଟୋ ଚାଳକ ସାମାନ୍ୟ ଆହତ ହୋଇଥିଲେ । ଘନକୁହୁଡି ଯୋଗୁଁ ରାସ୍ତା ସଠିକ୍ ଭାବେ ଦେଖାନଥିବାରୁ ଦୁର୍ଘଟଣା ଘଟିଥିବା ଚାଳକ କହିଛନ୍ତି । ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ସୂତ୍ରରୁ ପ୍ରକାଶ ।