‘ଚାଷୀଭାଇ ସଫଳ ହେଲେ ରାଜ୍ୟ ସମୃଦ୍ଧ ହେବ’
ଢେଙ୍କାନାଳ: ଜଳ ସଂପଦ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ରେଙ୍ଗାଲୀ ଦକ୍ଷିଣ ଜଳସେଚନ ମଣ୍ଡଳ, ଢେଙ୍କାନାଳଙ୍କ ସହଯୋଗରେ ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି । ଉତ୍ସବରେ ପୌରପାଳିକାର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଚାଷୀଭାଇ ସଫଳ ହେଲେ ରାଜ୍ୟ ସମୃଦ୍ଧ ହେବ ବୋଲି ମତବ୍ୟକ୍ତ କରିଥିଲେ । କୌଣସି ଚାଷୀଭାଇ ଅସୁବିଧାର ସମ୍ମୁଖୀନ ହେଲେ ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ, ସେ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି କହିଛନ୍ତି । ବିଭାଗୀୟ ଅଧିକାରୀମାନେ ନିଶ୍ଚିତ ଭାବେ ଜଳ ପରିଚାଳନାରେ କୃଷକ ବନ୍ଧୁମାନଙ୍କୁ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ । ଉତ୍ସବରେ ସଭାପତିତ୍ୱ କରି ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି ମାନବ ସମାଜର ବଞ୍ଚô ରହିବା ପାଇଁ ଖାଦ୍ୟ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଉତ୍ସବ ପ୍ରାରମ୍ଭରେ ବିଭାଗୀୟ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ପ୍ରଧାନ ପାଣି ପଞ୍ଚାୟତ ପକ୍ଷ ପାଳନ ସଂପର୍କରେ ଆଲୋକପାତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲଳିତ ମୋହନ ବେହେରା, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ବିମଳେନ୍ଦୁ ମହାନ୍ତି, ଭୂତଳ ଜଳ ପାଇପ୍ ଲାଇନ୍ ପ୍ରୋଜେକ୍ଟ ହେଡ୍ ଶ୍ରୀ ଏସ୍.ମୁରଲି, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁବ୍ରତ କୁମାର ପାଢୀ, ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ପ୍ରତିନିଧି ରାମଚନ୍ଦ୍ର ପାତ୍ର, ଶ୍ରୀ ଦେବୀ ପାଣି ପଞ୍ଚାୟତର ସଭାପତି ନିରଞ୍ଜନ ପତି ପ୍ରମୁଖ ଯୋଗ ଦେଇ କୃଷିର ବିକାଶ ବିନା ଅନ୍ୟ କୈଣସି କ୍ଷେତ୍ରରେ ଉନ୍ନତି ସମ୍ଭବ ନୁହେଁ କରିଥିଲେ । ଜଳ ଦ୍ୱାରା ହିଁ ସମସ୍ତ ସୃଷ୍ଟି ସମ୍ଭବ ହୋଇ ପାରୁଛି, ଏଣୁ ଏହାର ରକ୍ଷଣା ବେକ୍ଷଣ ଏବଂ ସୁପରିଚାଳନା ନିହାତି ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ରେଙ୍ଗାଳୀ ରାଇଟ୍ କେନାଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ କୃଷି ଭିତ୍ତିକ ଚିତ୍ରାଙ୍କନ, ରଚନା, ବକ୍ତୃତା ଏବଂ ବିଜ୍ଞାନ ପ୍ରଦର୍ଶନୀର ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ସତ୍ୟ ନାରାୟଣ କର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।