ଚିକିତ୍ସାରେ ଅବହେଳା ପାଇଁ ଝିଅର ମୃତୁ୍ୟ ଘଟଣା : ପ୍ରଶାସନର ହସ୍ତକ୍ଷେପ ପରେ ଧାରଣାରୁ ଓହରିଲେ
ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛୋଟ ଝିଅର ମୃତୁ୍ୟକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା ।ଡାକ୍ତରଙ୍କ ଅବହେଳା ଯୋଗୁଁ ଝିଅଟିର ମୃତୁ୍ୟ ହୋଇଥିବା ଅଭିଯୋଗ କରି ଚିକିତ୍ସାଳୟରେ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିବା ସହ ଉତ୍ତ୍ୟକ୍ତ ଲୋକେ ଧାରଣା ଦେଇଥିଲେ । ତେବେ ଏହି ଘଟଣାକୁ ନେଇ ବିଳମ୍ବିତ ରାତି ଯାଏଁ ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ମୃତ କନ୍ୟାର ପରିବାର ଲୋକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ ଉପ ଜିଲ୍ଲାପାଳ ଶ୍ରୀ ଭୋଇ ପରିବାର ଲୋକଙ୍କୁ ଆଶ୍ୱାସନା ଦେବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ମୃତ କନ୍ୟାର ପରିବାର ଲୋକଙ୍କ ଆଗରେ ହିଁ ଘଟଣାକୁ ନେଇ ବିଳମ୍ବିତ ରାତିରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ସହ ସେମାନଙ୍କ ବୟାନକୁ ଶୁଣିଥିଲେ । ଏହା ସହ ପ୍ରାଥମିକ ଚିକିତ୍ସା କରିଥିବା ଡାକ୍ତର ଓ କର୍ମଚାରୀଙ୍କ ବୟାନ ମଧ୍ୟ ନିଆଯାଇଥିଲା । ତେବେ ଏହି ତଦନ୍ତକୁ ଶେଷ କରି ଯଥା ଶୀଘ୍ର ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ ବୋଲି ଶ୍ରୀ ଭୋଇ ପ୍ରକାଶ କରିବା ପରେ ଆଜି ସକାଳୁ ମୃତ କନ୍ୟାର ଶବ ବ୍ୟବଛେଦ କରଯାଇଥିଲା ।
ମାଲକାନଗିରି ଜିଲ୍ଲା ସଦର ମହକୁମାର ଲଳିତ ପାତ୍ର ନାମକ ବ୍ୟକ୍ତିଙ୍କ ଝିଅ ଆରାଧ୍ୟା ଘର ନିକଟରେ ଖେଳୁ ଥିବା ବେଳେ ମୁଣ୍ଡରେ ଆଘାତ ହୋଇଥିଲା । ତେବେ ତୁରନ୍ତ ପରିବାର ଲୋକେ ଝିଅକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ତେବେ ଏହାରି ମଧ୍ୟରେ ଅନେକ ସମୟ ବିତି ଯାଇଥିଲେ ମଧ୍ୟ କୌଣସି ଡାକ୍ତର ଝିଅଟିର ଚିକିତ୍ସା ପାଇଁ ଆସି ନ ଥିଲେ । କାଜୁଆଲଟିରେ ଥିବା ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଅଭିଜ୍ଞ ଡାକ୍ତରଙ୍କୁ ଅଧିକ ଚିକିତ୍ସା ପାଇଁ ଜଣାଇଥିଲେ ମଧ୍ୟ ପ୍ରାୟ ଦେଢ ଘଂଟା ଯାଏଁ ଡାକ୍ତର ଆସି ନ ଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ବାରମ୍ବାର ଡାକ୍ତରଙ୍କୁ ଡାକିଲେ ବିଳମ୍ବରେ ଡାକ୍ତର ଆସି ଚିକିତ୍ସା କରିବା ବେଳେ, ଝିଅଟିର ମୃତ୍ୟ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯାହାପରେ ଝିଅଟିର ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଚିକିତ୍ସାଳୟରେ ଭଙ୍ଗାରୁଜା କରିବା ସହ ହୋ ହଲ୍ଲା କରି ଧାରଣା ଦେଇଥିଲେ । ତେବେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟଣାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ସହ ଘଟଣାର ତଦନ୍ତ ଜାରି ରହିଥିବା ଜଣା ପଡିଛି ।