ଛତିଶଗଡରେ ବଡ ଏନକାଉଣ୍ଟର : ୧୨ ମାଓବାଦୀ ନିହତ, ୩ ଯବାନ ସହିଦ୍
ରାୟପୁର : ପୁଣି ଛତିଶଗଡରେ ଏନକାଉଣ୍ଟର । ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଛନ୍ତି ୧୨ ଦୁର୍ଦ୍ଦାନ୍ତ ମାଓବାଦୀ । ଏଥିରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଯବାନ ଆହତ ହୋଇଛନ୍ତି । ଛତିଶଗଡର ବିଜାପୁର ଜିଲ୍ଲାରେ ଆଜି ଏହି ଏନକାଉଣ୍ଟର ହୋଇଛି । ଏବେ ବି କମ୍ବିଂ ଅପରେସନ ଚାଲୁ ରହିଛି । ଦାନ୍ତେୱାଡା ଜିଲ୍ଲା ସଂଲଗ୍ନ ଗଙ୍ଗାଲୁର ଅଞ୍ଚଳର ଏକ ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ଏକ ମିଳିତ ଦଳ ମାଓ ବିରୋଧୀ ଅପରେସନରେ ବାହାରିଥିବା ସମୟରେ ଏହି ଗୁଳିବିନିମୟ ହୋଇଥିଲା । ରାଜ୍ୟ ପୁଲିସର ଉଭୟ ୟୁନିଟ୍ ଡିଆରଜିଏ, ସ୍ପେଶାଲ୍ ଟାସ୍କ ଫୋର୍ସ ଓ କୋବ୍ରା (କମାଣ୍ଡୋ ବାଟାଲିଅନ୍ ଫର୍ ରିଜୋଲ୍ୟୁଟ୍ ଆକ୍ସନ୍ - ସିଆରପିଏଫର ଏକ ଏଲିଟ୍ ୟୁନିଟ୍)ର ସଦସ୍ୟମାନେ ଏହି ଅପରେସନରେ ସାମିଲ ହୋଇଛନ୍ତିି । ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାସ୍ଥଳରୁ ୧୨ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ଅପରେସନ୍ ସମୟରେ ୩ ଜଣ ଡିଆରଜିଏ ସଦସ୍ୟ ସହିଦ ହୋଇଛନ୍ତି । ଅନ୍ୟ ୨ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ବୋଲି କହିଛନ୍ତି ବସ୍ତର ରେଞ୍ଜ ପୁଲିସ ମହାନିରୀକ୍ଷକ ସୁନ୍ଦରରାଜ ପାଟାଲିଙ୍ଗମ । ସହିଦ ଯବାନ ହେଲେ ଡିଆରଜି ହେଡ କନଷ୍ଟେବଳ ମୋନୁ ୱାଦାଦି, ଡୁକାରୁ ଗୋଣ୍ଡେ ଓ ରମେଶ ସୋଧି । ଏନକାଉଣ୍ଟର ସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଉଦ୍ଧାର ହୋଇଛି । ଏକେ-୪୭, ଏଲ୍ଏମ୍ଜି ବନ୍ଧୁକ, ଇନ୍ସାସ୍ ଆଜଲ୍ଟ ରାଇଫଲ, ଏସଏଲ ରାଇଫଲ, ୩୦୩ ରାଇଫଲ ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ସଦ୍ୟତମ କାର୍ଯ୍ୟାନୁଷ୍ଠାନ ସହିତ ଚଳିତ ବର୍ଷ ଛତିଶଗଡ଼ରେ ଏନକାଉଣ୍ଟରରେ ୨୬୮ ଜଣ ମାଓବାଦୀ ନିହତ ହେଲେଣି । ସେମାନଙ୍କ ମଧ୍ୟରୁ ବିଜାପୁର ଓ ଦାନ୍ତେୱାଡା ସମେତ ସାତଟି ଜିଲ୍ଲାକୁ ନେଇ ଗଠିତ ବସ୍ତର ଡିଭିଜନରେ ୨୩୯ ଜଣଙ୍କୁ ନିପାତ କରାଯାଇଛି, ରାୟପୁର ଡିଭିଜନରେ ପଡ଼ିଥିବା ଗରିଆବନ୍ଦ ଜିଲ୍ଲାରେ ୨୭ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଦୁର୍ଗ ଡିଭିଜନର ମୋହଲା-ମାନପୁର-ଅମ୍ବାଗଡ଼ ଚୌକି ଜିଲ୍ଲାରେ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି ।