ସ୍ତ୍ରୀ ସହ କଳି, ଘରର ସାମଗ୍ରୀ ଦେଲେ ଜାଳି

Gwalior Man Smokes Cigarette After Setting Household Items On Fire Following Quarrel With Wife;

ସ୍ତ୍ରୀ ସହ କଳି, ଘରର ସାମଗ୍ରୀ ଦେଲେ ଜାଳି

ଗ୍ୱାଲିୟର : ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି  । ସ୍ତ୍ରୀ ସହ କଳି ଲାଗିବାରୁ ଜଣେ ବ୍ୟକ୍ତି ନିଜ ଘରର ସାମଗ୍ରୀରେ ନିଅାଁ ଲଗାଇ ଦେଇଛନ୍ତି  । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ନିଜ ଘରର ସବୁ ସାମଗ୍ରୀରେ ନିଅାଁ ଲଗାଇଦେବା ପରେ ବ୍ୟକ୍ତି ଜଣଙ୍କ ବିନଦାସ ହୋଇ ସିଗାରେଟ୍‌ ଟାଣି ରାସ୍ତାରେ ଚାଲୁଥିଲେ  । ଯାହାର ଭିଡ଼ିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି  । ଯାହାକି ଆଖପାଖ ଲୋକ ଓ ପଡେ଼ାଶୀଙ୍କୁ ଚକିତ କରିଦେଇଥିଲା  । ତାଙ୍କର ଏଭଳି ବ୍ୟବହାର ଓ ଆଚରଣ ଦେଖି ତୁରନ୍ତ ସ୍ଥାନୀୟ ଲୋକମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ  । ପୁଲିସ୍‌ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଁଚି ନିଅାଁ ଲିଭାଇଥିଲେ  । ପୁଲିସ୍‌ ଉଭୟ ଦମ୍ପତ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି  ।

ମିଳିଥିବା ସୂଚନା ଅନୁଯାୟୀ, ବାହୋଦରପୁରର ଆନନ୍ଦନଗର ଅଞ୍ଚଳରେ ଏହି ଦମ୍ପତ୍ତି ଶ୍ରୀରାମ ଖୁସୱା ଓ ରଜନୀ କୁଶୱା ରହୁଥିଲେ  । ସେମାନଙ୍କ ଭିତରେ ଗତ କିଛି ଦିନ ଧରି ଘରୋଇ କଳି ଲାଗି ରହିଥିଲା  । ବୁଧବାର ଦିନ ଉଭୟଙ୍କ ମଧ୍ୟରେ କଳି ଜୋର ହେବାରୁ ଶ୍ରୀରାମ ଘରର ସବୁ ସାମଗ୍ରୀ ବାହାରେ ଫିଙ୍ଗି ଦେଇଥିଲେ  । ଘରର ଆସବାବପତ୍ର ଓ ବୈଦ୍ୟୁତିକ ସାମଗ୍ରୀ ପଦାକୁ ଫିଙ୍ଗିଦେଇ ସେଥିରେ ନିଅାଁ ଲଗାଇ ଦେଇଥିଲେ  । ହୁତୁହୁତୁ ହୋଇ ତାହା ଜଳିବାରୁ ପଡେ଼ାଶୀ ଭୟଭୀତ ହୋଇଯାଇଥିଲେ  । ପ୍ରଥମେ ସମସ୍ତେ ଭାବିଥିଲେ ସର୍ଟ ସର୍କିଟ୍‌ ଯୋଗୁଁ ଏଭଳି ହୋଇଥିଲା  । ପରେ ପଡେ଼ାଶୀଙ୍କ ଠାରୁ ସୂଚନା ପାଇ ପୁଲିସ୍‌ ଓ ଅଗ୍ନିଶମବାହିନୀ ନିଅାଁଙ୍କୁ ଆୟତ୍ତ କରିବା ସହ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଅଟକ ରଖିଥିଲେ  । କିନ୍ତୁ ପରେ ଉଭୟଙ୍କୁ ପଚରାଉଚରା ପରେ କଳି ଯୋଗୁଁ ସେମାନେ ଏଭଳି କରିଥିବା ଜଣାପଡ଼ିଥିଲା  । ସେମାନଙ୍କୁ ପୁଲିସ ବୁଝାଶୁଝା କରିବା ପରେ ଭବିଷ୍ୟତରେ ଏଭଳି ଘଟଣା ଘଟିବ ନାହିଁ ବୋଲି ଉଭୟ ପୁଲିସକୁ ପ୍ରତିଶ୍ରୁତି ଦେଇଥିଲେ  ।