ଛତୁ ଫୁଟିଲା ଭଳି ଔଷଧ ଦୋକାନ; ଅନଭିଜ୍ଞଙ୍କ ଦ୍ୱାରା ବିକ୍ରି 

 ଯାଜପୁର ସଦର: ସଦର ମହକୁମା ସହ ଜିଲାର କୋଣ ଅନୁକୋଣରେ ଛତୁ ଫୁଟିଲା ଭଳି ଔଷଧ ଦୋକାନମାନ ଖୋଲିବାରେ ଲାଗିଛି । କହିବାକୁ ଗଲେ ପ୍ରତିଯୋଗିତା ମୂଳକ ଭାବେ ଔଷଧ ଦେକାନ ଖୋଲି ଚାଲିଛି । ଅଧିକାଂଶ ଦୋକାନରେ ଅନଭିଜ୍ଞଙ୍କ ଦ୍ୱାର ଔଷଧ ବିକ୍ରି କରାଯାଉଛି । ଅଧିକାଂଶ ଔଷଧ ଦୋକାନୀ ଫାର୍ମାସିଷ୍ଟ ନାଁରେ ଅନଭିଜ୍ଞ ଯୁବକମାନଙ୍କୁ ରଖି ଔଷଧ ବିକ୍ରି କରାଉଛନ୍ତି । ଔଷଧ ବିକ୍ରିକୁ ପ୍ରାଧାନ୍ୟ ଦେବା ଓ ଗ୍ରାହକଙ୍କୁ ଅଧିକା ରିହାତି ଦେବା ବାହାନାରେ ବେଧଡକ ଭାବେ ଅନାମଧ୍ୟୟ ଔଷଧ ବିକ୍ରି ହେଉଥିବା ଅଭିଯୋଗ ହେଉଛି । କିଛି ଅସାଧୁ ବ୍ୟକ୍ତି ବିଶେଷ ସରକାରି ଚାକିରିରୁ ଅବସର ପାଇଥିବା ଡାକ୍ତରମାନଙ୍କୁ ମାସିକ ମୋଟା ଅଙ୍କର ଦେଇ ନିଜେ ବେଶ ଭଲ ଟଙ୍କା ରୋଜଗାର କରୁଛନ୍ତି । ଯାଜପୁର ସହରର ପ୍ରାୟ ଔଷଧ ଦୋକାନ ଗୁଡିକ ନିଜ ଅଧିନରେ ଜଣେ ଜଣେ ଡାକ୍ତରମାନଙ୍କୁ ନିଜର ଔଷଧ ଦୋକାନ ଗୁଡିକ ପାଖରେ କ୍ଲିନିକ କରି ନିଜର ଫାଇଦା ଉଠାଇବା ପାଇଁ ବସାଇବା ସହିତ ପ୍ରଚୁର ପରିମାଣରେ ଜେନେରିକ ମେଡିସିନ ଲୋକମାନଙ୍କୁ ଦିଆଯାଉଛି । ଅଧିକାଂଶ ରୋଗୀମାନଙ୍କୁ ଜେନେରିକ ଔଷଧ ସମ୍ପର୍କରେ ଜ୍ଞାନ ନ ଥିବାରୁ କିଛି ଔଷଧ ଦୋକାନୀ ଅଧିକା ଦାମରେ ବିକ୍ରି କରୁଛନ୍ତି । ଯାଜପୁର ସହରରେ ଅଧିକାଂଶ ଔଷଧ ଦୋକାନୀ ଓ ଡାକ୍ତରଙ୍କ ମଧ୍ୟରେ ସଲାସୁତରାରେ ବିଭିନ୍ନ କମ୍ପାନୀର ଔଷଧ କିଛି ନିର୍ଦ୍ଦିଷ୍ଟ ଦୋକାନରେ ବିକ୍ରି ହେଉଛି । ଯେଉଁ ଡାକ୍ତରଙ୍କ ସହ ଫିକ୍ସ ହୋଇଛି ବୋଲି ଆଲୋଚନା ହେଉଛି । ଯାହା ଫଳରେ ରୋଗୀ ହନ୍ତସନ୍ତ ହେଉଥିବା ଦେଖାଯାଏ । ଯାଜପୁର ସହର ମଧ୍ୟରେ ତେଜରାତି ଦୋକାନ ପରି ଔଷଧ ଦୋକାନୀ ଅନଭିଜ୍ଞ ଅଳ୍ପ ପାଠୁଆ ପିଲାଙ୍କୁ ନେଇ ଦୋକାନ ଚଲାଉଥିବା ଦେଖିବାକୁ ମିଳୁଛି । ପିଲାମାନେ ଡାକ୍ତର ଫାର୍ମାସିଷ୍ଟ ପରି ରୋଗୀଙ୍କୁ ବ୍ୟବହାର ଦେଖାଇ ଔଷଧ ବିକ୍ରି କରନ୍ତି । ସରକାରଙ୍କ କଡା ନିୟମ ରହିଛି ଡାକ୍ତରଙ୍କ ଲେଖା ବିନା ଔଷଧ ବିକ୍ରି କରିବା ମନା । କିନ୍ତୁ ଏହାର ବ୍ୟତିକ୍ରମ ଜିଲାର ବିଭିନ୍ନ ସ୍ଥାନରେ ଦେଖୁବାକୁ ମିଳେ । ସହର ମଧ୍ୟରେ ଥିବା ବିଭିନ୍ନ ଔଷଧ ଦୋକାନୀ ଡାକ୍ତରଙ୍କ ଲେଖା ମୁତାବକ ଔଷଧ ନଦେଇ ଅନ୍ୟ କମ୍ପାନୀର ଔଷଧ ଏହା ଠାରୁ ଭଲ କହି ରୋଗୀଙ୍କୁ ଧରାଇ ଦେଉଛନ୍ତି । ଯାହାକି ରୋଗୀଙ୍କ ଜୀବନ ପ୍ରତି ଖେଳ କହିଲେ କିଛିବି ଭୁଲ ହେବନାହଁଁ । ସର୍ଜିକାଲ ସାମଗ୍ରୀ କ୍ରୟ ବେଳେ ଗ୍ରାହକଙ୍କୁ ମାତ୍ରାଧିକ ଠକେଇ ହେଉଥିବା ଅଭିଯୋଗ ହୁଏ । କେତେକ ସର୍ଜିକାଲ ସାମଗ୍ରୀରେ ମାତ୍ରାଧିକ ଏମଆରପି ଥିଲେ ବି ସ୍ୱଳ୍ପ ଟଙ୍କାରେ କିଛି ଦୋକାନୀ କ୍ରୟ କରି ଚଢ଼ା ଦରରେ ବିକ୍ରି କରୁଛନ୍ତି । ଡ୍ରଗ୍ସ ବିଭାଗ ପକ୍ଷରୁ ଔଷଧ ଦୋକାନ ଉପରେ  ଦୀର୍ଘ ଦିନ ହେଲା ଚଢ଼ଉ ହେବାର ନଜିର ନାହିଁ । ଯାଜପୁର ଜିଲ୍ଲାରେ ଡ୍ରଗ୍ସ ବିଭାଗ କୋମାରେ ଥିବା ଭଳି ମନେ ହେଉଛି । ଏହାକୁ ଜିଲା ପ୍ରଶାସନ ଗୁରୁତର ସହ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।