ମଦ ଦୋକାନରେ ଭଙ୍ଗାରୁଜା ଲକ୍ଷାଧିକ ଟଙ୍କା ନଷ୍ଟ

 ।ା ପ୍ରଭାନୁ୍ୟଜ ।ା ବ୍ୟାସନଗର : ମୁହଁ ଅନ୍ଧାର ହୋଇନି । ଶହଶହ ଲୋକ ଚଲାବୁଲା କରୁଛନ୍ତି । ଗାଡ଼ି ମୋଟର ଘଁ ଘଁରେ ରାସ୍ତା ଗର୍ଜୁଥାଏ । ହଠାତ ଏାକଧିକ ଲୋକ ମଦ ଦୋକାନରେ ପହଁଚି କରିଥିଲେ ଭଙ୍ଗାରୁଜା । କିଏ ହାତରେ ରଡ଼, ତ କିଏ କିଳା ଧରି ଭାଙ୍ଗିବାକୁ ଲାଗିଥିଲେ ମଦ ଦୋକାନ । ଏଭଳି ଅଭାବନୀୟ ଘଟଣା ଯାଜପୁର ରୋଡ଼ ଥାନା ତଥା ଦାନଗଦୀ ଫାଣ୍ଡି ଅନ୍ତର୍ଗତ ମାନପୁର ସୁଅାଁଳ ଠାରେ ଘଟିଛି । ଏନେଇ ମଦ ଦୋକାନର ମାଲିକ ପ୍ରଶାନ୍ତ ପରିଡ଼ା ଥାନରେ ଅଭିଯୋଗ ପରେ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯୋଜନା କରିଛି । ଅଭିଯୋଗ ମତେ ଗତକାଲି ସନ୍ଧ୍ୟା ୫ଘଟିକା ସମୟରେ ସ୍ଥାନୀୟ ୪ଜଣ ଯୁବକ ଦୋକାନରେ ପହଁଚି ୪ବୋତଲ ମଦ ମାଗିଥିଲେ । କର୍ମଚାରୀ ସେମାନଙ୍କୁ ମଦ ବଢାଇବା ପରେ ଯୁବକ ୨ଟିର ପଇସା ଦେଇ ପଳାଉଥିବା ବେଳେ ଯୁକ୍ତିତର୍କ ହୋଇଥିଲା । ମାତ୍ର ଘଣ୍ଟାଏ ପରେ ୪ଜଣ ଯୁବକ ସହ ୧୫ରୁ ଅଧିକ ବିଭିନ୍ନ ମାରଣାସ୍ତ୍ର ଧରି ଦୋକାନ ନିକଟରେ ପହଁଚି ଭଙ୍ଗାରୁଜା ଆରମ୍ଭ କରିଥିଲେ । ସେମାନଙ୍କ ମଧ୍ୟରୁ କେଇଜଣ ଗ୍ରୀଲ ତାଢିବା ପରେ ଦୋକାନ ଭିତରେ ପସି ମହଜୁଦ ଥିବା ଲକ୍ଷାଧିକ ମଦକୁ ପିଟି ଭାଙ୍ଗି ଦେଇଥିଲେ । ଏହାସହ କ୍ୟାସ ଡ଼୍ରକୁ ଭାଙ୍ଗି ଦେଇ ଥିବା ଟଙ୍କାକୁ ଲୁଟି ନେବା ପରେ ତାହାକୁ ବାହାରେ ଫିଙ୍ଗି ଦେଇଥିଲେ । ଏହାସହ ଦୋକାନ ଭିତରେ ଥିବା ଫ୍ରିଜ, ଟିଭି, କମ୍ପୁଟରକୁ ଭାଙ୍ଗି ଫିଙ୍ଗିଥିଲେ । ପ୍ରମାଣ ନଷ୍ଟ କରିବାକୁ ଦୁର୍ବୃତ ସିସିଟିଭି ହାର୍ଡ଼ଡ଼ିସକୁ ଭାଙ୍ଗି ଚୁରମାର କରି କର୍ମଚାରୀଙ୍କୁ ପିଟିଥିଲେ । ଏହାକୁ ସମସ୍ତେ ଦେଖୁଥିଲେ ହେଁ ଭୟରେ କେହି ପାଟି ଖୋଲିନଥିଲେ ।