ଷଡ଼ଯନ୍ତ୍ରର ଶୀକାର ବ୍ୟାସନଗର : ଧାରଣାରେ ବସିଲେ ପାରିଷଦ; ପୌର ଆଇନ ପାଠ ପଢାଇଲେ ନିର୍ବାହୀ ଅଧିକାରୀ

 ବ୍ୟାସନଗର :  ମାସମାସ ଧରି ଟେଣ୍ଡର ପ୍ରକ୍ରିୟା ଅଟକି ରହିଛି । କାଉନସିଲ ବୈଠକରେ ପାରିତ ଟେଣ୍ଡର ପ୍ରସ୍ତାବକୁ ଦୃଢୀକରଣ ବଦଳରେ ଟେଣ୍ଡର ପାଇଁ ସ୍ୱତନ୍ତ୍ର ବୈଠକ କରିବାକୁ ପୈାର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ପାରିଷଦଙ୍କ ଆଗରେ ପ୍ରସ୍ତାବ ରଖିଥିଲେ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢୀ । ‘ଗ୍ରିଭାନ୍ସ’ ଆଳରେ ଟେଣ୍ଡର ପ୍ରକ୍ରିୟାକୁ ମାସମାସ ଧରି ପ୍ରଶାସନ ପକ୍ଷରୁ ଅଟକାଇ ରଖିଥିବା ବେଳେ ୧୯ ଜଣ ପାରିଷଦ ଧାରଣା ଦେବାକୁ ଗଲା ଶନିବାର ଦିନ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରିଥିଲେ । ହେଲେ ନିର୍ବାହୀ ଅଧିକାରୀ ପାରିଷଦଙ୍କ ଦାବି ପୂରଣ ନକରିବାରୁ ଆଜି ବିଜେଡ଼ି ଓ କଂଗ୍ରେସ ପାରିଷଦ ସର୍ବଶ୍ରୀ ବିଜୟ କୁମାର ଜେନା, ଶିବାନନ୍ଦ ନାୟକ, କୁନି ହାସଁଦା, ବୁଦୁନୀ ଦରାଇ, ମୋନାଲିସା ସାହୁ, ଅରୁନ୍ଧତୀ ପରିଡ଼ା, ସିଦ୍ଧାର୍ଥ ଶଙ୍କର ସାମଲ, ଅନ୍ନପୂର୍ଣ୍ଣା ତରାଇ, ସରୋଜୀନୀ ନାୟକ, ସରିତା ଜେନା, ରଶ୍ମିତା ଖୁଂଟିଆ, ଉର୍ମିଳା ପରିଡ଼ା, ସୁଜାତା ପ୍ରୀୟଦର୍ଶନୀ ପରିଡ଼ା, ରବିନ୍ଦ୍ର ରାଉତ୍, ସରୋଜୀନୀ ନାୟକ, ଦିଲୀପ ସେଠୀ, ଅଶୋକ ଦାସ, ସନ୍ତୋଷ ବରାଳ, କୁମୁଦୁନି ରାଉତ, ପାର୍ଥସାରଥି ନାୟକ ପ୍ରମୂଖ ଆଜି କାର୍ଯ୍ୟାଳୟ ଖୋଲିବା କ୍ଷଣି ହାତରେ ଫ୍ଲାଗକାର୍ଡ଼ ଧରି ଧାରଣାରେ ବସିଥିଲେ । ‘ବର୍ଷ ଶେଷ ଟେଣ୍ଡର ଲେସ’, ‘ ବ୍ୟାସନଗର ବିକାଶ ପାଇଁ ଷଡ଼ଯନ୍ତ୍ର କ’ଣ ପାଇଁ’, ‘ବ୍ୟାସନଗର ଆପଣଙ୍କ କ’ଣ କ୍ଷତିକଲା’, ‘ଆମର  ନ୍ୟାର୍ଯ୍ୟଦାବିରୁ ଆମେ ବଂଚିତ କାହିଁକି’,’କାହା ସ୍ୱାର୍ଥରେ ବିକାଶକୁ ରୋକ’ ଭଳି ଶ୍ଲେଗାନ ଦେଇ ଶାନ୍ତି ପୂର୍ଣ୍ଣ ଭାବେ ଧାରଣାରେ ବସିଥିଲେ । ଧାରଣା ଚାଲୁଥିବା ସମୟରେ ନିର୍ବାହୀ ଅଧିକାରୀ, ଏମଇ ବିଚିତ୍ରାନନ୍ଦ ପୁହାଣା ପହଁଚି ଆଲୋଚନା କରିଥିଲେ । ଆଲୋଚନା କାଳରେ ନିର୍ବାହୀ ଅଧିକାରୀଙ୍କୁ ପାରିଷଦ ଟେଣ୍ଡର ପ୍ରକ୍ରିୟା କାହିଁକି କରାଯାଉନି ବୋଲି ପଚାରିବାରେ ଅଧିକାରୀ ତାହା ପୈାର ଆଇନ ଭିତ୍ତିରେ ହୋଇନି ବୋଲି କହି ଏକ ସ୍ୱତନ୍ତ୍ର ବୈଠକ ଡ଼ାକିବାକୁ କହିଥିଲେ । ଯାହାକୁ ନେଇ ପାରିଷଦ ଅସନ୍ତୋଷ ବ୍ୟକ୍ତ କରିବା ସହ ତା୪ା୭ା୨୫ରେ ଦୃଢିକରଣ ହୋଇଥିବା ଦୃଷ୍ଠି ଆକର୍ଷଣ କରିଥିଲେ । ନିର୍ବାହୀ ଅଧିକାରୀ ଏକଥା ସେ ଜାଣିନଥିବା କହି ଜିଲାପାଳଙ୍କୁ ଅବଗତ କରିବେ ବୋଲି କହିଥିଲେ । ନିର୍ବାହୀ ଅଧିକାରୀ ପାରିଷଦକୁ ପୈାର ଆଇନ ପାଠ ବଢଇବା ବେଳେ ପାରିଷଦ ପୈାର ଆଇନକୁ ପ୍ରଶାସନ ହିଁ ଉଲ୍ଲଘନ କରୁଛି ବୋଲି ଅଭିଯୋଗ ରଖିଥିଲେ । କହିଥିଲେ କି ଦୃଢିକରଣ ସତ୍ୱେ ରିଜୁଏଲେସନ କପି କାହିଁକି ଏପର୍ଯ୍ୟନ୍ତ  ଦିଆଗଲାନି ବୋଲି ପ୍ରଶ୍ନ କରିଥିଲେ । ଯେ ପର୍ଯ୍ୟନ୍ତ ପ୍ରଶାସନ ବ୍ୟାସନଗର ବିକାଶରେ ସହଯୋଗ କରିବନି, ସେ ପର୍ଯ୍ୟନ୍ତ ଧାରଣାରେ ବସିବୁ ବୋଲି ଅଡ଼ିବସିଥିଲେ ପାରିଷଦ ।