ଛତୁଆ ଯୋଗାଣ ଅନିୟମିତତା ,  ହଟିଲେ ଦୁଇ ଯୋଗାଣକାରୀ ସଂସ୍ଥା

 ରାଜନଗର : ରାଜନଗର ବ୍ଲକରେ ଛତୁଆ ଯୋଗାଣରେ ଅନିୟମିତତା ସହ ନିମ୍ନମାନର ଅଭିଯୋଗ ହେବା ପରେ ଛତୁଆ ଯୋଗାଉଥିବା ଦୁଇ ଯୋଗାଣକାରୀ ସଂସ୍ଥାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମହିଳା ଓ ଶିଶୁ ବିକାଶ ବିକାଶ ବିଭାଗର ପତ୍ରାଙ୍କ ୨୩୧୪୭, ତା୧୫.୧୦.୨୦୨୪ ଆଧାରରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଚିଠି ନମ୍ବର ୪୦୫୫/ ୧୦ା୧୨ା୨୦୨୪ ଅନୁଯାୟୀ, ଏହି ବ୍ଲକରେ ଛତୁଆ ଯୋଗାଉଥିବା ମା’ ବୁଢୀ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ବାଲିଚନ୍ଦ୍ରପୁର ଓ ମା’ ବିଶାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ଉଦ୍ୟାନକୁ ବାଦ ଦିଆଯାଇଛି । ମା’ ବୁଢୀ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ବାଲିଚନ୍ଦ୍ରପୁର ସ୍ଥାନରେ ମହାକାଳପଡା ବ୍ଲକ ବଉଳପଡା ଶ୍ରୀ ପୁରୁଷୋତମ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମା’ ବିଶାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ଉଦ୍ୟାନ ସ୍ଥାନରେ ଆଳି ବ୍ଲକ ବେଲାରୀର ମା’ ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଛତୁଆ ଯୋଗାଣ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ସୂଚନାଥାଉକି, ରାଜନଗର ବ୍ଲକର ସାନବଡଗୋପାଳପୁର ସେକ୍ଟର, ବାଲିକଣା ସେକ୍ଟର, ହାତିନା ସେକ୍ଟର ଓ ଇଶ୍ୱରପୁର ସେକ୍ଟରର ଅନେକ କେନ୍ଦ୍ରରେ ଜୁନ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ଛତୁଆ ହିତାଧିକାରୀ ପାଇନଥିବା ବେଳେ ଆଗୁଆ ବିଲ କରାଯାଇଥିବା ନେଇ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଛତୁଆ ଯୋଗାଣରେ ଅନିୟମିତତା ହୋଇଥିବା ସତ୍ୟ ପଦାକୁ ଆସିବା ପରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ତଦନ୍ତ କରିବା ବଦଳରେ ନିରବ ରହିବା ଘଟଣା ସାଧାରଣରେ ସନେ୍ଦହ ସୃଷ୍ଟି କରିଥିଲା । ଛତୁଆ ଯୋଗାଉଥିବା ମା’ ବୁଢୀ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ବାଲିଚନ୍ଦ୍ରପୁର ବିରୁଦ୍ଧରେ ବାରମ୍ବର ଛତୁଆ ଯୋଗାଣରେ ଅନିୟମିତତା କରୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ତଦନ୍ତ ବଦଳରେ ନିଜ କାର୍ଯ୍ୟାଳୟ ପଦସ୍ତ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ ନକରି ଯାଞ୍ଚ କରୁଥିବା ଅଭିଯୋଗ ହୋଇଥିଲା । ଗର୍ଭବତୀ, ପ୍ରସୂତୀ ଓ ଶିଶୁମାନଙ୍କ ପାଇଁ ସରକାର ଯୋଗାଉଥିବା ପୃଷ୍ଟିକର ଛତୁଆ କାଗଜକଲମରେ ଯୋଗାଣ ହୋଇ ବହୁ ଲକ୍ଷ ଟଙ୍କା ହରିଲୁଟ କରାଯିବା ଘଟଣା ପଛରେ ଜିଲ୍ଲା ପ୍ରଶାସନର ହାତ ଅଛି ବୋଲି ଅଭିଯୋଗ ହୋଇଥିଲା  । ଏହି ବ୍ଲକରେ ୨୭୪ଟି ଅଙ୍ଗନବାଡି କେନ୍ଦ୍ର ରହିଛି । ଏହି କେନ୍ଦ୍ରଗୁଡିକୁ ଛତୁଆ ଯୋଗାଇବା ପାଇଁ ମା’ ବୁଢୀ ମଙ୍ଗଳା ସ୍ୱୟଂସହାୟକ ଗୋଷ୍ଠୀ ବାଲିଚନ୍ଦ୍ରପୁର ଓ ମା’ ବିଶାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ଉଦ୍ୟାନକୁ ଦାୟିତ୍ୱ ଦିଆଯାଇଥିଲା । ମା’ ବୁଢୀ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ୨୦ଟି ପଞ୍ଚାୟତର ୧୯୧ଟି ଅଙ୍ଗନବାଡି କେନ୍ଦ୍ର ଓ ମା’ ବିଶାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ୯ଟି ପଞ୍ଚାୟତର ୮୩ଟି ଅଙ୍ଗନବାଡି କେନ୍ଦ୍ରକୁ ଛତୁଆ ଯୋଗାଇବାକୁ ଦାୟିତ୍ୱ ଦିଆଯାଇଥିଲା  ।