୮ ମାସ ହେବ ମିଶନଶକ୍ତି ଗୃହରେ ତାଲା

 ଧର୍ମଶାଳା: ବଡ଼କଏମା ପଞ୍ଚାୟତ ମହାସଂଘରୁ ଲକ୍ଷାଧିକ ଟଙ୍କା ଅନିୟମିତା ଅଭିଯୋଗ ପରେ ମିଶନ ଶକ୍ତି ଗୃହକୁ ବ୍ଲକ୍ ପ୍ରଶାସନ ପକ୍ଷରୁ ସିଲ୍ କରିଦିଆଯାଇଥିଲା । ଆଠମାସ ପରେ ବି ମିଶନଶକ୍ତି ଗୃହରୁ ତାଲା ଖୋଲା ନ ଯିବା ଏବଂ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ମୁତାବକ୨୦୨୩ ମସିହା ସେପ୍େଟମ୍ବର ମାସରୁ କାଏମା ମିଶନଶକ୍ତି ଅଧିନରେ ଥିବା ମହାସଂଘର ସିଆରପିଇସି, ବ୍ୟାଙ୍କ୍ମିତ୍ର ୧୦ମାସର ଦରମା ନପାଇବାରୁ ଏବିଷୟରେ ବ୍ଲକ କର୍ତୃପକ୍ଷଙ୍କୁ ଜଣାଇଥିଲେ । ଯେଁଉ ସମୟରେ ମହାସଂଘ ଖାତାରେ ୨୦ଲକ୍ଷରୁ ଅଧିକ ଟଙ୍କା ରହିବା କଥା କିନ୍ତୁ ମହାସଂଘ କୌଣସି ଖାତାରେ ଟଙ୍କା ନଥିବା ବ୍ଲକ ପ୍ରଶାସନଙ୍କ ପାଖରୁ ଜାଣିବାକୁ ପାଇଥିଲେ । ଅନିୟମିତତା ହୋଇଥିବା ଜାଣିବା ପରେ ମହାସଂଘର ସଭାପତି, ଏମବିକେ ଓ ସଂପାଦକଙ୍କ ନାମରେ ସିଆରପି, ବ୍ୟାଙ୍କମିତ୍ର ଓ ଇସି ସଦସ୍ୟ ଥାନାରେ ଏତଲା ଦେବା ସହ ବ୍ଲକ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାଇଥିଲେ । ଏହାକୁ ଆଧାର କରି ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ପ୍ରକଳ୍ପ ପରିଚାଳକ ପ୍ରିୟଦର୍ଶି ଦାସ ଓ ବିଏଲସି ଇତିଶ୍ରୀ ସାହୁ ଓ ଅନ୍ୟ ଅଧିକାରୀ ପହଁଚି କାଗଜ ପତ୍ର ଯାଂଚ କରିବା ସହ ଅଗଷ୍ଟ ୬ ତାରିଖରେ ମିଶନଶକ୍ତି ଗୃହରେ ତାଲା ଠୁଙ୍କିଥିଲେ । ବ୍ଲକ ପ୍ରଶାସନ ପକ୍ଷରୁ ସଭାପତି ଓ ତାଙ୍କ ସମ୍ପର୍କୀୟ ଏବଂ ଏମବିକେ ଓ ତାଙ୍କ ସମ୍ପର୍କୀୟଙ୍କ ଖାତାକୁ ଟଙ୍କା ଯାଇଥିବା ଜାଣିବାକୁ ପାଇଲା ପରେ ଚାରି ଜଣଙ୍କ ନାମରେ ବ୍ଲକ ପ୍ରଶାସନ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା ପୁଲିସ କାଏମା ମିଶନ ଶକ୍ତିର ସଭାପତି ବିଦୁଲତା ବିଶ୍ୱାଳଙ୍କୁ ଗିରଫ କରିଥିଲା । ହେଲେ ଏହି ଘଟଣାରେ ସମ୍ପୃକ୍ତ  ଅନ୍ୟମାନଙ୍କୁ ଧରିବାରେ ବିଫଳ ହୋଇଥିଲା । ମିଶନଶକ୍ତି ଅଧୀନରେ କାଏମା ପଂଚାୟତର ମହାସଂଘରେ ୧୨୮ଟି ଏସଏଚଜି ଗ୍ରୁପ ରହିଛି । ସଭାପତି ବିଦୁଲତା ବିଶ୍ୱାଳ, ସଂପାଦକ ଦମୟନ୍ତି ଜେନା ଏବଂ ଏମବିକେ ମୁକ୍ତାରାନୀ ନାୟକ ପ୍ରମୁଖ ସେ ସମୟରେ ଦାୟିତ୍ୱରେ ଥିବା ବେଳେ ୧୦ଜଣ ସିଆରପି ୩୦ଜଣ ଇସି ମେମ୍ବର ଓ ଜଣେ ବ୍ୟାଙ୍କ୍ ମିତ୍ର ଏବଂ ଅନ୍ୟ କର୍ମଚାରୀ କାର୍ଯ୍ୟ କରିଥାନ୍ତି । ମିଶନଶକ୍ତି ଅଧିନରେ ସମସ୍ତ ଟଙ୍କା ଆୟ ବ୍ୟୟର ହିସାବ ପାଇଁ ପାଂଚଟି ବ୍ୟାଙ୍କ ଖାତାରହିଛି । ସେଥିମଧ୍ୟରୁ ଲୋନ୍ ଦେବା ନିମନ୍ତେ, ବ୍ୟାଙ୍କ୍ ମିତ୍ର ଓ ସିଆରପି ମାନଙ୍କ ଦରମା ନିମନ୍ତେ, ଇସି ମାନଙ୍କ ଦରମା ନିମନ୍ତେ ,୧୨୮ଟି ଏସଏଚଜି ଗ୍ରୁପର ପ୍ରତି ମାସ ଟଙ୍କା ଆଦାୟ ନିମନ୍ତେ ଓ କୃଷି ଯନ୍ତ୍ରପାତୀ ନିମନ୍ତେ ଏହି ଭଳି ମହସଂଘରେ ବ୍ୟାଙ୍କ ଖାତା ମାନ ରହିଛି ଏବଂ ସଭାପତି,ସଂପାଦକ ଓ ବିଏଲସିସିଆରପି, ଇସି ମେମ୍ବର, ବ୍ୟାଙ୍କ୍ ମିତ୍ରଙ୍କ ଉପସ୍ଥିତିରେ ପ୍ରସ୍ତାବ ପତ୍ର ଲେଖା ଯିବା ପରେ ମହାସଂଘ ଖାତାରୁ ଟଙ୍କା ନେଣ ଦେଣ କରାଯାଇଥାଏ । କିନ୍ତୁ ଏହି ସବୁ ଖାତାରୁ ମୋଟ ୨୩ଲକ୍ଷରୁ ଅଧିକ ଟଙ୍କା ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଆଜିକୁ ୧୮ମାସ ହେଲା ସିଆରପିଇସି, ବ୍ୟାଙ୍କ୍ ମିତ୍ର ଓ ଅନ୍ୟ ପଂଚାୟତ କର୍ମଚାରୀ ଦରମା ପାଇବାରୁ ବଂଚିତ ରହିଛନ୍ତି । ଫଳରେ ସେମାନଙ୍କ ପରିବାର ନାନା ସମସ୍ୟା ଦେଇ ଗତିକରୁଛି । ସେହିପରି ବ୍ଲକ୍ ପ୍ରଶାସନ ପକ୍ଷରୁ ସରକାରୀ ଟଙ୍କା ହଡପ୍ କରିଥିବା ନେଇ ଥାନାରେ ଅଭିଯୋଗ କରି ନିଜ ଦୋଷ ଛଡାଇ ଚୁପ୍ ହୋଇ ବସି ରହିଥିବା ଅଭିଯୋଗ ହୋଇଛି । ଏହା ଉପରେ ଜିଲ୍ଲା ପ୍ରଶାସନ ଓ ବିଧାୟକ ଦୃଷ୍ଟି ଦେବା ସହ କର୍ମଚାରୀମାନଙ୍କ ବକେୟା ଦରମା ପ୍ରଦାନ ଓ ତାଲା ମରାଯାଇଥିବା  ମିଶନ ଶକ୍ତ ଗୃହ ଖୋଲିବାକୁ ଦାବି ହୋଇଛି ।