ଛତ୍ରପୁର ପ୍ରେସ କ୍ଳବ ନିର୍ବାଚନ ; ସରୋଜ ସଭାପତି, ପ୍ରଦୀପ ଉପସଭାପତି 

ଛତ୍ରପୁର : ଛତ୍ରପୁର ପ୍ରେସ କ୍ଳବର ନୂତନ କର୍ମକର୍ତ୍ତା ଲାଗି ଶୁକ୍ରବାର ନିର୍ବାଚନ ଶେଷ ହୋଇଛି । ସଭାପତି ଭାବେ ସରୋଜ ସାମଲ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଅଜିତ କୁମାର ସ୍ୱାଇଁ ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି ଭାବେ ପ୍ରଦୀପ କୁମାର ସାହୁ, ସହ- ସମ୍ପାଦକ ଭାବେ ସନ୍ତୋଷ କୁମାର ସାହୁ ଓ କୋଷାଧ୍ୟକ୍ଷ ଭାବେ ଖିରୋଦ ଚନ୍ଦ୍ର ସାହୁ ନିର୍ବାଚିତ ହୋଇଛନ୍ତି । ଛତ୍ରପୁର ପ୍ରେସ କ୍ଳବର ନୂତନ କର୍ମକର୍ତ୍ତା ଚୟନ ଲାଗି ଅନୁଷ୍ଠିତ ଏହି ନିର୍ବାଚନରେ ୨୩ ଜଣ ସଦସ୍ୟ ମତଦାନ କରିଥିଲେ । ସଭାପତି ପଦବୀ ପାଇଁ ୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସରୋଜ ସାମଲ ୧୨ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ସମ୍ପାଦକ ପଦବୀ ପାଇଁ ମଧ୍ୟ ଦୁଇ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଅଜିତ କୁମାର ସ୍ୱାଇଁ ୧୫ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିଲେ । କୋଷାଧ୍ୟକ୍ଷ ପଦବୀ ପାଇଁ ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଖିରୋଦ ଚନ୍ଦ୍ର ସାହୁ ନିର୍‌ଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଥିଲେ । ସହ ସମ୍ପାଦକ ଓ ଉପ ସଭାପତି ପଦବୀ ପାଇଁ ୨ ଜଣ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଉଭୟେ ଉଭୟେ ସମାନ ସମାନ ଭୋଟ ପାଇଥିବାରୁ ଉଭୟଙ୍କୁ ଏକ ବର୍ଷ ଲେଖାଏଁ ପଦବୀ ପ୍ରଦାନ କରାଯାଇଛି । ଏଥିଲାଗି ଧର୍ମ ଗୁଳା କରାଯାଇଥିବା ବେଳେ ଉପସଭାପତି ଭାବେ ପ୍ରଦୀପ  ସାହୁ ଓ ସହ ସମ୍ପାଦକ ଭାବେ ସନ୍ତୋଷ କୁମାର ସାହୁ ଚଳିତ ପ୍ରଥମ ବର୍ଷ ପଦବୀରେ ରହିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଉପସଭାପତି କେ. ସତ୍ୟ ନାରାୟଣ ରେଡ୍ଡୀ ଓ ସହ- ସମ୍ପାଦକ ଦେବଦତ୍ତ ପଣ୍ଡା ଆସନ୍ତା ବର୍ଷ ନିମନ୍ତେ ଦାୟିତ୍ୱ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ନିର୍ବାଚନ ଅଧିକାରୀ ଭାବେ ଶ୍ରୀକାନ୍ତ ମହାନ୍ତି ଦାୟିତ୍ୱ ତୁଲାଇଥିଲେ ।