ମହାନଦୀ ବଞ୍ଚାଅ ଆନ୍ଦୋଳନ ; ମହାନଦୀର ନିରନ୍ତର ପ୍ରବାହ ସୁନିଶ୍ଚିତ ହେଉ
ଭୁବନେଶ୍ୱର : ସମ୍ପ୍ରତି ଓଡ଼ିଶା ସରକାର ମହାନଦୀ ତଟର ସୌନ୍ଦର୍ଯ୍ୟ କରଣ ପାଇଁ ସମ୍ବଲପୁର ଓ ଭୁବନେଶ୍ୱର ଠାରେ ୨୪୦ କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା କରିଛନ୍ତି । ଏହି ଅର୍ଥରେ ସରକାର ସମ୍ବଲପୁର ମନ୍ଦଲିଆରୁ ଚାଉଁରପୂର୍ ନଦୀ ତଟ ପାଇଁ ୧୬୦ କୋଟି ଓ ଭୁବନେଶ୍ୱର କୁଆଖାଇ ନଦୀର ପାଣ୍ଡରକ୍ଷ ଠାରେ ଓ କୁଶଭଦ୍ରା ତଟ ପାଇଁ ୮୦ କୋଟି ଖର୍ଚ୍ଚ କରିବେ । ଏଥିରେ ରିଙ୍ଗ ରୋଡ, ଭାସମାନ ଜେଟି, କାଫ୍ଟେରିଆ, ମନୋରଞ୍ଜନ ପାର୍କ, ଜଳ କ୍ରୀଡା, ବିଜ୍ଞାନ ପାର୍କ ଇତ୍ୟାଦି ନିର୍ମାଣ କରିବା ଅନ୍ତର୍ଭୁକ୍ତ । ମହାନଦୀରେ ଅଣମୌସୁମୀରେ ପାଣି ଆସୁନି । ଖରାଦିନେ ନଦୀର ଶଯ୍ୟା ମରୁଭୂମିର ଭ୍ରମ ସୃଷ୍ଟି କରେ । କିଛି ଅଞ୍ଚଳରେ ଗାର ପରି ଧାରରେ ପାଣି ମହାନଦୀରେ ଆସୁଛି । ପ୍ରଥମେ ସେକଥା ସରକାର ବିଚାର କରନ୍ତୁ ଓ ସେ ଦିଗରେ ପଦକ୍ଷେପ ନିଅନ୍ତୁ । ଏହି ପ୍ରାକୃତିକ ଶୋଭାକୁ ଅଣଦେଖା କରି କୃତ୍ରିମ ଉପାୟରେ ନଦୀର ସୌନ୍ଦର୍ଯ୍ୟ ବୃଦ୍ଧି ଯୋଜନା ହାସ୍ୟାସ୍ପଦ । ଏହା ଅର୍ଥର ଅପବ୍ୟୟ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ଅନୁଭବ କରେ । ମହାନଦୀରେ ସମ୍ବଲପୁର ଠାରେ ହେଉ ଅଥବା ମହାନଦୀର ପ୍ରଶାଖା ନଦୀ କୁଆଖାଇ ବା କୁଶଭଦ୍ରା ହେଉ , ଗ୍ରୀଷ୍ମ ଋତୁର ପାଣିର ସଙ୍କଟକୁ ଆମେ ଦେଖୁଛୁ । ଅଣ ମୌସୁମୀ ସମୟରେ ନଦୀ ପୁରା ଶୁଖିଲା ପଡ଼ୁଛି ବାଲି ମରୁମୟ ନଦୀ କୂଳ ରେ ସୌନ୍ଦର୍ଯ୍ୟ କରଣ ଏକ ଅବାସ୍ତବ ଯୋଜନା । ଅସୁନ୍ଦର ମୁହଁରେ ପ୍ରସାଧନ ସାମଗ୍ରୀ ଲଗାଇ ରଙ୍ଗ ମଞ୍ଚରେ କ୍ଷଣିକ ପାଇଁ ସୁନ୍ଦର ଦେଖାଯିବା ଯାହା ପାଣି ବା ପ୍ରବାହ ନ ଥିବା ନଦୀ କୂଳରେ ସୌନ୍ଦର୍ଯ୍ୟ କରଣ କରିବା ତାହା ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ସହ ଆବାହକ ବାସୁଦେବ ଭଟ୍ଟ, ସଂଯୋଜକ ବିଜୟ ପ୍ରଧାନ, ପ୍ରବକ୍ତା ପ୍ରସନ୍ନ ବିଶୋଇ, ସଚ୍ଚି କାନ୍ତ ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି ।