ଦୁଇ ଯୁବକଙ୍କୁ ଖଣ୍ଡା ଚୋଟ; ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୭ା୧ : ସାଙ୍ଗରେ ଜିବାକୁ ରାଜି ନହେବାରୁ ଦୁଇ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ଖଣ୍ଡାରେ ମରଣାନ୍ତକ ଆକ୍ରମଣ । ଏନେଇ ଏୟାରପୋର୍ଟ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ତାଠାରୁ ଏକ ଖଣ୍ଡା ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ସୁନ୍ଦରପଦା ଢ଼ିପାସାହିର ବିରେନ୍ଦ୍ର ଭୋଇ ଓରଫ ପିଟୁନା । ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ, ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ଚଢ଼ାଉ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ଗତ ୫ ତାରିଖ ଦିନ ମଧ୍ୟାହ୍ନ ୧୨.୩୦ ସମୟରେ ପୀଡ଼ିତ ସୌମ୍ୟରଞ୍ଜନ ସାହୁ ଏବଂ ସିଦ୍ଧାର୍ଥ ରଞ୍ଜନ ସାହୁ ଉଭୟ ମିଶି ଝାରପୋଖରୀ ଯାଇଥିବା ବେଳେ, ମନଟୁ ସାମଲ ନାମକ ଜଣେ ଯୁବକ କୌଣସି ଏକ ବିଷୟରେ ଆଲୋଚନା କରିବା ଲାଗି କହିଥିଲେ । ସିର୍ଦ୍ଧାର୍ଥ ତାଙ୍କ କଥାରେ ରାଜି ନହେବାରୁ ମନଟୁ ତାଙ୍କୁ ମାଡ଼ ମାରିଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ପରେ ମନଟୁ ଉଭୟଙ୍କୁ ଜୀବନରୁ ମାରିଦେବାର ଧମକ ଦେଇ ସେ ସ୍ଥାନରୁ ପଳାଇଯାଇଥିଲେ । ସେହିଦିନ ପୁଣି ୨.୧୫ ସମୟରେ ଉଭୟ ସୌମ୍ୟରଞ୍ଜନ ଏବଂ ସିର୍ଦ୍ଧାର୍ଥ ଝାରପୋଖରୀରୁ ସ୍କୁଟି ଯୋଗେ ଘରକୁ ବାହାରିଥିବା ବେଳେ, ଅଭିଯୁକ୍ତ ମନଟୁ ସାମଲ, ଅଭିଯୁକ୍ତ ପିତୁନା ଓରଫ ବିରେନ୍ଦ୍ର ଭୋଇ ଏବଂ ତାଙ୍କର ଅନ୍ୟ ଚାରି ସହଯୋଗୀ ଏକ କାର ଓ ବାଇକରେ ସେଠାରେ ପହଞ୍ଚି ଉଭୟଙ୍କୁ ଜୋରଜବରଜସ୍ତ ରାସ୍ତାରେ ଅଟକାଇଥିଲେ । ପରେ ସେମାନେ ସାଙ୍ଗରେ ଆଣିଥିବା ଖଣ୍ଡା ଏବଂ ଛୁରୀରେ ଉଭୟଙ୍କୁ ମରଣାନ୍ତକ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ସମୟରେ କିଛି ସ୍ଥାନୀୟ ଲୋକେ ଦୁହିଙ୍କୁ ଗୁରୁତର ଅବସ୍ତାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିବା ବେଳେ, ଅବସ୍ଥା ସଂକଟାପନ୍ନ ହେବାରୁ ଆହତ ସୌମ୍ୟରଞ୍ଜନ ସାହୁଙ୍କୁ ସେଠାରୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଅଭିଯୋଗକାରିଣୀ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ତାଠାରୁ ଏକ ଖଣ୍ଡା ଜବତ କରିଛି ।