ବାଲିଅନ୍ତା ବ୍ଲକ ଓ ତହସିଲରେ ଅଚଳାବସ୍ଥା ... ଜଣେ ଅଧିକାରୀଙ୍କୁ ୨ ବ୍ଲକ ଓ ତହସିଲ ଦାୟିତ୍ୱ
ବାଲିଅନ୍ତା : ସରକାରୀ କଳରେ ବିଚିତ୍ର ବ୍ୟବସ୍ଥା ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଓ ତହସିଲରେ ଦେଖିବାକୁ ମିଳିଛି । ଜଣେ ଅଧିକାରୀ ଏକାବେଳେ ୨ ଟି ବ୍ଲକ ୪ ଟି ବିଭାଗର ଦାୟିତ୍ୱ ନେଇଛନ୍ତି । ଅଧିକାରୀ ଜଣଙ୍କ କେତେବେଳେ କେଉଁ ବ୍ଲକରେ ଏବଂ କେଉଁ ସମୟରେ ରହୁଛନ୍ତି ତାହା ଜାଣିବା ସାଧାରଣ ଲୋକଙ୍କ ପକ୍ଷେ ଅସମ୍ଭବ ହେଉଛି । ଯାହାଦ୍ୱାରା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାଲିଅନ୍ତା ବ୍ଲକରେ ଗତ ୪ ମାସ ହେବ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଅନ୍ୟତ୍ର ବଦଳି ହୋଇଥିଲା । ଏହାର ଦାୟିତ୍ୱ ବାଲିଅନ୍ତା ତହସିଲଦାର ବିମଳ ଲେଙ୍କାଙ୍କୁ ଦିଆଯାଇଥିଲା । ମାତ୍ର ଶ୍ରୀଯୁକ୍ତ ଲେଙ୍କାଙ୍କ ପଦୋନ୍ନତିରେ ଅନ୍ୟତ୍ର ବଦଳି ହୋଇଥିଲା । ପରେ ଲିଲନ ଦାସ ତହସିଲଦାର ଭାବେ ନିଯୁକ୍ତି ପାଇଥିଲେ । ସେ ମଧ୍ୟ ଉଭୟ ବ୍ଲକ ଓ ତହସିଲ ଦାୟିତ୍ୱ ନେଇଥିଲେ । ମାତ୍ର ୮ ରୁ ୧୦ ଦିନ ଭିତରେ ଲିଲନ ଦାସଙ୍କ ଟ୍ରେନିଂ ଥିବାରୁ ପଡୋଶୀ ବାଲିପାଟଣା ବ୍ଲକ ଓ ତହସିଲ ଦାୟିତ୍ୱରେ ଥିବା ତହସିଲଦାର କଳ୍ପନା ଦାସଙ୍କୁ ଦାୟିତ୍ୱ ଦିଆଯାଇଥିଲା, ଫଳରେ ଜଣେ ଅଧିକାରୀ ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଓ ତହସିଲ ଦାୟିତ୍ୱ ନିର୍ବାହ କରୁଛନ୍ତି ।
ଜଣେ ଅଧିକାରୀ ଏକାବେଳେ ୨ ଟି ସ୍ଥାନରେ ଉଭୟ ବ୍ଲକ୍ ଓ ତହସିଲ ଦାୟିତ୍ୱ ନିର୍ବାହ କରିବା କାଠିକାର ପାଠ । ଫଳରେ ଉଭୟ ବ୍ଲକ ଓ ତହସିଲରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଏକପ୍ରକାର ଠପ ହୋଇଯାଇଛି । ଉଭୟ ବ୍ଲକରେ ବିଭିନ୍ନ ପ୍ରକଳ୍ପର ଫାଇଲ ଅଧିକାରୀଙ୍କ ଟେବୁଲ ଉପରେ ଗଦା ହୋଇରହିଥିବା ବେଳେ, କର୍ମଚାରୀମାନେ ନିର୍ଦ୍ଧାରିତ ସମୟରେ ଆସୁ ନଥିବା ଦେଖାଯାଉଛି । ଫଳରେ ମୁରବୀଶୂନ୍ୟ ହୋଇଯାଇଛି ବ୍ଲକ୍ । ଅପରପକ୍ଷରେ ବ୍ୟସ୍ତବହୁଳ ଏବଂ ବ୍ୟୟବହୁଳ ବ୍ଲକ ଓ ତହସିଲ ଭାବେ ବାଲିଅନ୍ତା ତହସିଲ ପ୍ରମୁଖ । ଏହି ବ୍ଲକ ଓ ତହସିଲ ରାଜଧାନୀ ଠାରୁ ମାତ୍ର ୪/୫ କିମି ଦୂରରେ ଅବସ୍ଥିତ ଥିବା ବେଳେ, ସେହି ତୁଳନାରେ ଜନସଂଖ୍ୟା ବୃଦ୍ଧି ପାଇବା ସହ ଅଞ୍ଚଳର ଆୟତନ ବୃଦ୍ଧି ପାଇଛି । ତହସିଲରେ ଜମିଜମା ପଟା କିମ୍ବା ଉତ୍ତରାଧିକାରୀ, ସ୍ଥାୟୀବାସିନ୍ଦା, ଆୟ ପ୍ରମାଣପତ୍ର ଓ ଜାତିଗତ ପ୍ରମାଣ ପତ୍ର ହେଉ ସବୁବେଳେ ଏହି ତହସିଲରେ ଲୋକଙ୍କ ଭିଡ ଲାଗିରହିଥାଏ । ସେଥିପାଇଁ ଏହି ତହସିଲଟି ସାଧାରଣ ଜନତାଙ୍କ ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱବହନ କରିଥାଏ । ମାତ୍ର ଅଧିକାରୀଙ୍କ ଅଦଳ ବଦଳ ଯୋଗୁଁ ଏଠାରେ ଏବେ ଅଚଳାବସ୍ଥା ଦେଖିବାକୁ ମିଳିଛି । ଏହିଭଳି ଭାବେ ତହସିଲର ଅଚଳାବସ୍ଥା ଯୋଗୁଁ ଜମିମାଲିକଙ୍କୁ ଜମିପଟ୍ଟା ମିଳିବାରେ ଅହେତୁକ ବିଳମ୍ବ ହେବାସହ ବିଦ୍ୟାର୍ଥୀ ଓ ହିତାଧିକାରୀଙ୍କ ଆୟ ପ୍ରମାଣ ପତ୍ର ଠାରୁ ଆରମ୍ଭ କରି ସ୍ଥାୟୀବାସିନ୍ଦା, ଜାତିଗତ ପ୍ରମାଣ ପତ୍ର ଓ ଉତ୍ତରାଧିକାରୀ ପ୍ରମାଣ ପତ୍ର ନିମନ୍ତେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଲକ୍ଷ କରାଯାଇଛି । ସେହିପରି କିଛି ଲୋକେ ତାଙ୍କର ଜମିର ସିମା ନିର୍ଦ୍ଧାରଣ ନିମନ୍ତେ ଦୀର୍ଘମାସ ଧରି ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ କ୍ଷ ଫଳରେ ସାଧାରଣ ଜନତାଙ୍କୁ ବାରମ୍ବାର ତହସିଲ କାର୍ଯ୍ୟାଳୟ ଦୌଡି ଦୌଡି ନିରାଶ ହେବାକୁ ପଡୁଛି । ଏଥିପ୍ରତି ଦୃଷ୍ଟି ଦେବାପାଇଁ ରାଜ୍ୟ ସରକାରଙ୍କ ନିକଟରେ ଜନସାଧାରଣ ଦାବି କରିଛନ୍ତି ।