ଜନଜାତିଙ୍କ ପ୍ରତି ସହାନୁଭୂତିଶୀଳ ହୁଅନ୍ତୁ ଅଧିକାରୀ : ରାଜ୍ୟପାଳ
ଭୁବନେଶ୍ୱର : ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାଗୁଡିକର କାର୍ଯ୍ୟକାରିତା ସମୟରେ ଅଧିକାରୀମାନେ ମାନବିକ ଓ ସହାନୁଭୂତିଶୀଳ ଆଭିମୁଖ୍ୟ ଗ୍ରହଣ କରନ୍ତୁ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ନିଦେ୍ର୍ଦଶ ଦେଇଛନ୍ତି । ଆଜି ରାଜଭବନର ନୁ୍ୟ ଅଭିଷେକ ହଲ ଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କରିବା ଅବସରରେ ରାଜ୍ୟପାଳ ଏହି ନିଦେ୍ର୍ଦଶ ଦେଇଛନ୍ତି । ଉକ୍ତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ସମେତ ଉପରୋକ୍ତ ବିଭାଗମାନଙ୍କର ବରିଷ୍ଠ ଅଧିକାରୀ, ରାଜ୍ୟର ବିଭିନ୍ନ ଜିଲ୍ଲାର ଡିଏଫଓ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ, ଜିଲ୍ଲା କଲ୍ୟାଣ ଅଧିକାରୀ ତଥା ବିଭିନ୍ନ ପ୍ରକଳ୍ପର ଅଧିକାରୀମାନେ ଯୋଗ ଦେଇଥିଲେ ।
ଏହି ସମୀକ୍ଷା ବୈଠକରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଜନଜାତିମାନଙ୍କର କଲ୍ୟାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ଉପରୋକ୍ତ ଯୋଜନା ସମ୍ପର୍କରେ ସେମାନଙ୍କୁ ସଚେତନ କରାଇ ପାରିଲେ ଯୋଜନାର ସୁଫଳ ମିଳିବ ଏବଂ ସେମାନେ ଉପକୃତ ହୋଇ ପାରିବେ । ଏଣୁ ସମ୍ପୃକ୍ତ ବିଭାଗ ତରଫରୁ ବିଭିନ୍ନ ଯୋଜନା ସମ୍ପର୍କରେ ପୁସ୍ତିକା ପ୍ରସ୍ତୁତ କରି ଜନସାଧାରଣଙ୍କୁ ବଣ୍ଟନ କରିବା ପାଇଁ ବିଭାଗୀୟ କମିଶନର ତଥା ଶାସନ ସଚିବଙ୍କୁ ରାଜ୍ୟପାଳ କହିଥିଲେ । ଏତତ ବ୍ୟତୀତ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ କିପରି ଅଧିକ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇ ପାରିବେ ସେ ଦିଗରେ ସକାରାତ୍ମକ ମନୋଭାବ ନେଇ ବିଭାଗୀୟ କର୍ତ୍ତୃପକ୍ଷ କାର୍ଯ୍ୟ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଏ ଦିଗରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କର ଗୁରୁ ଦାୟିତ୍ୱ ରହିଛି ବୋଲି ରାଜ୍ୟପାଳ କହିଥିଲେ । ଲଘୁ ଜଙ୍ଗଲଜାତ ଦ୍ରବ୍ୟର କ୍ରୟ ଏବଂ ନିଲାମ ପ୍ରସଙ୍ଗରେ ରାଜ୍ୟପାଳ ସମୀକ୍ଷା କରିଥିଲେ ।