୧୦୨ ବର୍ଷରେ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା : ଭାଇଚାରାର ପ୍ରତୀକ ଭାବେ ବାନ୍ଧି ରଖିଛି ସହରବାସୀଙ୍କୁ

୧୦୨ ବର୍ଷରେ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା :  ଭାଇଚାରାର ପ୍ରତୀକ ଭାବେ ବାନ୍ଧି ରଖିଛି ସହରବାସୀଙ୍କୁ

ଢେଙ୍କାନାଳ : ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଗଣପର୍ବର ମାନ୍ୟତା ଲାଭ କରିଛି । ଏହି ପୂଜା ପାର୍ବଣ କେବଳ ଆଧ୍ୟାତ୍ମିକତାର ପ୍ରତିକ ନୁହେଁ ବରଂ ଭାତୃତ୍ୱ ଏବଂ ସହାବସ୍ଥାନର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଛି । ଆଜି ଏତେ ବଡ ବିଶାଳ ରୁପଧାରଣ କରିଥିବା ଏହି ଢେଙ୍କାନାଳ ଲକ୍ଷ୍ମୀପୂଜା ପଛରେ ବହୁ ପ୍ରାଚୀନ କାଳରୁ ଥିବା ବୈଷ୍ଣବ ଉପାସନାର ପରମ୍ପରା ରହିଛି ବୋଲି ଗବେଷକମାନେ ମତଦେଇଛନ୍ତି ।  ୨୦୨୩ ମସିହାରୁ ଆରମ୍ଭ ହୋଇଥିବା ଏହି ଐତିହ୍ୟ ସଂପର୍ଣ୍ଣ ଗଜଲକ୍ଷ୍ମୀ ପୂଜା ଚଳିତବର୍ଷ ୧୦୨ ବର୍ଷରେ ପଦାର୍ପଣ କରିଛି । ଢେଙ୍କାନାଳରେ ରାଜୁଡା ଶାସନ ସମୟରେ କୁମାର ପୂର୍ଣ୍ଣମୀରେ ‘ଶରତରାସ ପରିବେଷଣ ସାଂସ୍କୃତିକ ଉତ୍ସବ’ ପ୍ରସିଦ୍ଧିଲାଭ କରିଥିଲା । ସେହି ଶରତରାସ ଉତ୍ସବ ସମୟରେ ୧୯୨୩ ମସିହାରେ ସର୍ବପ୍ରଥମେ ଉପରଗଡ ପାଞ୍ôଝଆସାହିର(ବର୍ତମାନର ମହାବୀର ବଜାର) ସ୍ୱର୍ଗତ ବ୍ରଜ କିଶୋର ପଟ୍ଟନାୟକଙ୍କ ବ୍ୟକ୍ତିଗତ ଉଦ୍ୟମରେ ହନୁମାନ ମନ୍ଦିରଠାରେ ଗଜଲକ୍ଷ୍ମୀଙ୍କର ମୃଣ୍ମୟମୂର୍ତୀ ପୂଜା ଆରମ୍ଭ ହୋଇଥିଲା ।  

ପରେ ୧୯୨୫ ମସିହାରେ ବେବର୍ତାସାହିର ଗତିକୃଷ୍ଣ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଉଦ୍ୟମରେ କଂସାରୀସାହି ଘୋଡାଡିଆଁପାଟଣା ଏବଂ ରାଜାଙ୍କ ଦେୱାନଥିବା ମଝିଗଡର ସ୍ୱର୍ଗତ ସଚ୍ଚିଦାନନ୍ଦ ସିଂହଙ୍କ ଦ୍ୱାରା ତାଙ୍କ ନିଜ ବାସଭବନରେ ଠାରେ ମୃଣ୍ମୟ ଲକ୍ଷ୍ମୀପୂଜା ଆରମ୍ଭ ହୋଇଥିଲା । ୧୯୩୮ ମସିହାର ପ୍ରଜାମଣ୍ଡଳ ଆନ୍ଦୋଳନ ସମୟରେ ଢେଙ୍କାନାଳରେ ଏହି ଲକ୍ଷ୍ମୀପୂଜା ବନ୍ଦ ହୋଇଯାଇଥିଲା । ପ୍ରଜା ଆନ୍ଦୋଳନ ପ୍ରଶମିତ ହେବାପରେ ୧୯୪୦ ମସିହାରେ ସାଆନ୍ତ ସାହିରେ ସଚ୍ଚିଦାନନ୍ଦଙ୍କ ବ୍ୟକ୍ତିଗତ ଉଦ୍ୟମରେ ଲକ୍ଷ୍ମୀପୂଜା ପୁଣି ଆରମ୍ଭ ହୋଇଥିଲା । କିନ୍ତୁ ଦୁର୍ଦ୍ଦିନରେ ତାଙ୍କର ଦେହାନ୍ତ ହେବାପରେ ୩ବର୍ଷ ପରେ ଏହି ପୂଜା ବନ୍ଦ ହୋଇଯାଇଥିଲା ।  ଢେଙ୍କାନାଳ ଲକ୍ଷ୍ମୀପୂଜାର ଦ୍ୱିତୀୟ ପର୍ଯ୍ୟାୟ ୧୯୪୧ରୁ ଆରମ୍ଭ ହେଲା । ବର୍ତମାନର ମୀନାବଜାର ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ସ୍ୱର୍ଗତ ନଟବର ଦେବତାଙ୍କ ଉଦ୍ୟମରେ ପୂନର୍ବାର ଏହି ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିଲା । ଢେଙ୍କାନାଳ ଗଡଜାତରେ ମହାଲକ୍ଷ୍ମୀ ଉପାସନା ପ୍ରାୟତଃ ଅଷ୍ଟାଦଶ ଶତାଦ୍ଦୀ ବେଳକୁ ସାର୍ବଜନୀନ ଲାଭକରିଥିବା କିମ୍ବଦନ୍ତୀରୁ ଜଣାଯାଏ । ବିଷ୍ଣୁପୂଜାର ପରଂପରା ଯୋଗୁଁ ତାଙ୍କ ପତ୍ନୀ ଭାବେ ମା’ ମହାଲକ୍ଷ୍ମୀଙ୍କ ଆରାଧନା ଏଠି ସର୍ବାଦୃତ ହୋଇପାରିଥିଲା । ରାଜନଅରରେ ମା’ ମହାଲକ୍ଷ୍ମୀଙ୍କର ସ୍ୱର୍ଣ୍ଣ ପ୍ରତୀମା ପ୍ରତିଷ୍ଠା ଓ ପୂଜାବିଧି ବିଷ୍ଣୁ ପରଂମ୍ପରାର ଅନ୍ୟତମ ନିଦର୍ଶନ । ଧନସମ୍ପଦର ଅଧିଷ୍ଠାତ୍ରୀ ଦେବୀ ମା’ ଅନ୍ନପୂର୍ଣ୍ଣାଙ୍କର ଉପାସନା ଏଠି ବିଂଶ ଶତାଦ୍ଦୀର ପ୍ରଥମଭାଗ ବେଳକୁ ମୃର୍ଣ୍ଣୟୀ ମୂର୍ତୀପୂଜାରେ ରୂପାନ୍ତରିତ ହୋଇଥିବା ଇତିହାସରୁ ଜଣାଯାଏ ।