ଜମିଜମାକୁ ନେଇ ଗଣ୍ଡଗୋଳ, ଥାନାରେ ମାମଲା

 ସାଲେପୁର: ସେଲୁନ୍ ଓ ଏକ ଆଜ୍ବେଷ୍ଟସ୍ ଘରକୁ ବଳପୂର୍ବକ ଭଙ୍ଗାଯିବା ନେଇ ଜପକୁଦ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଏହାକୁ ନେଇ ସାଲେପୁର ଥାନାରେ ୨ଟି ଅଭିଯୋଗ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ଜପକୁଦ ନିକଟରେ ଥିବା ଅମରେନ୍ଦ୍ର ବାରିକଙ୍କ ଏକ ସେଲୁନ୍ ଦୋକାନ ଓ ଏହାକୁ ଲାଗିଥିବା ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଏକ ଆଜ୍ବେଷ୍ଟସ ଘରକୁ ନେତ୍ରାନନ୍ଦ ଓ ତାଙ୍କର ସହଯୋଗୀ ଭାଙ୍ଗିଦେଇଥିବା ନେଇ ପୂର୍ଣ୍ଣଚନ୍ଦ୍ର ଓ ଅମରେନ୍ଦ୍ର ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ମୁତାବକ ଅମରେନ୍ଦ୍ରଙ୍କ ଏକ ସେଲୁନ୍ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ସେହିପରି ପୂର୍ଣ୍ଣଚନ୍ଦ୍ର ଏକ ଆଜ୍ବେଷ୍ଟସ୍ ଘର ସ୍ଥାପନ କରି ସେଠାରେ ମା’କାଳୀଙ୍କ ପ୍ରତିମୂର୍ତ୍ତି ରଖି ପୂଜାର୍ଚ୍ଚନା କରୁଥିଲେ । ପୂର୍ଣ୍ଣଚନ୍ଦ୍ର ଓ ଅମରେନ୍ଦ୍ର ଉକ୍ତ ଜାଗାକୁ ସରକାରୀ ଜାଗା ବୋଲି ଦର୍ଶାଉଥିବାବେଳେ କିନ୍ତୁ ନେତ୍ରାନନ୍ଦ ଉକ୍ତ ଜାଗାକୁ ୨୦୨୩ ମସିହାରେ କ୍ରୟ କରିଛନ୍ତି ଓ ତାଙ୍କ ପାଖରେ ତାହାର ପଟ୍ଟା ରହିଥିବା ସେ ଦାବି କରିଛନ୍ତି ।  ପଟ୍ଟାକୁ ଆଧାର କରି ନେତ୍ରାନନ୍ଦ ଭୋଇଙ୍କ ଓ ତାଙ୍କ ପତ୍ନୀ ପୁଷ୍ପା ଭୋଇ ଉକ୍ତ ସ୍ଥାନରୁ ଅଳିଆ ଆବର୍ଜନା ସଫା କରୁଥିବାବେଳେ ପୂର୍ଣ୍ଣଚନ୍ଦ୍ର ଓ ଅମରେନ୍ଦ୍ର ତାଙ୍କୁ ଗାଳିଗୁଲଜ କରିବା ସହ ମାରଧର କରିବାକୁ ଉଦ୍ୟମ କରିଥିବା ନେଇ ପୁଷ୍ପାଭୋଇ ସାଲେପୁର ଥାନାରେ ପାଲଟା ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଜପକୁଦ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିବାବେଳେ ପୁଲିସ ପକ୍ଷରୁ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଚାଲୁ ରଖିଥିବାବେଳେ ଅଦ୍ୟାବଧି ସାଲେପୁର ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ସାଲେପୁର ଆଇଆଇସି ମନୋଜ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି ।