କେନ୍ଦ୍ର ଜଙ୍ଗଲମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ : ସମ୍ବଲପୁର ଚିଡ଼ିଆଖାନାର ସମ୍ପ୍ରସାରଣ ହେଉ

 ଭୁବନେଶ୍ୱର : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଭେଟି ‘ନଗର ବନ ଯୋଜନା’(ଏନଭିୱାଇ) ଅଧୀନରେ ରାଜ୍ୟର ଗ୍ରୀଷ୍ମ ପ୍ରଭାବିତ ଅଞ୍ଚଳକୁ ବିକଶିତ କରିବା ପାଇଁ ଅନୁରୋଧ କରିଛନ୍ତି । ଶିଳ୍ପାଞ୍ଚଳ ସମ୍ବଲପୁର-ଝାରସୁଗୁଡ଼ା-ବ୍ରଜରାଜନଗର ଏବଂ କୋଇଲା ଖଣି ଅଞ୍ଚଳ ଅନୁଗୋଳ-ଢେଙ୍କାନାଳ ତଥା ଗ୍ରୀଷ୍ମ ପ୍ରଭାବିତ ଅଞ୍ଚଳ ଟିଟିଲାଗଡ଼ ଓ ବଲାଙ୍ଗୀରର ବିକଶିତ ପାଇଁ ଧର୍ମେନ୍ଦ୍ର ଅନୁରୋଧ କରିବା ସହ ସମ୍ବଲପୁର ଚିଡ଼ିଆଖାନାର ସମ୍ପ୍ରସାରଣ ଏବଂ ଡେବ୍ରିଗଡ଼ ଅଭୟାରଣ୍ୟକୁ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳରେ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ । ଶ୍ରୀ ପ୍ରଧାନ ଏ ସମ୍ପର୍କିତ ଦୁଇଟି ପୃଥକ ପତ୍ର ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।  
ଆସନ୍ତା ୫ ଜୁନ୍ ବିଶ୍ୱ ପରିବେଶ ଦିବସର ପୂର୍ବ ଦିନ ବୃକ୍ଷରୋପଣ ଏବଂ ପରିବେଶ ଶିକ୍ଷାରେ ସମ୍ପ୍ରଦାୟର ଅଧିକ ଯୋଗଦାନ ପାଇଁ ଏକ ବିଶାଳ ସଚେତନତା ଅଭିଯାନ ଲାଗି ଶ୍ରୀ ପ୍ରଧାନ ଚିଠି ଯୋଗେ ପ୍ରସ୍ତାବ ଦେଇଛନ୍ତି । ଏହି ପଦକ୍ଷେପ ଉପରୋକ୍ତ ସମ୍ବଲପୁର-ଝାରସୁଗୁଡ଼ା-ବ୍ରଜରାଜନଗର ଏବଂ ଅନୁଗୋଳ-ଢେଙ୍କାନାଳ ଏବଂ ଟିଟିଲାଗଡ଼ ଓ ବଲାଙ୍ଗୀର ଅଞ୍ଚଳରେ ନଗର ବନ ଯୋଜନାର ବ୍ୟାପକ କାର୍ଯ୍ୟାନ୍ୱୟନ ପାଇଁ ଏକ ଉତ୍ପ୍ରେରକ ଭାବରେ କାର୍ଯ୍ୟ କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହାବ୍ୟତୀତ ଆଉ ଏକ ପୃଥକ ପତ୍ରରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ସମ୍ବଲପୁର ଚିଡ଼ିଆଖାନାକୁ କେନ୍ଦ୍ର ପକ୍ଷରୁ ‘ସମ୍ବଲପୁର ଚିଡ଼ିଆଖାନା ଏବଂ ସଂରକ୍ଷଣ କେନ୍ଦ୍ର’ ରୂପେ ଘୋଷଣା କରାଯାଇଥିବା ବେଳେ ଏଠାରେ ନୂଆ ପ୍ରଜାତିର ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୨୦୨୨ରେ, ପ୍ରାଣୀ ଉଦ୍ୟାନ ମୂଲ୍ୟାଙ୍କନ କମିଟି ସମ୍ବଲପୁର ଚିଡ଼ିଆଖାନାକୁ "ମଧ୍ୟମ ଚିଡ଼ିଆଖାନା’ ବର୍ଗରେ ଉନ୍ନୀତ କରିବାକୁ ସୁପାରିଶ କରିଥିଲା । ଏଣୁ ଏହି ଚିଡ଼ିଆଖାନାର ସମ୍ପ୍ରସାରଣ ହେବା ଦ୍ୱାରା ନୂତନ ପ୍ରଜାତିର ପ୍ରାଣୀ ଆସିପାରିବେ ଏବଂ ଶିକ୍ଷାଗତ ଏବଂ ଗବେଷଣା ସୁବିଧାର ବିକାଶ ସହଜ ହେବ ବୋଲି ଉଲ୍ଲେଖ କରିଛନ୍ତି । ଏହି ବିକାଶଗୁଡ଼ିକୁ ଦୃଷ୍ଟିରେ ରଖି, ସମ୍ବଲପୁର ଚିଡ଼ିଆଖାନାର ପ୍ରସ୍ତାବିତ ସମ୍ପ୍ରସାରଣ ଏବଂ ଉନ୍ନତିକରଣକୁ ସହଜ କରିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ ।