ଆବାସ ତାଲିକାରେ ଦୁର୍ନୀତି

ଖଣ୍ଡପଡ଼ାରୁ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର : ଖଣ୍ଡପଡ଼ା ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇବା ନିମନ୍ତେ ୧୦୨ ଜଣ ହିତାଧିକାରୀଙ୍କ ନାମ ତାଲିକା ପ୍ରକାଶ ପାଇଛି । ସଦ୍ୟ ପ୍ରକାଶିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ତାଲିକାରେ ବିଶିଷ୍ଟ ବ୍ୟବସାୟୀ ଓ ଧନୀ ଶ୍ରେଣୀର ବ୍ୟକ୍ତି ବିମ୍ବାଧର ଦାଶ, ରବିନ୍ଦ୍ର ସାହୁ, ପ୍ରଫୁଲ୍ଲ ବାରିକଙ୍କ ସମେତ  କୋଠାବାଡି ଥିବା ସୁମିତ୍ରା ସାହୁଙ୍କ ପରି ଅନେକ ଥିଲାବାଲାଙ୍କ ନାମ ପ୍ରକାଶ ପାଇଛି । ଏପରିକି ୩ ମହଲା କୋଠାବାଡି, ଲକ୍ଷ ଲକ୍ଷ ଟଙ୍କା ବ୍ୟାଙ୍କ ବାଲାନ୍ସ ଥିବା ଲୋକଙ୍କ ନାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ତାଲିକାରେ ସ୍ଥାନିତ ହୋଇଥିବାରୁ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେହିପରି ଗୋଟିଏ ଗୋଟିଏ  ପରିବାରର ୨ ଭାଇଙ୍କୁ ଆବାସ  ଯୋଜନାରେ ସାମିଲ କରାଯାଇଥିବା ପ୍ରକାଶିତ ହିତାଧିକାରୀଙ୍କ ତାଲିକାରୁ ଜଣାପଡିଛ । ଅପରପକ୍ଷେ ଖଣ୍ଡପଡ଼ା ସହରର ୧୩ ଟି ଯାକ ୱାର୍ଡରେ ଆବାସ ଯୋଜନାରେ ଗୃହ ପାଇବାକୁ ହକଦାର ଥିବା ଅନେକ ବ୍ୟକ୍ତିଙ୍କ ନାମ ପ୍ରକାଶିତ ତାଲିକାରୁ ବାଦ ପଡିଥିବା ସାଧାରଣରେ ଆଲୋଚନା ହେଉଛି । ପ୍ରଶ୍ନ ଉଠେ କେଉଁ ଆଧାରରେ ତକ୍ରାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟକାଳ ସମୟରେ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଚୟନ କରାଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ତାଲିକାରେ ସ୍ଥାନିତ କରାଗଲା ସେ ସମ୍ପକରେ ଉଚ୍ଚସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିମନ୍ତେ  ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି । ତେବେ ଏ ସମ୍ପକରେ ଏନ୍ଏସି କାର୍ଯନିର୍ବାହୀ ଅଧିକାରୀ ଅଭିଷେକ ମିଶ୍ରଙ୍କୁ ପଚାରିବାରେ ପ୍ରକାଶିତ ହିତାଧିକାରୀଙ୍କ ତାଲିକାରୁ ଖୁବଶୀଘ୍ର ଅଯୋଗ୍ୟ ବ୍ୟକ୍ତି ବିଶେଷଙ୍କୁ ବାଦ ଦିଆଯାଇ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କ ନାମ ତାଲିକାଭୁକ୍ତ କରାଯିବ ବୋଲି ସେ କହିଛନ୍ତି ।