ଜଷ୍ଟିସ ସଙ୍ଗମ ସାହୁ ହେବେ ପାଟଣା ହାଇକୋର୍ଟ ମୁଖ୍ୟ ବିଚାରପତି

ଜଷ୍ଟିସ ସଙ୍ଗମ ସାହୁ ହେବେ ପାଟଣା ହାଇକୋର୍ଟ ମୁଖ୍ୟ ବିଚାରପତି

୬ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନାମ ସୁପାରିଶ୍‌ କଲେ ସୁପ୍ରିମକୋର୍ଟ କଲେଜିୟମ୍‌


ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଂଗମ କୁମାର ସାହୁ ପାଟଣା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ । ସୁପ୍ରିମକୋର୍ଟ କଲେଜିୟମ୍‌ ତାଙ୍କ ନାମ ସୁପାରିଶ କରିଛନ୍ତି । ତାଙ୍କ ବ୍ୟତୀତ ଆଉ ୪ ବିଚାରପତିଙ୍କୁ ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ନାମ ସୁପାରିଶ୍‌ କରାଯାଇଛି । ଜଷ୍ଟିସ୍‌ ସାହୁ କଟକ ଲ’ କଲେଜରୁ ଏଲଏଲବି କରିବା ପରେ ଓଡ଼ିଶା ହାଇକୋର୍ଟର ଆଡ଼ଭୋକେଟ୍‌ ଥିଲେ । ୨୦୧୪ ଜୁଲାଇ ୨ରେ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ହୋଇଥିଲେ ।


   ଡିସେମ୍ବର ୧୮ରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଗୁରୁତ୍ୱପୂର୍ଣ୍ଣ ସୁପାରିଶ୍‌ କରାଯାଇଛି । କଲେଜିୟମଙ୍କ ନିଷ୍ପତ୍ତି ଅନୁଯାୟୀ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ମନୋଜ କୁମାର ଗୁପ୍ତାଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି କରିବାକୁ ସୁପାରିଶ୍‌ କରାଯାଇଛି । ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ରେବତୀ ପି.ମୋହିତେ ଡେରେଙ୍କୁ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ, ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏମଏସ ସୋନାକଙ୍କୁ ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ, କେରଳ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏ.ମହମ୍ମଦ ମୁସ୍ତାକଙ୍କୁ ସିକ୍କିମ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ କଲେଜିୟମ ସୁପାରିଶ୍‌ କରିଛନ୍ତି । ସେହିପରି ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସୌମେନ ସେନଙ୍କୁ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ଦେବାକୁ ସୁପାରିଶ ହୋଇଛି ।