ଅତିଥି ଅଧ୍ୟାପିକାଙ୍କ ହତ୍ୟାକାଣ୍ଡ ଘଟଣା, ଫାଶୀ ଦଣ୍ଡ ଦାବି

ଅତିଥି ଅଧ୍ୟାପିକାଙ୍କ ହତ୍ୟାକାଣ୍ଡ ଘଟଣା, ଫାଶୀ ଦଣ୍ଡ ଦାବି

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମାଇନିଂରୋଡ ସ୍ଥିତ ନିର୍ମଳା କନଭେଣ୍ଟ ସ୍କୁଲ ନିକଟରେ ଏକ ଘରେ କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ଅତିଥି ଅଧ୍ୟାପିକାଙ୍କ ହତ୍ୟାକାଣ୍ଡ ଘଟଣାରେ ପୁଲିସ ଆଜି ଅଭିଯୁକ୍ତ ରୁଦ୍ରନାରାୟଣ ମିଶ୍ରଙ୍କୁ କୋର୍ଟ ଚାଲାଣ କରିଛି । ମୃତା ଅଧ୍ୟାପିକା ପ୍ରିୟଙ୍କା ଦାଶ(୨୫)ଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମୃତ ଦେହର ବେକ ଏବଂ ଛାତିରେ କ୍ଷତ ଚିହ୍ନ ଥିବାବେଳେ ପାଦରେ ବନ୍ଧା ଚିହ୍ନ ରହିଥିବା ଦେଖିବାକୁ ମିଳିଥିଲା ବୋଲି ତାଙ୍କ ଦାଦା ହେମେନ୍ଦ୍ର ପ୍ରସାଦ ଦାଶ କହିଛନ୍ତି । ଏଣୁ ତାଙ୍କ ଝିଆରୀକୁ ରୁଦ୍ର ନାରାୟଣ ମିଶ୍ର ହତ୍ୟା କରିଥିବା ପ୍ରକାଶ କରିବା ସହ ତାକୁ ଫାଶି ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି ।

  ସେହିପରି ୧୫ ଦିନ ତଳେ ରୁଦ୍ର ନାରାୟଣ ମିଶ୍ର ଫୋନ କରି ଅଧ୍ୟାପିକାଙ୍କୁ ବିବାହ କରିବା ପାଇଁ ପରିବାର ଲୋକଙ୍କୁ ପ୍ରସ୍ତାବ ଦେଇଥିଲେ । ତେବେ ବୟସ ବ୍ୟବଧାନ ଥିବାରୁ ଅଧ୍ୟାପିକା ରାଜି ହେଉନଥିବାରୁ ତାକୁ ମନାଇବା ପାଇଁ କହିଥିଲେ । ସେ ନିଷ୍ପତ୍ତି ତାଙ୍କ ନିଜର ଆମେ କିଛି କରି ପାରିପାରିବୁ ନାହିଁ ବୋଲି କହିବାରୁ ବିବାହ ନ କଲେ ମାରି ଦେବାକୁ ରୁଦ୍ର ମିଶ୍ର ଧମକ ଦେଇଥିଲେ । ଅନ୍ୟପକ୍ଷରେ ଏସ୍‌ଡିପିଓ ସୁଦର୍ଶନ ଗାଗୋଇ କହିଛନ୍ତି ଯେ, ଉଭୟ ପ୍ରାୟ ୧ ବର୍ଷ ଲିଭ ଇନ ରିଲେସନରେ ଏକାଠି ରହୁଥିଲେ । ତାଙ୍କ ପରିବାର ଲୋକ ହତ୍ୟା କରିଥିବା ନେଇ ଏତଲା ଦେବା ପରେ ଅଭିଯୁକ୍ତ ରୁଦ୍ର ନାରାୟଣ ମିଶ୍ରଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଘଟଣାର ତଦନ୍ତ ଚାଲିଥିବାବେଳେ ଆଜି ଏକାଧିକ ଡାକ୍ତରଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ ସୂଚନା ମିଳିପାରିବ । ଏଠାରେ ସୂଚନାଯୋଗ୍ୟ ଯେ, ରୁଦ୍ରନାରାୟଣ ମିଶ୍ର କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର କୋଷାଧ୍ୟକ୍ଷ ଅଛନ୍ତି । ତାଙ୍କର ନିଜ ଘର ପୁରୁଣା ସହରରେ ହୋଇଥିବାବେଳେ ସେ ଗତ କିଛି ବର୍ଷ ହେବ ନିର୍ମଳା କନଭେଣ୍ଟ ସ୍କୁଲ ନିକଟରେ ଏକୁଟିଆ ଅନ୍ୟ ଏକ ଘରେ ରହୁଥିଲେ । ଅତିଥି ଅଧ୍ୟାପିକା ଜଣକ ଉକ୍ତ ଘରେ କିଛି ମାସ ହେବ ରହୁଥିଲେ ।