ରାଣୀତାଲ-ଭଦ୍ରକ ମଧ୍ୟରେ ହେବ ୪ର୍ଥ ରେଳ ଲାଇନ
ଭୁବନେଶ୍ୱର: ଓଡ଼ିଶାରେ ରେଳ ଭିତ୍ତିଭୂମି ବୃଦ୍ଧି କରିବା ଦିଗରେ ଆଉ ଦୃଢ଼ ପଦକ୍ଷେପ ନେଇଛି ରେଳ ବିଭାଗ । ୧୪୯.୩୨ କୋଟି ମୂଲ୍ୟରେ ରାଣିତାଲ ଲିଙ୍କ କ୍ୟାବିନ୍ ଏବଂ ଭଦ୍ରକ ଷ୍ଟେସନ (୫.୦୬ କିଲୋମିଟର) ମଧ୍ୟରେ ଚତୁର୍ଥ ଲାଇନକୁ ମଞ୍ଜୁର କରିଛି ରେଳ ମନ୍ତ୍ରଣାଳୟ । ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହାଓଡ଼ା-ଚେନ୍ନାଇ ମୁଖ୍ୟ ଲାଇନ ସହିତ ଟ୍ରେନ ପରିଚାଳନାର କ୍ଷମତା ଏବଂ ଦକ୍ଷତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ । ଧାମରା ଏବଂ ପାରାଦୀପ ବନ୍ଦରକୁ ମାଲ ପରିବହନ ସଂଯୋଗକୁ ଉନ୍ନତ କରିବ ।
ନୂତନ ଭାବରେ ମଞ୍ଜୁର ହୋଇଥିବା ଚତୁର୍ଥ ଲାଇନଟି ମୁଖ୍ୟ ଲାଇନରୁ ବନ୍ଦର ଅଭିମୁଖୀ ମାଲ ପରିବହନକୁ ପୃଥକ କରି କରିଡରକୁ ଭିଡ଼ କମ କରିବାରେ ସାହାଯ୍ୟ କରିବ । ଯାତ୍ରୀ ଏବଂ ମେଲ୍/ଏକ୍ସପ୍ରେସ୍ ଟ୍ରେନ ଉଭୟ ପାଇଁ ଦ୍ରୁତ ଏବଂ ଅଧିକ ସମୟାନୁବର୍ତ୍ତୀ ପରିଚାଳନା ସୁନିଶ୍ଚିତ କରିବ । ଏତଦବ୍ୟତୀତ ଏହା ଖଡ଼ଗପୁରରୁ ଭୁବନେଶ୍ୱର ମଧ୍ୟରେ ଅଧିକ କୋଚିଂ ଟ୍ରେନ୍ର ସୁଗମ ଚଳାଚଳକୁ ମଧ୍ୟ ପ୍ରୋତ୍ସାହିତ କରିବ । ଏହି ପଦକ୍ଷେପ ପୂର୍ବତଟ ରେଳପଥର ଭିତ୍ତିଭୂମିକର ଆଧୁନିକୀକରଣ କରିବା ଏବଂ ଓଡ଼ିଶାର ଲୋକଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ରେଳ ନେଟୱାର୍କ ସୃଷ୍ଟି କରିବାର ନିରନ୍ତର ମିଶନର ଏକ ଅଂଶ ।