ଜାତୀୟ ଆତଙ୍କବାଦ ନିରୋଧୀ ଦିବସ ପାଳିତ

ଭୁବନେଶ୍ୱର  :  ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଥିବା ଆଦିବାସୀ ପଲ୍ଲୀ କନ୍ଦଳେଇ ଠାରେ ଜାତୀୟ ଆତଙ୍କବାଦ ନିରୋଧୀ ଦିବସ ପାଳନ ଅବସରରେ ଏକ ଜନଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ପଲ୍ଲୀର ବିଦ୍ୟାର୍ଥୀମାନେ ଏକତି୍ରତ ହୋଇ ହାତରେ ତି୍ରରଙ୍ଗା ଧରି “ଭାରତ ମାତା କି .ଜୟ”, “ସ୍ୱାଧୀନ ଭାରତ କି . ଜୟ”ର ନାରା ଦେଇଥିଲେ  । ବିଶ୍ୱରୁ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ଗ୍ରାମବାସୀମାନେ ସଂକଳ୍ପ ନେଇଥିଲେ  । ଚିତ୍ରଶିକ୍ଷା ଅନୁଷ୍ଠାନ ‘ଚିତ୍ରଶାଳା’ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସୁଶାନ୍ତ ସାହୁ ଯୋଗଦେଇ କହିଥିଲେ ଆତଙ୍କବାଦ ଦେଶର ଏକତା ଏବଂ ଶାନ୍ତି ପାଇଁ ବଡ଼ ବିପଦ  । ଆତଙ୍କବାଦ କାର୍ଯ୍ୟକଳାପରୁ ଯୁବବର୍ଗ ଦୂରେଇ ରହିବା ଆବଶ୍ୟକ  । ମାନବ ଜୀବନ ଓ ମୂଲ୍ୟବୋଧ ପ୍ରତି ବିପଦ ସୃଷ୍ଟି କରୁଥିବା ଆତଙ୍କବାଦୀଙ୍କ ବିରୋଧରେ ଏକଜୁଟ୍ ହୋଇ ସେମାନଙ୍କ ସହ ସଂଗ୍ରାମ କରିବା ପାଇଁ ସାହୁ ଆହ୍ୱାନ ଦେଇଥିଲେ  । କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ରାଜେଶ କୁମାର ମିଶ୍ର ଏବଂ ଗ୍ରାମବାସୀମାନେ ପରିଚାଳନାରେ ସହଯୋଗ କରିଥିଲେ  ।