ତୁଟିଗଲାଣି ଅର୍ଦ୍ଧାଧିକ ସୀମା ବିବାଦ : ମୁଣ୍ଡବ୍ୟଥା ବଢାଉଛି କୋଟିଆ

ତୁଟିଗଲାଣି ଅର୍ଦ୍ଧାଧିକ ସୀମା ବିବାଦ : ମୁଣ୍ଡବ୍ୟଥା ବଢାଉଛି କୋଟିଆ

ଭୁବନେଶ୍ୱର : ଦଶନ୍ଧି ଦଶନ୍ଧି ଧରି ପଡ଼ି ରହିଥିବା ଅର୍ଦ୍ଧାଧିକ ସୀମା ବିବାଦ ତୁଟିଯାଇଛି । ହେଲେ କୋଟିଆ ବିବାଦ କିନ୍ତୁ ତୁଟିବାର ନାଁ ଧରୁନାହିଁ । ସେପଟେ ପଶ୍ଚିମବଙ୍ଗ ପଦକ୍ଷେପ ନେଉନଥିବାରୁ କିଛି ଗାଁକୁ ନେଇ ଏବେବି ବିବାଦ ଲାଗିରହିଛି । କୋରାପୁଟ ପଟାଙ୍ଗୀର ଡୋଲିଆମ୍ବା, ମଡ଼କାରୁ, କୋଟିଆ, ଉପରସେମ୍ବି, ଗଞ୍ଜେଇପଦର, ସିଡ଼ିଭାଲସା, ଧୂଳିପଦର, ରଣଶିଙ୍ଗୀ, ମହିପାଣି, ଫାଟୁସିନେରୀ, ପୁଗୁଲୁଚେନାରୁ, ପର୍ନିକି, ହରମନଡାଙ୍ଗୀ, ତାଡ଼ିଭାଲସା, ସୋଲପଗୁଡ଼ା, କୋନାଡେରା, ବର୍ନାଗୁଡ଼ା, ଅର୍ଯୁଭାଲସା, ନରେଡ଼ାଭାଲସା, ସିମଗେଡ଼ା, ତଳସେମ୍ବିକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଲାଗିରହିଛି । ଏନେଇ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ସେଠାକାର ଲୋକମାନେ ଉଭୟ ରାଜ୍ୟର ପଞ୍ଚାୟତ ନିର୍ବାଚନରେ ଭାଗ ନେଉଛନ୍ତି । ଏମିତିକି ଦୁଇ ରାଜ୍ୟ କୋଟିଆ ପାଇଁ ଦେଉଥିବା ସ୍ୱତନ୍ତ୍ର ଅନୁଦାନ, ଆର୍ଥିକ ପ୍ରୋତ୍ସାହନ ମଧ୍ୟ ସେମାନେ ପାଉଛନ୍ତି । ତେବେ କୋଟିଆକୁ ନେଇ ଅନେକବାର ଉଭୟ ରାଜ୍ୟର ପ୍ରଶାସକ ଓ ରାଜନେତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟିହୋଇଛି । ଅପରପକ୍ଷରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଚେରିଗୁଡ଼ିଖାସ୍ପା ଓ କାଶୀନଗରର ଭେଙ୍କଟପୁରକୁ ନେଇ ବି ଆନ୍ଧ୍ର ସହ ବିବାଦ ରହିଛି । ଏହି ବିବାଦ ଖୁବଶୀଘ୍ର ସମାପ୍ତ ହେବବୋଲି ଉଭୟ ରାଜ୍ୟର ଅଧିକାରୀମାନେ ଆଶା ପ୍ରକାଶ କରିଛନ୍ତି ।

       ମୟୂରଭଞ୍ଜ ସୀମାନ୍ତର ପ୍ରାୟ ୮ଟି ଗାଁକୁ ନେଇ ଏବେବି ପଶ୍ଚିମବଙ୍ଗ ସହ ଓଡ଼ିଶାର ବିବାଦ ଲାଗିରହିଛି । ମୟୂରଭଞ୍ଜର ହାତୀବାରି, କଖାରୁଶୁଳ, ଭୁଗୁଡ଼ାକଟା, ହାଣ୍ଡିଭଙ୍ଗା ଗାଁର ସୀମା ବିବାଦ ତୁଟାଇବାକୁ ୧୯୯୮ରୁ ଓଡ଼ିଶା ସରକାର ରେକଡର଼୍ ଓ ନକ୍ସା ପଶ୍ଚିମବଙ୍ଗର ମେଦିନାପୁର ପ୍ରଶାସନକୁ ପଠାଯାଇଥିଲେବି ସେମାନେ ରେକଡର଼୍ କିମ୍ବା ନକ୍ସା ଫେରସ୍ତ କରିନାହାନ୍ତି । ରାଜ୍ୟ ସରକାର ବାରମ୍ବାର ପତ୍ର ଲେଖୁଥିଲେବି ସେମାନେ ଏହାର ଉତ୍ତର ମଧ୍ୟ ଦେଉନାହାନ୍ତି । ସେହିପରି ପୁରୁଣାପାଣି, ବାଙ୍କଅଁଳା, ଭୁରୁଷାଣୀ ଓ ନୁହାମାଳିଆ ରାଜ୍ୟ ସରକାରଙ୍କର ବିଚାରାଧୀନ ରହିଛି । ଏତବ୍ୟତୀତ ମୟୂରଭଞ୍ଜର ନେଡ଼ା ଓ ନୂଅଗାଁକୁ ନେଇ ଝାଡ଼ଖଣ୍ଡ ସହ ସୀମା ବିବାଦ ଅଛି । ଏନେଇ ବହୁବାର ପଦକ୍ଷେପ ନିଆଯାଇଥିଲେବି ଝାଡ଼ଖଣ୍ଡ ଆଗ୍ରହ ପ୍ରକାଶ କରୁନଥିବାରୁ ତାହା ତୁଟିପାରୁନାହିଁ ।