ଭଡ଼ାରେ ଲାଗିବ ସରକାରୀ ଜମି
ଭୁବନେଶ୍ୱର: ସରାକାରୀ ଜମି ଏବେ ଭଡାରେ ଲାଗିବ । ବର୍ଷବର୍ଷ ଧରି ବ୍ୟବହାର ନହୋଇ ପଡି ରହିଥିବା ସରକାରୀ ଜମି ଭଡାରେ ଲାଗିବ । ରାଜଧାନୀ ଭୁବନେଶ୍ୱରରେ ଥିବା ସରକାରୀ ଜମିଗୁଡିକର ମଧ୍ୟ ସଦୁପଯୋଗ କରାଯିବ । ଜିଲ୍ଲାଠୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଖାଲି ପଡିଥିବା ପ୍ରମୁଖ ସରକାରୀ ଜମି ଓ କୋଠାଗୁଡିକର ଉପଯୋଗ କରି ସେଥିରୁ ଅର୍ଥ ଉପାର୍ଜନ କରାଯିବ । ଏପରିକି ବିଭିନ୍ନ ସରକାରୀ ବିଭାଗ ଦ୍ୱାରା ନିଆଯାଇଥିବା ବୃହତ୍ ଜମି ଓ ନିର୍ମିତ କୋଠା ଯଦି କାର୍ଯ୍ୟରେ ଲାଗୁ ନଥିବ ସେସବୁକୁ ମଧ୍ୟ ଯଥାର୍ଥ ଉପଯୋଗ କରି ଅର୍ଥ ଉପାର୍ଜନ କରାଯିବ । ଏଭଳି ଢଙ୍ଗରେ ବିଭିନ୍ନ ବିଭାଗର ସଚିବମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ସଚିବ ମନୋଜ ଆହୁଜା । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଅବ୍ୟବହୃତ ସରକାରୀ ଜମି ଓ କୋଠାଗୁଡିକର ସଦୁପଯୋଗ କରି ସେଥିରୁ ଅର୍ଥ ଉପାର୍ଜନ ନିମନ୍ତେ ଆବଶ୍ୟକ ଆନୁଷ୍ଠାନିକ କୌଶଳ ଆପଣାଇବା ନିମନ୍ତେ ମୁଖ୍ୟ ସଚିବ ଶ୍ରୀ ଆହୁଜା ପରାମର୍ଶ ଦେଇଛନ୍ତି । ନିଜ ବିଭାଗ ଅଧୀନରେ ଥିବା ବୃହତ୍ କୋଠା ଅବା ଜମିକୁ ଚିହ୍ନଟ କରିବାକୁ ମୁଖ୍ୟ ସଚିବ ଶ୍ରୀ ଆହୁଜା ପରାମର୍ଶ ଦେଇଛନ୍ତି । ବିଶେଷକରି ଜିଲ୍ଲାଗୁଡିକରେ ଥିବା ଆଦିବାସୀ ସଂଗ୍ରହାଳୟ, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମନ୍ୱିତ ଭିତ୍ତିଭୂମି କମ୍ପେକ୍ସ(ଆଇଆଇସି)ଗୁଡିକ ଉଦ୍ଦିଷ୍ଟ କାର୍ଯ୍ୟରେ ଉପଯୋଗ ହେଉନାହିଁ । ତେଣୁ ସମ୍ପୃକ୍ତ ବିଭାଗଗୁଡଇକ ଏସବୁ ସରକାରୀ ସମ୍ପତ୍ତିର ସଦୁପଯୋଗ କରି ଅର୍ଥ ଉପାର୍ଜନ ନିମନ୍ତେ ଆବଶ୍ୟକ ପିପିପି ମଡେଲ ସମେତ ଯଥାର୍ଥ ଆବଶ୍ୟକ କୌଶଳ ଆପଣାଇବାକୁ ମୁଖ୍ୟ ସଚିବ କହିଛନ୍ତି ।