୧୬ଦିନପରେ ବିଦେଶରୁ ଫେରିଲା ଶବ

 ବାଣପୁର : ରୋଜଗାର କରି ପରିବାରକୁ ଭଲରେ ରଖିବା ଆଶାରେ ଆରବ ଦେଶର ଆବୁଧାବି ଯାଇଥିବା ଶ୍ରମିକର ମୃତଦେହ ୧୬ଦିନ ପରେ ଶନିବାର ରାତ୍ରରେ ନିଜ ଗାଁ ବାଣପୁର ବ୍ଲକ୍ କୁମାରଙ୍ଗ ପଞ୍ଚାୟତ ଦୁଲଣି ଗ୍ରାମରେ ପହଂଚିଛି । ମୃତଦେହ ଗ୍ରାମରେ ପହଂଚିବା ପରେ ଶୋକର ଛାୟା ଖେଳି ଯାଇଥିଲା । ଦୁଲଣି ଗ୍ରାମର ଲକ୍ଷ୍ମଣ ପ୍ରଧାନ ୭ବର୍ଷ ହେଲା ଆବୁଧାବିରେ ଏକ କମ୍ପାନୀରେ ରାଜ ମିସ୍ତ୍ରୀ ଭାବରେ କାମ କରୁଥିଲେ । ମାର୍ଚ୍ଚ ମାସ୧୪ତାରିଖରେ ତାଙ୍କ ଦେହ ଖରାପ ହେବାରୁ ସେଠାରେ ଏକ ହସ୍ପିଟାଲରେ ଚିକିତ୍ସା ହେଉଥବା ବେଳେ, ୨୧ତାରିଖରେ ତାଙ୍କର ମୃତୁ୍ୟ ହୋଇଯାଇଥିବା କମ୍ପାନୀ ପକ୍ଷରୁ ଫୋନ ଆସିଥିଲା । ଫଳରେ ଲକ୍ଷ୍ମଣଙ୍କ ଅକାଳ ବିୟୋରେ ପରିବାର ଲୋକ ଭାଙ୍ଗି ପଡିଥଲେ । ମୃତଦେହ ଗ୍ରାମକୁ ଆଣିବା ପାଇଁ ବାସନ୍ତୀ କମ୍ପାନୀକୁ ଅନୁରୋଧ କରିଥିଲେ । କୌଣସି ଫଳ ନ ମିଳିବାରୁ ସେ ପ୍ରଶାସନ ଓ ରାଜନେତାଙ୍କୁ ଅନୁରୋଧ କରି ବି ବିଫଳ ହୋଇଥିଲେ । ସ୍ଥାନୀୟ ଚମ୍ପଦେଇପୁର ଗ୍ରାମର ଯୁବ ସମାଜ ସେବୀ ବାବୁଲି ସାହୁ ଆବୁଧାବିରେ ଥିବା ଭାରତୀୟ ଦୁତାବାସ ଅଧିକାରୀ ଏ ଅମରନାଥ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ ବିକ୍ରମ ମିଶ୍ର ଓ କମ୍ପାନୀର ମାନବ ସମ୍ବଳ ଅଧିକାରୀ ଉଇଲିୟମ ଜଜ୍ଙ୍କ ସହ ଯୋଗାଯୋଗ କରି ମୃତଦେହ ଫେରାଇ ଆଣିବା ପାଇଁ ଉଦ୍ୟମ କରିବା ପରେ ଶବ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଛି । ଗ୍ରାମ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ ହୋଇଥିଲା ।