ନାବାଳିକା ଅସଦାଚରଣ ମାମଲା : ଦୋଷୀକୁ ୫ବର୍ଷ ଜେଲ୍

 ସମ୍ବଲପୁର : ସମ୍ବଲପୁର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଅଭିଳାଶ ସେନାପତି ଏକ ନାବାଳିକା ଅସଦାଚରଣ ମାମଲାର ବିଚାର କରି ରାୟ ପ୍ରଦାନ କରିଛନ୍ତି । ଦୋଷୀ ତରଣୀସେନ ବେହେରାଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୨୦ହଜାର ଟଙ୍କା ଜୋରିମାନା କରିଥିବା ବେଳେ ଅର୍ଥ  ଅନାଦେୟ ଦେଲେ ଅଧିକ ୧ବର୍ଷ ଦଣ୍ଡାଦେଶ ରହିଛି । ସୂଚନାଯୋଗ୍ୟ, ସମ୍ବଲପୁର ସିଟି ଷ୍ଟେସନ ନିକଟ ଝାଙ୍କରପଡାର ଏକ ମୋଟର ଗ୍ୟାରେଜ୍ରେ ମିସ୍ତ୍ରୀ ଭାବେ ଅଭିଯୋଗକାରୀ କାମ କରୁଥିଲେ । ଗତ ୨୫ନଭେମ୍ବର, ୨୦୧୭ଦିନ ଅଭିଯୋଗକାରୀଙ୍କ ୬ବର୍ଷିୟା ନାବାଳିକା ଝିଅ ଗ୍ୟାରେଜ ନିକଟ ବରଗଛ ନିକଟରେ ଖେଳୁଥିଲା । ଏହି ସମୟରେ ଅଭିଯୁକ୍ତ ତରଣୀସେନ ବେହେରା ନିଜ ଗାଡି ମରାମତି କରିବାକୁ ଗ୍ୟାରେଜକୁ ଆସିଥିଲା । ନାବାଳିକାକୁ ଏକାକି ପାଇ ଚକୋଲେଟ୍ ଆଦି ଦେବା ସହ କିଛି ଦୂରକୁ ନେଇ ଯାଇଥିଲା । ସେଠାରେ ନାବାଳିକାକୁ ବଳପୂର୍ବକ ଅସଦାଚରଣ କରିଥିଲା । ନାବାଳିକା ଝିଅକୁ ନପାଇ ବାପା ଖୋଜାଖୋଜି କରିଥିଲେ । ଏହି ସମୟରେ ନାବାଳିକା କାନ୍ଦିକାନ୍ଦି ଆସିଥିଲା । ବାପାକୁ ଘଟଣା ସମ୍ପର୍କରେ କହିଥିଲା । ଏହା ଜଣାପଡିବା ପରେ ପୀଡିତାର ବାପା ଓ ଅନ୍ୟ ମାନେ ଅଭିଯୁକ୍ତକୁ ଧରି ପୋଲିସକୁ ଖବର ଦେଇଥିଲେ । ଏନେଇ ଅଭିଯୋଗ ପରେ ଧନୁପାଲି ପୋଲିସ ୩୬୪/୧୭ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା । ପରେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ୨୮୬/୧୭ରେ ଏହି ମାମଲାର ବିଚାର ହୋଇଥିଲା ।୧୭ଜଣ ସାକ୍ଷ୍ୟ ବୟାନକୁ ଭିତ୍ତି କରି କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି । ଏହି ମାମଲାକୁ ସ୍ୱତନ୍ତ୍ର ପିପି ସନ୍ତୋଷ କୁମାର ପଣ୍ଡା ପରିଚାଳନା କରିଥିଲେ ।