ଏମ୍ସିଏଲ୍ ପକ୍ଷରୁ ୫ଶହ ଦିବ୍ୟାଙ୍ଗ ଜନଙ୍କୁ ଇ-ରିକ୍ସା ପ୍ରଦାନ
ସମ୍ବଲପୁର: ମହାନଦୀ କୋଇଲା କମ୍ପାନୀ ଏମ୍ସିଏଲ୍ ପକ୍ଷରୁ ସିଏସ୍ଆର୍ କାର୍ଯ୍ୟକ୍ରମ ଜରିଆରେ ସକ୍ଷମ ଯୋଜନାରେ ରାଜ୍ୟର ୩୦ଟି ଜିଲ୍ଲାର ପ୍ରାୟ ୫ଶହ ଜଣ ଦିବ୍ୟାଙ୍ଗଙ୍କ ପାଇଁ ଇ-ରିକ୍ସ ପ୍ରଦାନ କରାଯାଇଛି । ସ୍ଥାନୀୟ ମନ୍ଦଳିଆ ପଡ଼ିଆ ଠାରେ ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ମେଗା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଇ-ରିକ୍ସା ପ୍ରଦାନ କରିଥିଲେ । ଏଥିପାଇଁ ସେ ରାଜ୍ୟର ଭିନ୍ନକ୍ଷମମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏମ୍ସିଏଲ୍ର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ । କମ୍ପାନୀ ଏହି ଯୋଜନାରେ ସାଢ଼େ ସାତ କୋଟି ଟଙ୍କା ଖର୍ଚ୍ଚ କରିଛି । କାର୍ଯ୍ୟକ୍ରମରେ ଉପସ୍ଥିତ କମ୍ପାନୀର ସିଏମ୍ଡି ଉଦୟ ଅନନ୍ତ କାଓଲେ ଅର୍ନ୍ତଭୁକ୍ତିକୃତ ଅଭିବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିବା ସକାଶେ ଏମ୍ସିଏଲ୍ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କୋଇଲା ମନ୍ତ୍ରଣାଳୟ ସହିତ ଏହି ଗୁରୁତ୍ୱପୂର୍ଣ୍ଣ ମିଶନ୍ରେ ଅଂଶଗ୍ରହଣ କରି କମ୍ପାନୀ ଗୌରବାନ୍ୱିତ । ସେ ଦିଗ୍ଦର୍ଶନ ପାଇଁ କୋଇଲା ମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦିବ୍ୟାଙ୍ଗ ଜନଙ୍କୁ ଆଜୀବିକା, ସମ୍ମାନ ଏବଂ ମୋବିଲିଟିର ସୁଯୋଗ ଦେବା ପାଇଁ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ସକାଶେ ଏମ୍ସିଏଲ୍ର ସିଏସ୍ଆର୍ ଅନ୍ତର୍ଗତ ସକ୍ଷମ ଯୋଜନା ପ୍ରମାଣ ଅଟେ ବୋଲି କମ୍ପାନୀର ସିଏମ୍ଡି ଶ୍ରୀ କାଓଲେ କହିଛନ୍ତି । କାର୍ଯ୍ୟକ୍ରମରେ ଏମ୍ସିଏଲ୍ର କାର୍ମିକ ନିଦେ୍ର୍ଦଶକ କେଶବ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।