ଜିଡିପି ଛୁଇଁବ ୩.୬ଲକ୍ଷ କୋଟି
ନୂଆଦିଲ୍ଲୀ: ବିଗତ ଦଶନ୍ଧି ମଧ୍ୟରେ ଭାରତର ଜିଡିପି ଦୁଇଗୁଣା ବୃଦ୍ଧି ହୋଇଛି । ଏହି ହାରରେ ଦେଶର ଯଦି ଅଭିବୃଦ୍ଧି ଘଟେ, ତେବେ ଆଗାମୀ ୨୦୨୫ ସୁଦ୍ଧା ଦେଶର ଜିଡିପି ୩.୬ଲକ୍ଷ କୋଟିରେ ପହଞ୍ଚôବ । ଇଣ୍ଟରନାସନାଲ୍ ମନିଟାରୀ ଫଣ୍ଡ୍ (ଆଇଏମ୍ଏଫ) ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ ଏହା ସ୍ପଷ୍ଟ କରିଛି । ଆଇଏମଏଫ୍ ରିପୋର୍ଟ ଅନୁସାରେ ୨୦୧୫ରେ ଭାରତର ଜିଡିପି ୧.୮ ଲକ୍ଷ କୋଟି ଥିବା ବେଳେ ୨୦୨୫ ଶେଷ ସୁଦ୍ଧା ଏହା ୩.୬ ଲକ୍ଷ କୋଟି ଛୁଇଁବାର ବୃହତ ସମ୍ଭାବନା ରହିଛି । ଅର୍ଥାତ ବିଗତ ୧୦ ବର୍ଷ ମଧ୍ୟରେ ଭାରତର ଜିଡିପିରେ ଶତ ପ୍ରତିଶତ ଅଭିବୃଦ୍ଧି ଘଟିବ । ଦେଶର ଅର୍ଥନୀତି, ଜିଡିପି, ଅଭିବୃଦ୍ଧି, ମୁଦ୍ରାସ୍ପୀତି ଏବଂ ଅନ୍ୟାନ୍ୟ କ୍ଷେତ୍ରକୁ ନେଇ ଆଇଏମ୍ଏଫ୍ କରିଥିବା ଏକ ଅନୁଶୀଳନରୁ ସ୍ପଷ୍ଟ କରିଛି ଯେ, ଭାରତର ଅର୍ଥନୈତିକ ଅଭିବୃଦ୍ଧି ଯୋଗୁ ଏହା ସମ୍ଭବ ହୋଇପାରିଛି ।
ଆଇଏମ୍ଏଫ୍ ରିପୋର୍ଟ ଅନୁସାରେ ୨୦୨୫ରେ ଭାରତର ପ୍ରକୃତ ଜିଡିପି ହାର ୬.୫ ପ୍ରତିଶତ ରହିଥିବା ବେଳେ ଏହା ଦେଶର ସ୍ଥିର ଓ ସୁଦୃଢ଼ ବ୍ୟାପକ ଅର୍ଥନୀତିକୁ ଦର୍ଶାଉଛି । ଦେଶରେ ପଣ୍ୟ ଏବଂ ଘରୋଇ ଉତ୍ପାଦ ମୂଲ୍ୟ ବୃଦ୍ଧି ପ୍ରକୃତ ଜିଡିପି ବୃଦ୍ଧି ହୋଇଥିବା ବେଳେ ଏଥିଯୋଗୁ ଦେଶରେ ମୁଦ୍ରାସ୍ଫୀତିକୁ ମଧ୍ୟ ବ୍ୟବସ୍ଥିତ କରାଯାଇପାରିଛି । ସେହିପରି ମୁଦ୍ରାସ୍ଫୀତି ଉପରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଦେଶର ଆର୍ଥିକ ବ୍ୟବସ୍ଥାକୁ ପ୍ରଭାବିତ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏଣୁ ଆରବିଆଇ ଏହି ମୁଦ୍ରାସ୍ଫୀତିର ହାର ୪ରୁ ୬ପ୍ରତିଶତ ମଧ୍ୟରେ ରଖିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଆଇଏମ୍ଏଫ୍ ରିପୋର୍ଟ ଅନୁସାରେ ଭାରତର ମୁଦ୍ରାସ୍ଫୀତି ହାର ଆଶାଜନକ ଭାବେ ୪.୧ ପ୍ରତିଶତ ରହିଛି । ରିପୋର୍ଟ ଆକଳନ କରିଛି, ଦେଶରେ ମୁଣ୍ଡପିଛା ଜିଡିପି ୧୦,୨୩, ୭୦୯ ଟଙ୍କା ରହିଛି । ତେବେ ଏହି ମୁଣ୍ଡପିଛା ଜିଡିପି ମୋଟ ଅର୍ଥନୀତି ଆଧାରରେ ଜଣେ ନାଗରିକର ହାରାହାରି ଆୟ ଏବଂ ଜୀବନଧାରଣ ମାନକୁ ମଧ୍ୟ ଦର୍ଶାଇଥାଏ ।
ଆଇଏମଏଫ ଏହା ମଧ୍ୟ ଉଲ୍ଲେଖ କରିଛି ଯେ, କେନ୍ଦ୍ର ସରକାରଙ୍କ ଋଣ ବର୍ତ୍ତମାନ ଜିଡିପିର ୮୨.୬ ପ୍ରତିଶତ । ଯାହା ଭାରତର ଅର୍ଥନୈତିକ ଉତ୍ପାଦନ ତୁଳନାରେ ବହୁତ ଅଧିକ ଏବଂ ଅର୍ଥନୀତି କ୍ଷେତ୍ରରେ ଚ୍ୟାଲେଞ୍ଜିଂ ପରିସ୍ଥିତି ସୃଷ୍ଟି କରିପାରେ । ଅପରପକ୍ଷେ ଭାରତର "ମଜଭୁତ ଅର୍ଥନୈତିକ ସ୍ଥିରତା, ଜିଡିପିରେ ତୀବ୍ର ଅଭିବୃଦ୍ଧି, ସ୍ଥିର ଅଭିବୃଦ୍ଧି ଏବଂ ଆୟସ୍ତର ଉନ୍ନତି’ ଆଦି ଉପରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।