ଜିତିଗଲା ସ୍ୱାଭିମାନ


ପାରିବାରିକ ଜୀବନରେ କେବେ କେମିତି ପିତାମାତାମାନେ ନିଜ ପୁତ୍ର କନ୍ୟାମାନଙ୍କ ଜିଦ୍ ଆଗରେ ହାରିଯାଇ ଘୋର ମନସ୍ତାପରେ ଥିବା ବେଳେ ଆଉ କେତେକ କ୍ଷେତ୍ରରେ ପିତାମାତାମାନେ ହାରିଗଲେ ମଧ୍ୟ ମୁଣ୍ଡ ନୁଆଇଁ ଦିଅନ୍ତି ନାହିଁ । ବିଭିନ୍ନ ସମୟରେ ପାରିବାରିକ ବିବାଦର ସମାଧାନ କରିବାକୁ ଯାଇ ବିଭିନ୍ନ ଅଦାଲତ ବୃଦ୍ଧ ବୟସରେ ପିତାମାତାମାନଙ୍କ ସେବା ଓ ସହାୟତା ପୁଅ ଝିଅ ତଥା ବୋହୂମାନେ କରିବା ଉଚିତ୍ ବୋଲି ମତ ଦେଇଛନ୍ତି । ଏପରିକି କେତୋଟି କ୍ଷେତ୍ରରେ ସେମାନଙ୍କୁ ବାଧ୍ୟ ବୋଲି କୁହାଯାଇଛି । ପିତାମାତାଙ୍କ ବାର୍ଦ୍ଧକ୍ୟ ଅବସ୍ଥାରେ ସେମାନଙ୍କ ସେବା ନକରିଲେ ସେମାନଙ୍କର ସମ୍ପତ୍ତିରେ ଅଧିକାର ରହିବ ନାହିଁ ବୋଲି କେତୋଟି ବିଚାରାଳୟରେ ରାୟ ପ୍ରକାଶ ପାଇଛି । ତେବେ ବୃଦ୍ଧାବସ୍ଥାରେ ଅସହାୟ ହୋଇ ଘରେ ପଡ଼ି ରହିଥିବା ବେଳେ ପୁଅଝିଅମାନେ ଯଦି ସେମାନଙ୍କୁ ସହାୟତାର ହାତ ନ ବଢ଼ାଇବେ, ତାହା ହେଲେ ଏହା ଠାରୁ ବଳି ଦୁଃଖଦାୟକ ଓ ସାମାଜିକ ଚିନ୍ତାର ଘଟଣା ଆଉ କିଛି ହୋଇନପାରେ । 
ଏବେ ନିକଟରେ କଟକ ବାଦାମବାଡ଼ି ଅଞ୍ଚଳରେ ଜଣେ ବୃଦ୍ଧ ବ୍ୟକ୍ତି ଦୁଇ ପୁଅଙ୍କର ପିତା ହୋଇଥିଲେ ମଧ୍ୟ କେହି ତାଙ୍କୁ ଖାଇବାକୁ ମଧ୍ୟ ଦେଉନଥିଲେ । ସେ ଏକ ଛୋଟିଆ ଭଡ଼ା ଘରେ ରହୁଥିଲେ । ଘରର ମାଲିକ ମାନବିକତା ଦେଖାଇ ତାଙ୍କୁ ଖାଇବାକୁ ଦେଉଥିଲେ । ତେବେ ଏଭଳି ଅବସ୍ଥାରେ ତାଙ୍କର ଦୁଇ ପୁଅ ତାଙ୍କୁ ସମ୍ପୂର୍ଣ୍ଣ ଅବଜ୍ଞା କରିବା ଠାରୁ ବଳି ଆଉ ନିନ୍ଦନୀୟ ଘଟଣା କିଛି ନଥିଲା । ଅନ୍ୟପକ୍ଷରେ ବୃଦ୍ଧ ବ୍ୟକ୍ତି ମଧ୍ୟ ନିଜର ସ୍ୱାଭିମାନକୁ ଏତେ ଗୁରୁତ୍ୱ ଦେଇଥିଲେ ଯେ କାହା ଆଗରେ ହାତ ପାତି ଚଳିବାକୁ ସେ ଚାହିଁନଥିଲେ । ତେଣୁ ସେ ରହୁଥିବା ଭଡ଼ାଘର ସାମ୍ନାରେ ଏକ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରି ଦେଇଛନ୍ତି । ଏହି ୮୦ ବର୍ଷର ବୃଦ୍ଧ ନିଃସଙ୍ଗ ଜୀବନ ବିତାଉଥିଲେ । ଏହି ଆତ୍ମହତ୍ୟା ଘଟଣା ପରିବାରରେ ଲୋକେ ଶୁଣିବା ପରେ ମଧ୍ୟ ଶବ ସକ୍ରାର ପାଇଁ ଆସିନଥିଲେ । ଓଲଟି ସ୍ଥାନୀୟ ଥାନାର ଆଇଆଇସି ମାନବିକତା ଦେଖାଇ ସାମାଜିକ କର୍ତ୍ତବ୍ୟକୁ ପାଳନ କରିଲେ । ଏହି ବୃଦ୍ଧଜଣଙ୍କର ସ୍ୱାଭିମାନ ଆଗରେ ପାରିବାରିକ ସମ୍ପର୍କ ତୁଚ୍ଛ ହୋଇପଡ଼ିଲା, ଅଥଚ ସେ ମୁଣ୍ଡ ନୁଆଁଇଲେ ନାହିଁ । ଆଉ ଅନ୍ୟପକ୍ଷରେ ମୃତକଙ୍କର କୌଣସି ସମ୍ପର୍କୀୟ ହୋଇନଥିବା ସ୍ଥଳେ ସ୍ଥାନୀୟ ଥାନାଧିକାରୀ ପୁତ୍ର ଭଳି କର୍ତ୍ତବ୍ୟ ପାଳନ କରିଥିଲେ । ଏହି ଘଟଣାରେ ଥାନାଧିକାରୀଙ୍କୁ ଯେତେ ପ୍ରଶଂସା କରିଲେ ମଧ୍ୟ ତାହା କମ୍ ପଡ଼ିବ । କାରଣ ବୃଦ୍ଧ ଜଣକ ତାଙ୍କ ସମୁଦାୟ ଜୀବନକାଳ ନିଜ ଜନ୍ମିତ ପୁଅମାନଙ୍କ ପାଇଁ ସମର୍ପି ଦେଇଥିବା ବେଳେ ୮୦ ବର୍ଷ ବୟସରେ ବାର୍ଦ୍ଧକ୍ୟର ଅସହାୟତା ସମୟରେ ସେମାନେ କେହି ଦେଖା ଦେଇନଥିଲେ । ଏଭଳି ଘଟଣାକୁ ମଧ୍ୟ ଯେତେ ନିନ୍ଦା କରିଲେ ତାହା କମ୍ ପଡ଼ିବ । 
ବର୍ତ୍ତମାନର ସମାଜରେ ଏ ପ୍ରକାରର ଘଟଣା କାହିଁକି ଯେ ସବୁ ଘଟଛି ତାହାର କାରଣ ଖୋଜିବା ଉଚିତ୍ । ସମାଜ ପାଇଁ ସମ୍ବେଦନଶୀଳ ବ୍ୟକ୍ତିମାନେ ଏବଂ ସମାଜ ପାଇଁ ନିଜକୁ ସମର୍ପି ଦେଇଥିବା ବ୍ୟକ୍ତିମାନେ ଏହିଭଳି କେତୋଟି ଘଟଣାରେ ଏକ ଆଦର୍ଶ ସୃଷ୍ଟି ହେଲା ଭଳି କାର୍ଯ୍ୟ କରୁଛନ୍ତି  ସତ; କିନ୍ତୁ ଏଭଳି ଘଟଣାରେ ସାମାଜିକ ସମସ୍ୟା ସବୁ ସମାଧାନ ହେଉ ନାହିଁ । ଦିନକୁ ଦିନ ବୃଦ୍ଧ ପିତାମାତାମାନଙ୍କ ପ୍ରତି ଅବମାନନା କରିବା, ବାର୍ଦ୍ଧକ୍ୟରେ ସେମାନଙ୍କୁ ଏକୁଟିଆ କରି ଛାଡ଼ି ଦେବା ଭଳି ଘଟଣା ସବୁ ବଢୁଛି । ଏଭଳି ଘଟଣାଗୁଡ଼ିକୁ ଆଇନ୍ ମାଧ୍ୟମରେ କମେଇ ହେବ ନାହିଁ କିମ୍ବା ସମାଧାନ କରିହେବ ନାହିଁ । ଏଥିପାଇଁ ସନ୍ତାନସନ୍ତତିମାନଙ୍କୁ ନୈତିକତାର ଶିକ୍ଷା ଦେବାକୁ ପଡ଼ିବ । ଯାହା ଫଳରେ ସେମାନେ କୌଣସି ବି ପରିସ୍ଥିତିରେ ଏଭଳି ନକାରାତ୍ମକ ଚିନ୍ତାଧାରାରେ ବଶୀଭୂତ ହେବେ ନାହିଁ । ପରିବାରରେ ଶୁଖଶାନ୍ତିକୁ ଦୀର୍ଘସ୍ଥାୟୀ କରିବାରେ ସଫଳ ହେବେ । ଯାହାର ସିଧାସଳଖ ସକାରାତ୍ମକ ପ୍ରଭାବ ସମାଜ ଓ ଦେଶ ଉପରେ ପଡ଼ିବ ।