ଜିଲାରେ କୃଷିଭିତ୍ତିକ ଶିଳ୍ପର ବିକାଶ ବାଟବଣା
କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ଗୌଡ଼ସର୍ଗିଗୁଡା ଓ ଭବାନୀପାଟଣା ସରକାରୀ ଆଇଟିଆଇ ନିକଟରେ ଘରୋଇ ଉଦ୍ୟମରେ ୨ଟି ଚିନିକଳ ପ୍ରତିଷ୍ଠା ହୋଇଥିଲା। ଭବାନୀପାଟଣା ଚିନିକଳ ୧୯୭୭ରୁ ବନ୍ଦ ହୋଇଥିବା ବେଳେ ସର୍ଗିଗୁଡା ଚିନିକଳ ୨୪ବର୍ଷ ହେଲା ବନ୍ଦ ହୋଇ ଇତିହାସ ପାଲଟିଲାଣି। ଫଳରେ ଜିଲାରେ କୃଷିଭିତ୍ତିକ ଶିଳ୍ପର ବିକାଶ ନେଇ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ଏବେ ବାଟବଣା ହୋଇଥିବା ଆଲୋଚନା ହେଉଛି।
ପ୍ରକାଶ ଯେ, କଳାହାଣ୍ଡି ଜିଲାର କୃଷି ଓ କୃଷକଙ୍କ ବିକାଶ ନିମନ୍ତେ ୧୯୯୪ରେ ଜୁନାଗଡ଼ ବ୍ଲକ ଗୌଡ଼ସର୍ଗିଗୁଡ଼ାରେ ଜାତୀୟ ରାଜପଥ ୨୬ କଡ଼ରେ କୃଷିଭିତ୍ତିକ ଏକ ଚିନିକଳ ପ୍ରତିଷ୍ଠା କରାଯାଇଥିଲା। ଏହାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ମହାରାଷ୍ଟ୍ରର ଏକ କମ୍ପାନି ପଶ୍ଚିମ ଓଡ଼ିଶା ସୁଗାର ଓ କେମିକାଲ ଲିମିଟେଡ଼ ଦ୍ବାରା ଏହା ପରିଚାଳିତ ହେଉଥିଲା। ତେବେ ପରିଚଳନାଗତ ତ୍ରୁଟି ଯୋଗୁ କମ୍ପାନୀ ଦେବାଳିଆ ହେବା ସହ ୭ବର୍ଷ ପରେ ଅର୍ଥାତ ୨୦୦୧ରେ ବନ୍ଦ ହୋଇଯାଇଥିଲା। ଏହାଦ୍ବାରା ଶତାଧିକ ଲୋକ ଜୀବିକା ହରାଇବା ସହ ଜିଲାର ଆଖୁଚାଷ ବିଶେଷ ପ୍ରଭାବିତ ହୋଇଥିଲା। କମ୍ପାନୀରେ ତାଲା ପଡ଼ିବା ଫଳରେ ଚୋରମାନଙ୍କ ଭୂସ୍ବର୍ଗ ପାଲଟିଲା। ଏଥିରେ ଲାଗିଥିବା ମୂଲ୍ୟବାନ ଜିନିଷ ଚୋରି ହୋଇ ଶ୍ରୀହୀନ ଅବସ୍ଥାରେ ପଡି ରହିଥିଲା। ଜିଲାରେ ଅର୍ଥନୀତିର ଅଭିବୃଦ୍ଧି ଓ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ବନ୍ଦ ପଡିଥିବା ଚିନିକଳରେ ଏକକାଳୀନ ୩ଟି କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ପାରାବଏଲଡ଼ ରାଇସମିଲ, ବାୟୋମାସ ପ୍ଲାଣ୍ଟ ଓ ଡିଷ୍ଟିଲାରି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଘୋଷଣା କରାଯିବା ସହ ୨୦୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କ ଦ୍ବାରା ଘୋଷିତ ଏହି ଶିଳ୍ପ ପ୍ରକଳ୍ପକୁ ରାଉରକେଲାର ଷ୍ଟାରଲାଇଟ ଏନର୍ଜି ଲିମିଟେଡ଼କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। କମ୍ପାନୀ ଚିନିକଳର ୯୧ ଏକର ୪୮ ଡେସିମିଲ ଜମି ଓ ପୁରୁଣା କୋଠାକୁ ନିଜ ମାଲିକାନାରେ ରଖିଥିଲା। ଏହି କମ୍ପାନୀ ଭିତରେ ଇଣ୍ଟିଗ୍ରେଟେଡ ଶସ୍ୟ ଭିତ୍ତିକ ଡିଷ୍ଟିଲାରି ସମେତ ଘଣ୍ଟାକୁ ୪୮ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ପାରବଏଲଡ଼ ରାଇସମିଲ ଓ ୩ ମେଗାୱାଟର ଦୁଇଟି ଟର୍ବାଇନ ଯୁକ୍ତ ବାୟୋମାସ ପାଓ୍ବାର ପ୍ଲାଣ୍ଟ ସ୍ଥାପନ ପାଇଁ ରୋଡ୍ମ୍ୟାପ ପ୍ରସ୍ତୁତ କରାଯାଇଥିଲା। ହେଲେ ପୂର୍ବତନ ରାଜ୍ୟ ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁ ଏହି ଷ୍ଟାରଲାଇଟ ଏନର୍ଜି କମ୍ପାନୀ କାମ ଆରମ୍ଭ ହେବା ଦୂରର କଥା କୌଣସି କାରଣବଶତଃ ମୁହଁ ଫେରାଇବା ସହ ସର୍ଗିଗୁଡାଠାରେ ଥିବା ପୁରୁଣା ଚିନିକଳର ୯୧ ଏକର ୪୮ଡେସିମିଲ ଜାଗାକୁ ବିକ୍ରି କରି ଚାଲିଛି। ଏହି ଚିନିକଳ ୨୬ ବର୍ଷ ହେଲା ବନ୍ଦ ପଡିଥିବା ବେଳେ ଏହାର ପୁନରୁଦ୍ଧାର କଲେ ଜିଲାର ଆଖୁଚାଷୀ ଉପକୃତ ହେବା ସହ ଶିକ୍ଷିତ ବେକାର ଯୁବତୀଯୁବକ ରୋଜଗାରକ୍ଷମ ହୋଇପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ସେହିପରି ଭବାନୀପାଟଣା ସହର ସରକାରୀ ଆଇଟିଆଇ ନିକଟରେ ଥିବା ଚିନିକଳ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓଙ୍କ ଉଦ୍ୟମରେ ୧୯୬୫ରେ ସ୍ଥାପନ କରାଯାଇଥିଲା। ଏହା ୧୯୭୦ ପର୍ଯ୍ୟନ୍ତ ଠିକ ଭାବରେ ଚାଲିଥିବା ବେଳେ ୧୯୭୭ରେ ବନ୍ଦ ହୋଇଗଲା। ଫଳରେ କଳାହାଣ୍ଡିର ଆଖୁଚାଷୀଙ୍କୁ ନିରାଶ ହେବାକୁ ପଡିଥିଲା। ଜିଲାର ଆଖୁ ଚାଷୀ କଳାହାଣ୍ଡି ଓ ବଲାଙ୍ଗୀର ଦେଓଗାଁ ଚିନିକଳକୁ ମଧ୍ୟ ଆଖୁ ଯୋଗାଉଥିଲେ। ଏହି ଚିନିକଳ ବନ୍ଦ ହେବା ପରେ ଆଖୁଚାଷୀ ପୁନର୍ବାର ନିରାଶ ହୋଇଛନ୍ତି।
ବର୍ତ୍ତମାନ ଆଖୁ ଉତ୍ପାଦନ ବୃଦ୍ଧି ହୋଇଥିବା ବେଳେ ଏହାକୁ ବିକ୍ରି ନେଇ ନୂତନ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ସରକାରଙ୍କ ତରଫରୁ ଠୋସ ପଦକ୍ଷେପ ନ ନେଲେ ପୁଣି ଆଖୁଚାଷୀ ବାଟ ହୁଡ଼ିବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ସାଧାରଣରେ ମତପ୍ରକାଶ ପାଉଛି।