ଗୋଷ୍ଠୀ ବିବାଦ ପରିହାର କରି ମହିମାଗାଦିକୁ ବିଶ୍ୱସ୍ତରୀୟ କରନ୍ତୁ :  ଧର୍ମେନ୍ଦ୍ର 

ଗୋଷ୍ଠୀ ବିବାଦ ପରିହାର କରି ମହିମାଗାଦିକୁ ବିଶ୍ୱସ୍ତରୀୟ କରନ୍ତୁ :  ଧର୍ମେନ୍ଦ୍ର 

ଢେଙ୍କାନାଳ: ବକଳ୍ପଧାରୀ ମହିମା ସମାଜ ଓ କୌପିନଧାରୀ ମହିମା ସମାଜ ମାଲିମୋକଦ୍ଦମାରୁ ନିବୃତ ହୋଇ ମିଳିମିଶି ରୁହନ୍ତୁ ଏବଂ ମହିମାଗାଦିର ପ୍ରଭୁତ ବିକାଶରେ ଅଂଶିଦାର ହୋଇ ଇତିହାସକୁ ଆଗକୁ ବଢାନ୍ତୁ ବୋଲି କେନ୍ଦ୍ର ଶିକ୍ଷା ଓ ଉଦ୍ୟମିତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଭୟ ଗୋଷ୍ଠୀର ପ୍ରତିନିଧିମଣ୍ଡଳୀଙ୍କୁ ଢେଙ୍କାନାଳ ସର୍କିଟ୍ ହାଉସ୍ ଠାରେ ଉଭୟ ବକଳ୍ପଧାରୀ ଓ କୌପୀନଧାରୀ ମହିମା ସମାଜକୁ  ଭେଟି ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ପ୍ରଧାନ ଦୀର୍ଘ ଦେଢ ଘଣ୍ଟା କାଳ ରୁଦ୍ଧଦ୍ୱାର ବୈଠକରେ ଉଭୟ ପକ୍ଷର ଅଭିଯୋଗ, ପ୍ରତ୍ୟଭିଯୋଗ ଶୁଣିବା ସହ ତୁରନ୍ତ ଏହାର ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ୍ ରାମଚନ୍ଦ୍ର ଯାଦବ, ଉତର କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ଏସ୍ପି ଅଭିନବ ସୋନ୍କର ମିଳିତ ଭାବେ ପ୍ରଶାସନ ପକ୍ଷରୁ ସମସ୍ୟାର ଶୁଣାଣି କରି ସମାଧାନର ବାଟ ବାହାର କରିବା ପାଇଁ ଧର୍ମେନ୍ଦ୍ର ବାବୁ କହିଥିଲେ । ନ୍ୟାୟାଳୟ ପକ୍ଷରୁ କୌପିନଧାରୀ ମହିମା ସମାଜ ଗାଦି ମନ୍ଦିରରେ ସେବା ପୂଜା ଓ ନୀତିକାନ୍ତି କରିବାରେ ଅପରପକ୍ଷ ବାଧା ସୃଷ୍ଟି ନକରୁ ବୋଲି ଗତ ସେପ୍ଟେମ୍ବର ୩୦ରେ ସ୍ପଷ୍ଟ ରାୟ ଦେବା ପରିପ୍ରେକ୍ଷୀରେ ମହିମାଗାଦିର ବାତାବରଣ ଉଷ୍ମ ହୋଇଛି । ଯେଉଁ ପ୍ରଶାସନ ନ୍ୟାୟାଳୟର ନିଦେ୍ର୍ଦଶ କହି ୧୯୪୫ ମସିହା ମାମଲାର ରାୟ ଆଧାରରେ ବିନା ଥଇଥାନରେ କୌପିନଧାରୀ ସମାଜର ଶତାୟୁତୋର ଉପାସନା ପୀଠକୁ ବୁଲ୍ଡୋଜର ଲଗାଇ ଅତି ଅମାନୁଷିକ ଭାବେ ଭାଙ୍ଗିବାକୁ ପଛାଇ ନଥିଲେ ସେହି ପ୍ରଶାସନ ଆଜି ଅଦାଲତର ରାୟ ପାଳନର କାହିଁକି ପଛଘୁଞ୍ଚା ଦେଉଛି ବୋଲି କୌପିନଧାରୀ ମହିମା ସମାଜ ପକ୍ଷରୁ ପ୍ରଶ୍ନ କରାଯାଇଥିଲା । କୌପିନଧାରୀ ମହିମା ସମାଜ ପକ୍ଷରୁ ସଭାପତି ଶ୍ରୀମଦ୍ ରଘୁନାଥ ବାବା, ସଂପାଦକ ସୁଶାନ୍ତ ବାବା, ଦେବେନ୍ଦ୍ର ବାବା, ମହିମା ଜ୍ୟୋତିଯାତ୍ରା ସଂଯୋଜକ ଆଇନ୍ଜୀବୀ ପ୍ରଦୁ୍ୟମ୍ନ ରଥ, ଆଇନ୍ଜୀବୀ ଭକ୍ତ ଅଜୟ ଦେହୁରୀ ଓ ମହାନିତ୍ୟ ସାଧୁଭକ୍ତ ମଣ୍ଡଳୀର ସଂପାଦକ ପ୍ରଶାନ୍ତ ମହାପାତ୍ର ଯୋଗଦେଇଥିବାବେଳେ ବଳ୍କଳଧାରୀ ମହିମା ସମାଜ ପକ୍ଷରୁ ସଭାପତି ଶ୍ରୀମଦ୍ ଶୁକଦେବ ବାବା, ଅନାମ ବାବା, ପ୍ରସନ୍ନ ବାବା ଓ ଦିନବନ୍ଧୁ ବାବା ପ୍ରମୁଖ ଏହି ଉଚ୍ଚସ୍ତରୀୟ ଆଲୋଚନାରେ ଭାଗ ନେଇଥିଲେ । ଇତିହାସ ପଛକୁ ଫେରିପାରେନା । ୧୦୭ ବର୍ଷ ତଳେ ବଡକୃପାସିନ୍ଧୁ ବାବାଙ୍କ ଦ୍ୱାରା ଗଠିତ କୌପିନଧାରୀ ମହିମା ସମାଜର ସ୍ଥିତାବସ୍ଥାକୁ ଗ୍ରହଣ କରି ତଦନୁଯାୟୀ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଅପରପକ୍ଷ ସନ୍ୟାସୀଙ୍କୁ ପରାମର୍ଶ ଦେଇଥିଲେ । ଉଭୟ ଗୋଷ୍ଠୀ ତାଙ୍କର ନମସ୍ୟ ଏବଂ ଏଥିରେ କୌଣସି ପକ୍ଷପାତ କି ରାଜନୀତି ନଥିବାର ଆଲୋଚନା ଆରମ୍ଭରୁ ମନ୍ତ୍ରୀ  ଶ୍ରୀ ପ୍ରଧାନ ସ୍ପଷ୍ଟ କରିଥିଲେ । ମହିମାଗାଦିର ଅବସ୍ଥିତି ଓ ଖ୍ୟାତିକୁ ବାସ୍ତବରେ ବିଶ୍ୱସ୍ତରୀୟ କରିବା ନିମନ୍ତେ ରାଷ୍ଟ୍ରୀୟ ସ୍ୱୟଂ ସେବକ ମୁଖ୍ୟ ମୋହନ ଭାଗବତଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ତାଙ୍କୁ ଏଥିପାଇଁ ଦାୟିତ୍ୱ ଦେଇଥିବାର ମନ୍ତ୍ରୀ ଶ୍ରୀ ପ୍ରଧାନ ଆଲୋଚନା ପ୍ରସଙ୍ଗରେ ସ୍ପଷ୍ଟ କରିଥିଲେ । ଏହି ଆଲୋଚନାରେ ତାଙ୍କ ସହ ସାଂସଦ ରୁଦ୍ର ନାରାୟଣ ପାଣି, ହିନେ୍ଦାଳ ବିଧାୟିକା ସୀମାରାଣୀ ନାୟକ, ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ପାତ୍ର ଓ ପୂର୍ବତନ ବିଧାୟକ ନବୀନ ନନ୍ଦ ଉପସ୍ଥିତ ଥିଲେ ।