ଜିଲ୍ଲାପାଳଙ୍କୁ ଘେରିଲେ ପଞ୍ଚାୟତ ପ୍ରତିନିଧି

ଦଶରଥପୁର : ସୋମବାର ବ୍ଲକ ପରିସରରେ ଆୟେଜିତ ଜିଲାପାଳଙ୍କ ଜନଶୁଣାଣୀରେ ହୋଇଥିଲା ପ୍ରବଳ ହଟଗୋଳ । ଜିଲାପାଳଙ୍କୁ ଘେରିଲେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ପଞ୍ଚାୟତ ପ୍ରତିନିଧି । ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ, ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା, ଏସପି ଉପଜିଲାପାଳ, ବିଡ଼ିଓ, ସିଡ଼ିଏମ୍ଓଙ୍କ ସହ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଜନଶୁଣାଣି ଚାଲିଥିବାବେଳେ ହଠାତ୍ ଦଶରଥପୁର ବ୍ଲକ୍ର ଅଧ୍ୟକ୍ଷ ଦିଗାମ୍ବର ମଲ୍ଲିକ, ଉପାଧ୍ୟକ୍ଷା ଝିଲି ମଲ୍ଲିକଙ୍କ ନେତୃତ୍ୱରେ ଜିଲା ପରିଷଦ ସଭ୍ୟ, ବିଭିନ୍ନ ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ ଶିବିରକୁ ପଶିଆସି ଜିଲାପାଳ ଓ ଏସ୍ପିଙ୍କ ସହ ସମସ୍ତ ଅଧିକାରୀମାନଙ୍କୁ ଘେରିଯାଇ ପ୍ରବଳ ହୋ-ହାଲ୍ଲା ଓ ହଟଗୋଳ କରି କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ସେମାନଙ୍କ ଦାବୀ ଅନୁଯାୟୀ ଦଶରଥପୁର ବ୍ଲକ୍ର ୬ ନମ୍ବର ଜୋନ୍ର ବିଜେପି ମଣ୍ଡଳ ସଭାପତି ବ୍ଲକ୍ର ଜଣେ ଅନୁସୂଚିତ ଜାତିର କନିଷ୍ଠ ଯନ୍ତ୍ରୀଙ୍କୁ ସପ୍ତାହକ ତଳେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏହି ଘଟଣା ପରେ ସମ୍ପୃକ୍ତ ଜେଇ. ବ୍ଲକ୍ର ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଉକ୍ତ ନେତାଙ୍କ ନାମରେ ଦଶରଥପୁର ବ୍ଲକ୍ରେ ଅଭିଯୋଗ କରିଥିଲେ । ଏଥିସହ ଖଣ୍ଡରା ପଞ୍ଚାୟତରେ ଜଣେ ମହିଳା ପିଇଓ ଲିପ୍ସା ନାୟକଙ୍କୁ ଜଣେ ଯୁବକ ମଧ୍ୟ ଗାଳିଗୁଲଜ କରିଥିବା ବେଳେ ଉକ୍ତ ଘଟଣାରେ ମଧ୍ୟ ପୁଲିସରେ ଅଭିଯୋଗ ହୋଇଥିଲା । ଏହି ଦୁଇଟି ଘଟଣା ଅଭିଯୋଗ ହେବାର ୮ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ତାହାର ପ୍ରତିବାଦରେ ବ୍ଲକ୍ର ସମସ୍ତ ପଞ୍ଚାୟତ ପ୍ରତିନିଧି କାର୍ଯ୍ୟାନୁଷ୍ଠାନ ଦାବି କରି ହଟଗୋଳ କରିଥିଲେ । ଏଥିସହ ବିଭିନ୍ନ ପଞ୍ଚାୟତରେ ପାଣି ସମସ୍ୟା ଓ ବ୍ଲକ୍ର ଉନ୍ନୟନମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣଭାବେ ଠପ୍ ହୋଇଯାଇଥିବାର ସଦସ୍ୟମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଜିଲାପାଳ ଧୈର୍ଯ୍ୟର ସହିତ ଏହିସବୁ କଥାକୁ ଉପଲବ୍ଧି କରି କାର୍ଯ୍ୟାନୁଷ୍ଠାନ ନେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ଘଟଣାପରେ ସାଧାରଣ ଲୋକଙ୍କ ସମସ୍ୟା ଶୁଣିବାପାଇଁ ବ୍ଲକ୍ରେ ଜିଲ୍ଲାପାଳଙ୍କ ପକ୍ଷରୁ ହୋଇଥିବା ଏହି ଜନଶୁଣାଣି ପୁରା ଭଣ୍ଡୁର ହୋଇଥିବାର ଦେଖିବାକୁ ମିଳିଛି । ଜିଲାପାଳଙ୍କ ସହ ସବୁ ବଡ଼ବଡ଼ ଅଧିକାରୀ ମିଳିତ ଜନଶୁଣାଣିରେ ୧୬୨ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୧୨୭ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ/ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୧୩ ଗୋଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୨୨ଗୋଟି ଅଭିଯୋଗର ଶୁଣାଣି କରାଯାଇଥିଲା । ୫୦ଟି ଅଭିଯୋଗର ତକôାଳ ଫଇସଲା କରାଯାଇଥିଲା ।