ଜିୟୁ ଜିଟ୍ସୁ ଚାମ୍ପିଅନ୍ଙ୍କୁ ଡିଜିପିଙ୍କ ସମ୍ବର୍ଦ୍ଧନା
ଭୁବନେଶ୍ୱର : ନବମ ଜିୟୁ ଜିଟସୁ ଏସିୟାନ ଚାମ୍ପିଅନସିପରେ ଅଂଶଗ୍ରହଣ କରି ଉଚ୍ଚକୋଟିର କ୍ରୀଡ଼ା ପ୍ରଦର୍ଶନ କରିଥିବା ଅନୁପମା ସ୍ୱାଇଁଙ୍କୁ ଆଜି ପୁଲିସ୍ ଡିଜି ଯୋଗେଶ ବାହାଦୁର ଖୁରାନିଆ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି । ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡିଜିପି ଶ୍ରୀ ଖୁରାନିଆ ଅନୁପମାଙ୍କ କ୍ରୀଡା ନୈପୁଣ୍ୟତାକୁ ପ୍ରଶଂସା କରିବା ସହ ତାଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । ଏହା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ମଧ୍ୟ କାମନା କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ମୁଖ୍ୟାଳୟ) ପ୍ରତୀକ ମହାନ୍ତି, ଡିଆଇଜି (କାର୍ମିକ) ଯୁଗଳ କିଶୋର ବନୋଥ, ଏଆଇଜି (ମୁଖ୍ୟାଳୟ) ସୁରେଶ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଗତ ମେ ୨୩ରୁ ୨୫ ପର୍ଯ୍ୟନ୍ତ ଜୋର୍ଡାନର ଅମାନ ସହରଠାରେ ଏସିଆନ ଚମ୍ପିୟାନସିପ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଅନୁପମା ଦେଶକୁ ପ୍ରତିନିଧିତ୍ୱ କରି କଣ୍ଟାକ୍ଟ (୫୨ କେଜିରୁ କମ ) ବର୍ଗରେ ରୌପ୍ୟ ପଦକ ଏବଂ ଫାଇଟିଂ ସିଷ୍ଟମ (୫୨ କେଜିରୁ କମ) ବର୍ଗରେ କାଂସ୍ୟ ପଦକ ଲାଭ କରି ଓଡିଶା ପୁଲିସକୁ ଗୌରବାନ୍ୱିତ କରିଛନ୍ତି । ବର୍ତ୍ତମାନ ଅନୁପମା ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲାରେ କନେଷ୍ଟବଳ ଭାବେ କାର୍ଯ୍ୟରତ ।