ଜୀବଜନ୍ତୁଙ୍କ ଯତ୍ନ ନେଉନାହାଁନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ

ଚିକିତ୍ସା ଅବହେଳାରୁ ଚାଲିଗଲାଣି ୨ ବିରଳ ପଶୁଙ୍କ ଜୀବନ
ବାରଙ୍ଗ : ଦିନକୁଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବନ୍ୟଜନ୍ତୁ ଅସୁସ୍ଥ ହେଉଥିବା ବେଳେ କେତେକ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ବରଣ କରୁଛନ୍ତି । ହେଲେ ନିରାକରଣ କରିବା ପରିବର୍ତ୍ତେ ହରଡ଼ଘଣାରେ ପଡିଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ । ଅଭିଯୋଗ ହେଉଛି ଯେ,ବନ୍ୟଜନ୍ତୁଙ୍କର ସଠିକ୍ ଯତ୍ନ ନିଆଯାଉନାହିଁ କି ନା ରୋଗ ଚିହ୍ନୁ ଚିହ୍ନୁ ମୃତ୍ୟୁ ବରଣ କରୁଛନ୍ତି ପାଟି ଫିଟୁନଥିବା ବିରଳ ବନ୍ୟଜନ୍ତୁ । ପ୍ରକାଶ ଯେ , ଗତ ୮ତାରିଖରେ ନନ୍ଦନକାନନର ୧୨ନମ୍ୱର ଖୁଆଡରେ ରହୁଥିବା ଏକମାତ୍ର ନାଲି ଓ ସବୁଜ ରଙ୍ଗର ମାକାଓ ର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇ ଏହି ପ୍ରଜାତିର ମାକାଓ ର ବଂଶ ଲୋପ ହୋଇଯାଇଥିବା ବେଳେ ମଙ୍ଗଳବାର ସକାଳୁ ଏକ ବର୍ଷ ବୟସ ର ଅଣ୍ଡିରା ହାଏନା ଛୁଆର ମୃତ୍ୟ ଘଟିଛି । ଏହି ମୃତ୍ୟୁ ଖବର ଶୁଣିବା ପରେ ପଶୁପ୍ରେମୀଙ୍କୁ ବ୍ୟଥିତ କରିଛି । ସୂଚନା ଯୋଗ୍ୟ ଯେ , ନନ୍ଦନକାନନ କର୍ତ୍ତୃପକ୍ଷ ତିନୋଟି ଛୁଆକୁ ଉଧାର କରି ଲାଳନପାଳନ କେନ୍ଦ୍ରରେ ଛାଡ଼ିଥିଲେ । ମାକୁ ହରାଇ ଛୁଆ ତିନୋଟି ମଣିଷ ହାତରେ ବଞ୍ଚିବା ଆରମ୍ଭ କରିଥିଲା । ସେଥିମଧ୍ୟରୁ ବର୍ଷକର ଅଣ୍ଡିରା ଛୁଆଟିର୍ ହାର୍ନିଆ ହୋଇଥିଲା । ଏହା ଜଣାପଡିବା ପରେ ଡ଼ାକ୍ତରମାନେ ଛୁଆଟିର ହାର୍ନିଆ ଅପରେସନ ଗତ ୧୫ଦିନ ତଳେ କରିଥିଲେ । ହେଲେ ସାତଦିନ ତଳେ ଅପରେସନ ଜାଗାଟି ପଚିବାରୁ ଡ଼ାକ୍ତରମାନେ ପ୍ରତିଦିନ ଯାଇ ଉକ୍ତ ଜାଗାକୁ ଡ୍ରେସିଂ କରିବା ଆରମ୍ଭ କରିଥିଲେ । ହେଲେ ସୋମବାର ଅପରାହ୍ନରେ ଡ୍ରେସିଂ କରାଯାଇଥିବା ବେଳେ ମଙ୍ଗଳବାର ସକାଳୁ ଛୁଆଟି ମରିପଡ଼ିଥିବାର ଜଣାପଡିଥିଲା । ତେବେ ସଠିକ୍ ଭାବେ ରୋଗ ନିରୂପଣ ନହୋଇପାରିବାରୁ ଏଭଳି ଘଟଣା ଘଟୁଛି ବୋଲି ସମାଲୋଚନା ଆରମ୍ଭ ହୋଇଛି । ଯାହାକୁ ନେଇ ହରଡଗହଣାରେ ପଡିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।