ଶୃଙ୍ଖଳିତ ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପୁରୀ : ଆସନ୍ତା ଜୁନ୍ ମାସ ୧୧ ତାରିଖରେ ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ୧୨ ତାରିଖ ଠାରୁ ଅନବସରରେ ରହିବେ ଚତୁର୍ଦ୍ଧାମୂର୍ତ୍ତି ଭକ୍ତମାନେ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ । ୧୪ଦିନ ଧରି ଅଲାରନାଥ ଦେବଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ । ତେଣୁ ବ୍ରହ୍ମଗିରି ସ୍ଥିତ ଅଲାରନାଥ ଦେବଙ୍କ ମନ୍ଦିରରେ ୧୪ଦିନ ଧରି ଭକ୍ତମାନଙ୍କ ସମାଗମ ହେବ । ଅଲାରନାଥ ଦେବଙ୍କ ଦର୍ଶନ ଓ ସ୍ନାନଯାତ୍ରା ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସମସ୍ତ ବିଭାଗର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ । ପୁରୀକୁ ଆସିବାକୁ ଥିବା ଶ୍ରଦ୍ଧାଳୁ ଓ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ଯେଭଳି ସୁଖଦ ଅନୁଭବ ନେଇ ଫେରିବେ ସେଥିପାଇଁ ସମସ୍ତେ ନିଜକୁ ଉତ୍ତରଦାୟୀ ଭାବିବା ଉଚିତ ବୋଲି ଜିଲ୍ଳାପାଳ କହିଥିଲେ । ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦୁ୍ୟତ ଯୋଗାଣ, ପରିବହନ ବ୍ୟବସ୍ଥା, ରାସ୍ତାଘାଟ ମରାମତି ଓ ଉନ୍ନତିକରଣ, ପାର୍କିଂ ସ୍ଥଳ, ଶାନ୍ତିଶୃଙ୍ଖଳା ରକ୍ଷା, ସୂଚନା ଓ ପ୍ରସାରଣ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍ୱେଚ୍ଛାସେବୀ ନିୟୋଜନ, ଅଗ୍ନିନିର୍ବାପକ ଓ ଜଳସିଞ୍ଚଳନ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏସ୍ପି ବିନିତ ଅଗ୍ରୱାଲ ଯାତ୍ରା ସମୟରେ ଶୃଙ୍ଖଳିତ ଦର୍ଶନ, ଭକ୍ତମାନଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଶାନ୍ତିଶୃଙ୍ଖଳା ରକ୍ଷା ଇତ୍ୟାଦି ସଂପର୍କରେ ପୁଲିସ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଉପରେ ସୂଚନା ଦେବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢୀ, ଅତିରିକ୍ତ ଜିଲ୍ଳାପାଳ(ପ୍ରଶାସନ) ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଳାପାଳ ରାଜସ୍ୱ ଡ଼କ୍ଟର ଶରତ ଚନ୍ଦ୍ର ମହାପାତ୍ର, ନୀଳମାଧି ଭୋଇ, ଶ୍ରୀମନ୍ଦିର ନୀତିପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ, ଜିଲ୍ଳା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପଜିଲ୍ଳାପାଳ ରାଜକିଶୋର ଜେନା, ପୌର ଅଧିକାରୀ  ଅଭିମନୁ୍ୟ ବେହେରା, ଅଲାରନାଥ ମନ୍ଦିରର ସେବାୟତ ବୃଦ୍ଧ ଆଲୋଚନାରେ ଯୋଗଦାନ କରିଥିଲେ । ଧାର୍ଯ୍ୟ ସମୟ ଅନୁସାରେ ନୀତିକାନ୍ତି ସଂପନ୍ନ କରିବାକୁ ବୈଠକରେ ସେବାୟତମାନଙ୍କୁ ଅନୁରୋଧ କରାଯାଇଥିଲା ।