ଜୁଆ ଆଡ୍ଡାରେ ମଞ୍ଚେଶ୍ୱର ପୁଲିସର ଚଢ଼ାଉ ; ୯ ଗିରଫ

ଜୁଆ ଆଡ୍ଡାରେ ମଞ୍ଚେଶ୍ୱର ପୁଲିସର ଚଢ଼ାଉ ; ୯ ଗିରଫ


 ଭୁବନେଶ୍ୱର, ୯ା୫ : ଦିର୍ଘ ଦିନ ହେବ ହାଇଟେକ୍ ପାଣ୍ଡରା ଅଞ୍ଚଳରେ ଚାଲିଥିବା ଏକ ବଡ଼ଧରଣର ଜୁଆ ଆଡ୍ଡାରେ ଗତକାଲି ରାତିରେ ରେଡ୍ ମାରିଛି ମଞ୍ଚେଶ୍ୱର ଥାନା ପୁଲିସ । ରେଡ ସମୟରେ ଥାନାର ସ୍ପେଶାଲ ଟିମ ୯ ଜଣ ଜୁଆଡୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୪ଟି ବାଇକ,୨୯ ହଜାର ୯୦୦ ଟଙ୍କା, ୧୧ଟି ମୋବାଇଲ ଫୋନ୍ ଓ ୧୧୦ଟି ତାସ ଜବତ କରାଯାଇଛି । ହେଲେ ଘଟଣା ସ୍ଥଳରୁ ମାଷ୍ଟର ମାଇଣ୍ଡ ଓ କିଛି ଜୁଆଡୀ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି । ଗିରଫ ୯ ଜଣ ହେଲେ, ଅକ୍ଷୟ କୁମାର ଗୋଛୀ, ରଞ୍ଜନ ବେହେରା, ମନୋଜ କୁମାର ପରିଡ଼ା, ଜୟଦେବ ରାଓ, ଗଣେଷ ନାୟକ, ନିରଞ୍ଜନ ପାତ୍ର, ଦିଲୁ ନାହକ, ଆଶ୍ରୟ ରେଡ୍ଡୀ ଓ ରିତେଷ ସାହୁ । ଗୁରୁବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
 ସୂଚନାଯୋଗ୍ୟଯେ, ମଞ୍ଚେଶ୍ୱର ଥାନା ଅଧିନ ହାଇଟେକ୍ ପାଣ୍ଡରା ହାଇସ୍କୁଲ ନିକଟରେ ଦିର୍ଘ ଦିନ ହେବ ଚାଲିଆସୁଛି ବଡ଼ଧରଣର ଜୁଆ ଖେଳ । ଏହି ଖେଳ ପାଇଁ କଟକ, ଭୁବନେଶ୍ୱରର ବଡ଼ ବଡ଼ ବ୍ୟବସାୟୀ, ସୁଧ ବେପାରୀଙ୍କ ଜମୁଥିଲା ଭିଡ଼ । ଲକ୍ଷ ଲକ୍ଷ ଟଙ୍କା ଲାଗୁଥିଲା ବାଜି । ଏଭଳି ଏକ ଜୁଆ ଆଡ୍ଡା ଚାଲିଥିବା ଖବର ପରେ ମଞ୍ଚେଶ୍ୱର ଥାନା ପୁଲିସ ୨ ଥର ରେଡ ମାରିଥିଲେ ମଧ୍ୟ ଜୁଆଡୀ ମାନେ ପୂର୍ବରୁ ଖବର ପାଇ ପୁଲିସ ରେଡ ମାରିବା ପୂର୍ବରୁ ଛତ୍ରଭଙ୍ଗ ଦେଉଥିଲେ । ସବୁଦିନ ପରି ବୁଧବାର ସନ୍ଧ୍ୟା ସମୟରେ ମଧ୍ୟ ସେଠାରେ ଖେଳ ଆରମ୍ଭ ହୋଇଥିବା ଖବର ମଞ୍ଚେଶ୍ୱର ଥାନା ଅଧିକାରୀ ଜାଣିବାକୁ ପାଇଥିଲେ । ଏହି ଖବର ପରେ ଥାନା ଅଧିକାରୀ ଓ ଥାନାର କିଛି ଅଫିସର ସାଧା ପୋଷାକରେ ଓ ଏକ ଘରୋଇ କାରରେ ଓ ବାଇକରେ ଅଚାନକ ରେଡ୍ ମାରିଥିଲେ । ରେଡ୍ ସମୟରେ ଟିମ ୯ ଜଣ ଜୁଆଡୀଙ୍କୁ ଗିରଫ କରିଥିବା ବେଳେ ଘଟଣା ସ୍ଥଳରୁ ମାଷ୍ଟର ମାଇଣ୍ଡ ଓ କିଛି ଜୁଆଡୀ ବିଲମାଳକୁ ଦୌଡ଼ି ଫେରାର ହୋଇଯାଇଥିଲେ । ଫଳରେ ପୁଲିସ ଟିମ ୯ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୧ଟି ମୋବାଇଲ, ୪ଟି ବାଇକ, ୨୯ ହଜାର ୯୦୦ ଟଙ୍କା ଓ ୧୧୦ଟି ତାସ ଜବତ କରିଛନ୍ତି ।