ଧରାପଡ଼ିଲେ ୫ ବନ୍ଧୁକ ମାଫିଆ ସମେତ ୬ ସିନ୍ଧି ଲୁଟେରା
ବର୍ଷ ଶେଷରେ କମିଶନରେଟ୍ ପୁଲିସକୁ ବଡ଼ ସଫଳତା
୫ ବନ୍ଧୁକ, ୧୫ ଗୁଳି, ୧୮ ମୋବାଇଲ, ଏକ କାର, ୮୫ ହଜାର ଟଙ୍କା, ୨୫ ଗ୍ରାମ ସୁନା, ୪୩ ଗ୍ରାମ ରୂପା, ୨୫ ଡଲାର ବିଦେଶ ଟଙ୍କା ଜବତ
ଭୁବନେଶ୍ୱର, ୨୫ା୧୨ : ବର୍ଷ ଶେଷକୁ କମିଶନରେଟ ପୁଲିସକୁ ମିଳିଛି ଏକ ବଡ଼ଧରଣର ସଫଳତା । ଗୋଟିଏ ରାତିରେ କମିଶନରେଟ୍ ପୁଲିସର ୪ଟି ଥାନା ଜାଲରେ ପଡ଼ିଛନ୍ତି ୧୧ ଅପରାଧୀ । ସେହିପରି ଚନ୍ଦକା ପୁଲିସ ଜାଲରେ ୫ ବନ୍ଧୁକ ମାଫିଆ ପଡ଼ିଥିବା ବେଳେ, ଏୟାରପୋର୍ଟ ଥାନା, ତମାଣ୍ଡୋ ଥାନା ଓ ମଞ୍ଚେଶ୍ୱର ଥାନା ଜାଲରେ ୬ ଜଣ ସିନ୍ଧି ଲୁଟେରା ଧରାପଡ଼ିଛନ୍ତି । ସେମାନଙ୍କ ଠାରୁ ବନ୍ଧୁକ, ଗୁଳି, ସୁନା, ଟଙ୍କା, କାର ଓ ମୋବାଇଲ ଭଳି ବହୁ ଅଳଙ୍କାର ଜବତ କରାଯାଇଛି ।
ରାତ୍ରି ସମୟରେ ନାଇଟ୍ ବ୍ଲକିଂ ବେଳେ, ଚନ୍ଦକା ଥାନା ପୁଲିସ ମଙ୍ଗଳବାର ରାତିରେ ପିତାପଲ୍ଲୀ ଠାରେ ଏକ ଦାମୀ ଗାଡ଼ିରେ ଯାଉଥିବା ୫ ଜଣ ପେଶାଦାର ଅପରାଧୀଙ୍କୁ କାବୁ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ୫ଟି ବନ୍ଧୁକ, ୧୫ ରାଉଣ୍ଡ ଗୁଳି, ୭ଟି ମୋବାଇଲ ଫୋନ, ୮୪ ହଜାର ଟଙ୍କା ଓ ଏକ ଗାଡ଼ି (ଓଡ଼ି୦୮ଆର ୦୧୨୩)କୁ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କଟକ ସଦରର ଭେଟେରାନ ଅପରାଧୀ ଭବାନୀ ପ୍ରସାଦ ମହାନ୍ତି (୩୨),ଖୋର୍ଦ୍ଧା ମସଜିଦ ସାହିର ସେକ ରେହମତ ଅଲ୍ଲୀ ଓରଫ ଅନୀଲ (୨୮),ଜଟଣୀର ଏମଡି ଜାକିର, ବାଦାମବାଡ଼ି ଅଞ୍ଚଳର ଦୀପକ କୁମାର ସାହୁ (୩୬) ଓ ଖୋର୍ଦ୍ଧାର ସଂଗ୍ରାମ ପ୍ରଧାନ ଓରଫ ଚନ୍ଦନ (୨୯) । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ସମ୍ବେଦନଶୀଳ ମାମଲା ରହିଛି । ଏନେଇ ଟୁଇନ୍ସିଟି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି । ସେହିପରି ଏୟାରପୋର୍ଟ ଥାନା ପୁଲିସ ଦ୍ୱାରା ଗିରଫ ହୋଇଥିବା ଦୁଇ ଲୁଟେରା ହେଲେ ଗଞ୍ଜାମ ଜିଲ୍ଲାର ଶଙ୍କର ମହାରଣା ଓ ରଞ୍ଜନ କୁମାର ସେନାପତି । ସେହିପରି ତମାଣ୍ଡୋ ଥାନା ଦ୍ୱାରା ଗିରଫ କରାଯାଇଥିବା ଦୁଇ ଅଭିଯୁକ୍ତ ହେଲେ, ନୟାଗଡ଼ ଜିଲ୍ଲା ଫତେଗଡର ମନୋଜ କୁମାର ସିଂ ଓ କଟକ ଜିଲ୍ଲା ବୈଦେଶ୍ୱରର ଜୟନ୍ତ କୁମାର ପାଣିଗ୍ରାହୀ । ସେହିପରି ମଞ୍ଚେଶ୍ୱର ଥାନାର ଜଣେ ଲୁଟେରା ହେଲା ହାଡବାଇ ବସ୍ତିର ଗୋବିନ୍ଦ ଦାସ ଓ ଅନ୍ୟଜଣେ ନାବାଳକ ଲୁଟେରା ରହିଥିବା ଜଣାପଡ଼ିଛି । ଏହି ୬ ଲୁଟେରା ଭୁବନେଶ୍ୱର, କଟକ, ଭଦ୍ରକ, ଖୋର୍ଦ୍ଧା, ଯାଜପୁର ଓ ଜିଲ୍ଲା ବାହାରେ ମଧ୍ୟ ଚେନ୍, ମୋବାଇଲ, ଭ୍ୟାନିଟ୍, ବିବାହ ମଣ୍ଡପ ଭଳି ସ୍ଥାନରୁ ଲୁଟ୍ପାଟ୍ କରି ଫେରାର ହୋଇଯାଉଥିଲେ । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଥିବା ଜଣାପଡ଼ିଛି ।