ପୁଲିସ ଉପରକୁ ଗାଡି ଚଢ଼ାଇ ଯୁବକ ଗିରଫ

ଭୁବନେଶ୍ୱର, ୯ା୫ : ଲକ୍ଷ୍ମୀସାଗର ଛକରେ ଗତକାଲି ବିଳମ୍ବିତ ରାତିରେ ଚେକିଂ ଓ ବ୍ଲକିଂ ଚାଲିଥିବା ବେଳେ ଜଣେ ମଦୁଆ ଚାଳକ ତାର କାରକୁ ଦ୍ରୁତଗତିରେ ନେବାବେଳେ ଚେକିଂ ଟିମ ତାକୁ ଅଟକାଇଥିଲେ । ହେଲେ ଚାଳକ ଜଣଙ୍କ ଗାଡି ନରଖି ଓଲୋଟି ପୁଲିସ ଟିମ ଉପରକୁ ଗାଡି ଚଢ଼ାଇ ଫେରାର ବେଳେ ମାଡି ବସିଲା ଟିମ । ପରେ ତାକୁ ଗିରଫ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ଭରତପୁର ଅଞ୍ଚଳର ଅମିତ କୁମାର ବେହୁରିଆ ।
ସୂଚନାଯୋଗ୍ୟଯେ, ବୁଧବାର ମଧ୍ୟ ରାତ୍ରିରେ ଲକ୍ଷ୍ମୀସାଗର ଥାନା ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଥାନାର ପୁଲିସ ଟିମ ଲକ୍ଷ୍ମୀସାଗର ଛକରେ ମୋଟରଗାଡି ଯାଞ୍ଚ ପକ୍ରିୟା ଜାରି ରଖିଥିଲେ । ମଧ୍ୟ ରାତ୍ରି ସମୟ ପ୍ରାୟ ୧.୧୦ରେ ଅଭିଯୁକ୍ତ ଜନସାଧାରଣଙ୍କ ଜୀବନକୁ ବିପଦରେ ପକାଇ ଦ୍ରୁତଗତି ଓ ବେପରୁଆ ଭାବରେ କାର ଚାଳନା କରି ଆସୁଥିବାର ଦେଖିବା ପରେ ପୁଲିସ ଟିମ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ଅଭିଯୁକ୍ତ କିଛି ନସୁଣି କାରକୁ ନେଇ ଷ୍ଟପ୍ ବୋଡରେ ଧକ୍କା ଦେଇଥିଲେ । ଫଳରେ ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀ ମାନେ ଆହତ ହୋଇଥିଲେ । ପରେ ଅଭିଯୁକ୍ତ ଜଣଙ୍କ ଦୁର୍ଘଟଣା ଘଟାଇ ସଙ୍ଗେ ସଙ୍ଗେ ସେଠାରୁ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଟିମ ଅଭିଯୁକ୍ତର ପିଛା କରି କିଛି ଦୁରରେ ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଅଭିଯୁକ୍ତର ଯାଞ୍ଚ ବେଳେ ସେ ନିଶା ସେବନ କରି ଗାଡି ଚାଳନା କରୁଥିବାର ଜାଣିବା ପରେ ତାଙ୍କର ବ୍ରେଥ ଆନାଲାଇଜରରେ ଯାଞ୍ଚ କରାଯାଇଥିଲା । ଯାହାର ପରିମାଣ ୨୧୧/୧୦୦ ମିଲିଗ୍ରାମ ଥିଲା । ପରେ ପୁଲିସ ଟିମ ଅଭିଯୁକ୍ତଙ୍କର କାରକୁ ଜବତ କରି ତାଙ୍କୁ ତଦନ୍ତ ପାଇଁ ଥାନାକୁ ଆଣି ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ।