ଜେଲ ଗଲେ ପଦ ହରାଇବେ

  ନୂଆଦିଲ୍ଲୀ: ଏଣିକି ଆଉ ନାହିଁ ତ୍ରାହି । ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ମୁଖ୍ୟମନ୍ତ୍ରୀ ଜେଲ ଗଲେ ହରାଇବାକୁ ପଡିବ ପଦ । ଏନେଇ ଆଜି ଲୋକସଭାରେ ବିଲ ଆଣିଛନ୍ତି କେନ୍ଦ୍ର ସରକାର । ଆଉ ଏହି ବିଲ ଗୃହରେ ଆଗତ ହେବା ପରେ ତାତି ଉଠିଥିଲେ ବିରୋଧୀ । ସମସ୍ତ ବିରୋଧୀ ସାଂସଦ ଏକଜୁଟ ହୋଇ ଏହି ବିଲକୁ ପ୍ରବଳ ବିରୋଧ କରିବା ସହ ସରକାର ବିରୋଧୀ ନାରା ଦେଇ ଗୃହ ମଧ୍ୟକୁ ଆସିଥିଲେ । ସେଠାରେ ହୋହାଲ୍ଲା କରିବା ସହ ବିଲର କପିକୁ ଚିରି ଫୋପାଡିବା ସହ ଏହାର ଟୁକୁଡାକୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରକୁ ଫୋପାଡି ଥିଲେ । କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ୩ଟି ସଂଶୋଧନ ବିଲ ଆଗତ କରିଥିଲେ । 
ତାମଧ୍ୟରେ ରହିଛି ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍-୨୦୨୫, କେନ୍ଦ୍ରଶାସିତ ଅଞ୍ଚଳ ସରକାର ସଂଶୋଧନ ବିଲ୍-୨୦୨୫  ଓ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲ୍- ୨୦୨୫ । ୩ଟି ବିଲ୍ ଆଗତ କରିବା ପରେ ବିଲ ଗୁଡ଼ିକୁ ଜେପିସିକୁ ପଠାଇବାକୁ ଶାହ ପ୍ରସ୍ତାବ ଦେଇଥିଲେ । ଦାଗୀ ନେତାଙ୍କୁ ପାନେ ଦେବାକୁ ଓ ସେମାନଙ୍କ ପଦର ଅପବ୍ୟବହାରକୁ ନେଇ ବିଲ୍ ଆଗତ ହୋଇଛି । ବିଲର ପ୍ରାବଧାନ ଅନୁସାରେ ଏଣିକି ନେତା ହୁଅନ୍ତୁ କି ମନ୍ତ୍ରୀ ଅବା ହୁଅନ୍ତୁ ମୁଖ୍ୟମନ୍ତ୍ରୀ କି ପ୍ରଧାନମନ୍ତ୍ରୀ, ଅପରାଧରେ ଲିପ୍ତ ଥିଲେ କିମ୍ବା ଅପରାଧିକ ମାମଲାରେ ମାସେରୁ ଅଧିକ ଜେଲ ଯାଇଥିଲେ ସେମାନଙ୍କୁ ଆଉ ମିଳିବନି ନିସ୍ତାର ।  ସେମାନଙ୍କୁ ସେମାନଙ୍କ ପଦ ହରାଇବାକୁ ପଡ଼ିବ । ୩୦ ଦିନରୁ ଅଧିକ ଜେଲ୍ରେ ରହିଲେ ଯିବ ସେମାନଙ୍କ ପଦ । ଯଦି ଜଣେ ନେତା ୩୦ ଦିନରୁ ଅଧିକ ଜେଲ୍ରେ ରୁହନ୍ତି କିମ୍ବା ସେମାନଙ୍କୁ ଅତି କମ୍ରେ ୫ ବର୍ଷ ଜେଲ ଦଣ୍ଡ ହୁଏ, ତାହାଲେ ସେହି ନେତାଙ୍କୁ ତାଙ୍କ ପଦରୁ ବହିଷ୍କାର କରାଯିବ । ବିଲ୍ ଉପସ୍ଥାପନ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ବିରୋଧ ଆରମ୍ଭ କରି ହଟ୍ଟଗୋଳରେ ପଶି ସ୍ଲୋଗାନ ଦେଇଥିଲେ, କାରଣ ସେମାନଙ୍କ ମଧ୍ୟରୁ କେତେକ ଶାହଙ୍କ ସମ୍ମୁଖରେ ବିଲ୍ର କପି ଚିରି ଦେଇଥିଲେ । ଏଆଇଏମଆଇଏମର ଅସଦୁଦ୍ଦିନ୍ ଓୱେସି, କଂଗ୍ରେସର ମନୀଷ ତିୱାରୀ ଓ କେ.ସି. ଭେନୁଗୋପାଳଙ୍କ ସମେତ ବିରୋଧୀ ଦଳର ସାଂସଦମାନେ ପ୍ରସ୍ତାବିତ ଆଇନକୁ ସମ୍ବିଧାନ ଓ ସଂଘୀୟତା ବିରୁଦ୍ଧରେ ଅଭିହିତ କରି ପ୍ରସ୍ତାବ ବିରୋଧରେ ବକ୍ତବ୍ୟ ରଖିଥିଲେ । ଭେନୁଗୋପାଳ ଗୁଜରାଟର ଗୃହମନ୍ତ୍ରୀ ଥିବା ସମୟରେ ଶାହଙ୍କ ଗିରଫଦାରୀ ପ୍ରସଙ୍ଗ ଉଠାଇ ରାଜନୀତିରେ ତାଙ୍କର ନୈତିକତା ଦାବି ବିଷୟରେ ପଚାରିଥିଲେ, ସେତେବେଳେ ଶାହ ଏହାର ଜବାବ ଦେଇ କହିଥିଲେ ଯେ ସେ ଗିରଫ ହେବା ପୂର୍ବରୁ ନୈତିକତା ଆଧାରରେ ଇସ୍ତଫା ଦେଇଥିଲେ ଓ କୋର୍ଟ ଦ୍ୱାରା ମୁକ୍ତ ହେବା ପରେ ହିଁ ସରକାରରେ ଯୋଗ ଦେଇଥିଲେ । ଆମେ ଏତେ ନିର୍ଲଜ୍ଜ ହୋଇପାରିବୁ ନାହିଁ ଯେ ଗମ୍ଭୀର ଅଭିଯୋଗର ସମ୍ମୁଖୀନ ହୋଇ ଆମେ ସାମ୍ବିଧାନିକ ପଦବୀରେ ରହିବୁ ।  ମୁଁ ଚାହୁଁଛି ନୈତିକତାର ମୂଲ୍ୟ ବୃଦ୍ଧି ପାଉ । ଯେଉଁ ନେତା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଅପରାଧୀକ ମାମଲାରେ ୩୦ ଦିନରୁ ଅଧିକ ଜେଲ ଯାଇଥିଲେ ତାଙ୍କ ପଦ ଯିବ । ଏହି ବିଲକୁ ସଂସଦର ମିଳିତ କମିଟିକୁ ପଠାଯିବ । ବିରୋଧୀ ଦଳ ସମେତ ଉଭୟ ଗୃହର ସଦସ୍ୟମାନେ ସେମାନଙ୍କର ପରାମର୍ଶ ଦେବାର ସୁଯୋଗ ପାଇବେ । ସୂଚନାଯୋଗ୍ୟ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୬ ମାସ ଓ ତାମିଲନାଡୁ ମନ୍ତ୍ରୀ ଭି ସେନ୍ଥିଲ୍ ବାଲାଜୀ ୨ ମାସ ଜେଲ୍ରେ ରହିଥିଲେ ବି ନିଜ ପଦରୁ ଇସ୍ତଫା ଦେଇନଥିଲେ ।