ଜେଲ୍ ପାଲଟିଛି ସୁରକ୍ଷିତ ଆଡ୍ଡା
ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଓ ଆସିକା ଜେଲ୍ ଅପରାଧିକ ତତ୍ତ୍ୱମାନଙ୍କ ପାଇଁ ପାଲଟିଛି ହଲିଡେ ହୋମ୍ । ଜେଲ୍ ଭିତରେ ଭାଇମାନଙ୍କୁ ମୌଜ ମଜଲିସ୍ କରିବାର ସୁଯୋଗ ମିଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ ମଦମାଂସର ସବୁ ପ୍ରକାର ସୁବିଧା ଉପଲବ୍ଧି ହେଉଥିବାର କିଛି ଜେଲ୍ ଫେରନ୍ତାଙ୍କଠାରୁ ଶୁଣିବାକୁ ମିଳୁଛି । ଖୁଲମଖୁଲା ଭାବେ ଆଗ ଧାଡ଼ିର ଭାଇମାନେ ମୋବାଇଲ ବି ବ୍ୟବହାର କରୁଛନ୍ତି । ଆଗରୁ ଅନେକ ଥର ବ୍ରହ୍ମପୁର ଓ ଆସିକାର ସବ୍ ଜେଲ୍ରେ ମାଦକ ଦ୍ରବ୍ୟ ସମେତ ମୋବାଇଲ୍ ଜବତ ହୋଇଥିଲା । ଏବେ ଅପରାଧୀମାନେ ବାହାରେ ରହିଲେ ପୋଲିସ ପାଇଁ ମୁଣ୍ଡବ୍ୟଥା ଓ ଭିତରେ ରହିଲେ ଜେଲର୍ ପାଇଁ ମୁଣ୍ଡ ବ୍ୟଥା ସାଜିଲେଣି । ଜେଲରେ ରହି ଦାଦାବଟି ମାଗିବା ସାଙ୍ଗକୁ ସୁପାରୀ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ମନଇଚ୍ଛା ଅନାୟାସରେ କାହାକୁ ବି ନିଜ ସହଯୋଗୀଙ୍କ ଦ୍ୱାରା ହତ୍ୟା କରୁଥିବାର ଖବର ସାମ୍ନାକୁ ଆସିଛି । ଅପରାଧ ଯେତିକି ବଡ, ମୁକୁଳିବା ସମୟ ଅବଧି ସେତେ କମ୍ ! ଏଥିଯୋଗୁଁ ଅପରାଧର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଲାଣିି । ଜେଲ୍ରୁ ନେଟୱାର୍କ ଚାଲୁଥିବା ଯୋଗୁଁ ପୋଲିସ ବି ଅପରାଧିମାନଙ୍କ କାର୍ଯ୍ୟକଳାପର ଠୋସ ପାଉନି । ଏଠାରୁ ହେଉଛି ଅପରାଧ ନେଟୱାର୍କରେ ବ୍ଲୁ ପ୍ରିଣ୍ଟ୍ । ଏଥିଯୋଗୁଁ ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳାସ୍ଥିତି ଏବେ ବିପର୍ଯ୍ୟସ୍ତ । ବଡ଼ବଡ଼ ଭାଇମାନେ ବେଲ୍ରେ ଆସି ଜେଲରେ ଥିବା ନିଜର ସାଥିମାନଙ୍କୁ ଆର୍ଥିକ ସହଯୋଗ କରିବା କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏତେ ସୁବିଧାସୁଯୋଗ ଉପଭୋଗ କରୁଥିବା ଯୋଗୁଁ ଏବେ କାରାଗାର ଅପରାଧିମାନଙ୍କ ପାଇଁ ପାଲଟିଛି ହଲିଡେ୍ ହୋମ୍ । ଜେଲ୍ ନା ଶୁଣିଲେ ମନରେ ଭୟ ଆସୁଥିଲା କିନ୍ତୁ ଏବେ ଏହା ଚିତ୍ତ ବିନୋଦକାରୀ ସ୍ଥାନ ପାଲଟିବାର ଅଭିଯୋଗ ଆସୁଛି । ଏହାଭିତରେ ବ୍ରହ୍ମପୁର, ଆସିକା ଏବଂ ଛତ୍ରପୁର ଜେଲରେ ଚଢ଼ାଉ କରାଯିବା ସହ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି ।