ରାଜା କୃଷ୍ଣ ସିଂହଙ୍କ ପ୍ରଣୀତ ମହଭାରତ ଲୋକାର୍ପିତ
ଭୁବନେଶ୍ୱର : ଭୁବନେଶ୍ୱର ଠାରେ ଜ୍ଞାନଯୁଗ ପବ୍ଲିକେଶନ୍ ଭୁବନେଶ୍ୱର ଦ୍ୱାରା ପ୍ରକାଶିତ ‘ରାଜା କୃଷ୍ଣସିଂହଙ୍କ ପ୍ରଣୀତ ମହାଭାରତ’ ପୁସ୍ତକ ଲୋକାର୍ପିତ ହୋଇଛି । ‘ଚିନ୍ତା ଓ ଚେତନା’ ତରଫରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଓଡିଆ ନବବର୍ଷର ଶୁଭ ଉସôବ ସମାରୋହର ଉଦଯାପନୀ ଦିବସରେ ଗତକାଲି ଏହି ପୁସ୍ତକ ଉନ୍ନମୋଚନ ହୋଇଥିଲା । ଏହି ସମାରୋହରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ଡଃ ପ୍ରଫୁଲ୍ଲ କୁମାର ମହାନ୍ତି, ସଂଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଳିତ ଏବଂ ସିଆରପିଏଫ ଡି.ଜି. ଭାରତ ଭୁଷଣ, ପ୍ରଦୁ୍ୟମ୍ନ ଶତପଥି, ଭାରତ ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ପ୍ରଦୀପ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।
ମହାଭାରତ ଉପରେ ଆଲୋଚନା କରି ଡଃ ପ୍ରଫୁଲ୍ଲ କୁମାର ମହାନ୍ତି କହିଥିଲେ ଯେ ‘ମହାଭାରତ’ କେବଳ ଏକ ମହାକାବ୍ୟ ନୁହେଁ, ଏହା ବୈଦିକ ଭାରତୀୟ ସଭ୍ୟତାର ସଂସ୍କୃତି, ଦର୍ଶନ, ଜୀବନଧାରା ଓ ଜୀବନାଭିମୁଖ୍ୟର ଏକ ଅମର ଗ୍ରନ୍ଥ । ମହାଭାରତ ସର୍ବଭାରତୀୟ ସଭ୍ୟତାର ବିବିଧତା ଗ୍ରହଣ କରି ମଧ୍ୟ ଏକ ଓ ଅନନ୍ୟ । ଓଡିଶାରେ ବ୍ୟାସଦେବଙ୍କ ମହାଭାରତର ପ୍ରଭାବରେ ପ୍ରଥମେ ସାରଳା ଦାସ ୧୫ ଶହ ଶତାବ୍ଦୀରେ ତାଙ୍କର ବିରାଟ କାବ୍ୟ ମହାଭାରତ ରଚନା କରିଥିଲେ । ପରେ ରୀତି ଯୁଗର କବିମାନେ ଓ ଅନ୍ୟମାନେ ମହାଭାରତ ଓ ରାମାୟଣର ଉପାଖ୍ୟାନ ମାନଙ୍କର କବିତା କାବ୍ୟ, ଗଳ୍ପ-ଉପନ୍ୟାସ ଲେଖିଛନ୍ତି । ଓଡିଆ ସାହିତ୍ୟ ବିଶେଷ ଭାବେ ରାମାୟଣ ଓ ମହାଭାରତ ଦ୍ୱାରା ପ୍ରଭାବିତ । ମହାନ୍ତି କହିଥିଲେ ଯେ କୃଷ୍ଣସିଂହ ଧରାକୋଟର ରାଜା ଥିଲେ । ତାଙ୍କର ମହାଭାରତ ସାରଳା ମହାଭାରତ ଠାରୁ ଅଲଗା । ସାରଳାଙ୍କ କୃତି ଏକ ମୌଳିକ । କିନ୍ତୁ କୃଷ୍ଣସିଂହଙ୍କ କାବ୍ୟ ଏକ ଅନୁସୃଜନ । ଶେଷରେ ସୁରେନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସଭା ସାଙ୍ଗ କରି ପରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ।