ବିହାରରେ ୩ ଜୈଶ ଆତଙ୍କବାଦୀ


 ପାଟନା:  ବିହାରରେ ଅନୁପ୍ରବେଶ କରିଛନ୍ତି ୩ଜଣ ପାକିସ୍ତାନୀ ଆତଙ୍କବାଦୀ । ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ସମ୍ପର୍କରେ ଗୁଇନ୍ଦା ସୂଚନା ପାଇବା ପରେ ଗୁରୁବାର ବିହାର ପୁଲିସ ମୁଖ୍ୟାଳୟ ରାଜ୍ୟବ୍ୟାପୀ ହାଇ ଆଲର୍ଟ ଜାରି କରିଛି । ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଇ-ମହମ୍ମଦର ତିନି ଜଣ ଆତଙ୍କୀ ନେପାଳ ସୀମା ଦେଇ ବିହାରରେ ପ୍ରବେଶ କରିଛନ୍ତି । ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ ଯୋଜନା କରିଥିବା ସନେ୍ଦହ କରାଯାଉଛି । 
ଗୁଇନ୍ଦା ରିପୋର୍ଟ ଅନୁଯାୟୀ ସେମାନେ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ କାଠମାଣ୍ଡୁରେ ପହଞ୍ଚିଥିଲେ ଓ ଗତ ସପ୍ତାହରେ ବିହାରରେ ପ୍ରବେଶ କରିଥିଲେ । ବିହାର ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସନ୍ଦିଗ୍ଧ ବ୍ୟକ୍ତିମାନେ ହେଉଛନ୍ତି ପାକିସ୍ତାନ ରାୱଲପିଣ୍ଡିର ହସନେନ ଅଲି, ଉମରକୋଟର ଆଦିଲ ହୁସେନ ଓ ବାହାବଲପୁରର ମହମ୍ମଦ ଉସମାନ । କର୍ତ୍ତୃପକ୍ଷ ବିଶ୍ୱାସ କରୁଛନ୍ତି ଯେ ସେମାନଙ୍କୁ ଜଣେ ସ୍ଥାନୀୟ ନେପାଳୀ ବାସିନ୍ଦା ଅନୁପ୍ରବେଶ ପାଇଁ ସାହାଯ୍ୟ କରିଛନ୍ତି । ପୂର୍ଣ୍ଣିଆର ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ପ୍ରମୋଦ କୁମାର ମଣ୍ଡଳ କହିଛନ୍ତି ଯେ ନେପାଳ ଏବଂ ବାଂଲାଦେଶ ସହିତ ସୀମା ସେୟାର କରୁଥିବା ପୂର୍ଣ୍ଣିଆ, କଟିହାର, ଆରାରିଆ ଓ କିଶନଗଞ୍ଜର ଏସ୍ପିମାନଙ୍କୁ ସର୍ବାଧିକ ସତର୍କତା ବଜାୟ ରଖିବାକୁ କୁହାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବର୍ଷ ଶେଷରେ ରାଜ୍ୟରେ ନିର୍ବାଚନ ହେବାକୁ ଥିବାରୁ ବିଭିନ୍ନ ଏଜେନ୍ସିରୁ ଏପରି ଗୁଇନ୍ଦା ସୂଚନା ଆସୁଛି । ବିହାର ପୁଲିସ ମୁଖ୍ୟାଳୟ ପକ୍ଷରୁ ଏହି ତିନି ଜଣ ଆତଙ୍କବାଦୀଙ୍କ ଫଟୋ ଜାରି କରାଯାଇଛି । ସେମାନଙ୍କ ପାସପୋର୍ଟ ସମ୍ପର୍କିତ ସୂଚନା ସୀମାନ୍ତ ଜିଲାଗୁଡ଼ିକର ଅଧିକାରୀଙ୍କ ସହ ସେୟାର କରାଯାଇଛି । ଯେକୌଣସି ସନେ୍ଦହଜନକ କାର୍ଯ୍ୟକଳାପ ନଜର ଆସିଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଗୁପ୍ତଚର ୟୁନିଟଗୁଡ଼ିକୁ କୁହାଯାଇଛି ।