ଝାରପଡ଼ା ଜେଲରେ କଏଦୀଙ୍କ ଚାଲିଛି ଭାଇଗିରି
ଜେଲରଙ୍କ ହାତକୁ ବ୍ଲେଡ଼ରେ କାଟିଦେଲେ
ଆଲାରାମ ବାଜିବାରୁ ପହଞ୍ଚିଲା ସ୍ଥାନୀୟ ପୁଲିସ
ଭୁବନେଶ୍ୱର, ୨୫ା୧୦ : ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ଝାରପଡ଼ା ସ୍ୱତନ୍ତ୍ର କାରାଗାର । ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥାଇ ପୁଲିସ ଦ୍ୱାରା ଗିରଫ ହୋଇ ଜେଲ ଆସୁଥିବା କଏଦୀମାନେ ଜେଲରେ ମଧ୍ୟ ସେମାନଙ୍କ ଆତଙ୍କରାଜ ଭିଆଉଛନ୍ତି । କେତେବେଳେ ଜେଲ ମଧ୍ୟରେ ରହୁଥିବା କଏଦୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରୁଛନ୍ତି ତ ପୁଣିକେତେ ବେଳେ ଜେଲର ଚାରିକାନ୍ଥ ଭିତରେ ଛୁରୀ ଦେଖାଇ ଦାଦାବଟି ମାଗିବାର ଭିଡ଼ିଓ ଭାଇରାଲ କରି ଲୋକଙ୍କୁ ଧମକାଉଛନ୍ତି । ଏହାରି ମଧ୍ୟରେ ଶୁକ୍ରବାର ଜେଲ ଭିତରେ ଏକ ବଡ଼ଧରଣର ଅଘଟଣ ଘଟିଛି । ଭିନ୍ନିଭିନ୍ନ ଅପରାଧୀକ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜେଲ ଆସିଥିବା ୫ ଜଣ ଅପରାଧୀ ଜେଲ ମଧ୍ୟରେ ଜଣେ ୱାର୍ଡରଙ୍କୁ ଆକ୍ରମଣ କରିଥିବା ବେଳେ ୱାର୍ଡରଙ୍କୁ ରକ୍ଷା କରିବାକୁ ଯାଇଥିବା ଜେଲର ପ୍ରସନ୍ନ ସାହୁଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିବା ସହ ତାଙ୍କ ହାତକୁ କାଟି ଦେଇଛନ୍ତି । ଏପରିକି କଏଦୀମାନେ ପାଖରେ ପଡ଼ିଥିବା ଏକ ପଥର ଉଠାଇ ଜେଲରଙ୍କୁ ଜୀବନରୁ ମାରି ଦେବାକୁ ଚେଷ୍ଟା କରୁଥିବା ବେଳେ ଜଣେ ୱାର୍ଡର ଜେଲର ଆଲାରାମ ବଜାଇ ଦେବାରୁ ଘଟଣାସ୍ଥଳରେ ସମସ୍ତ ୩୫ଜଣ ୱାର୍ଡର ଓ ସୁପରିଟେଣ୍ଡଣ୍ଟ ଏକାଠି ହୋଇଯିବାରୁ ଜେଲର ଅଳ୍ପକେ ବର୍ତ୍ତୀଯାଇଥିଲେ । ପରବର୍ତ୍ତୀ ସମୟରେ ଗୁରୁତର ଜେଲରଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି । ଏନେଇ ଜେଲର ସୁପରିଟେଣ୍ଡଣ୍ଟ ମନମୋହନ ପ୍ରତିହାରୀଙ୍କ ଅଭିଯୋଗକ୍ରମେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ବ୍ରାଉନସୁଗର ବ୍ୟବସାୟ କରିବା ଅଭିଯୋଗରେ ଗତ କିଛିଦିନ ତଳେ କେଦାରପଲ୍ଲୀ ବସ୍ତିର ଅଜୟ ନାୟକ ଓରଫ ନନ୍ଦୁ ଗିରଫ ହୋଇ ଜେଲ ଆସିଥିଲେ । ବୁଧବାର ଅଜୟ, ନାରଣ ମହାନ୍ତି, ସନ୍ତୋଷ ତାୱା, ଲିଙ୍ଗରାଜ ବାରିକ ଓ ସଞ୍ଜୟ ମଲ୍ଲିକ ଜେଲର ଚାରିକାନ୍ଥ ଭିତରେ ଏକ ଛୁରୀ ଦେଖାଇ ଭିଡ଼ିଓ କରିଥିଲେ । ଏହି ଭିଡ଼ିଓରେ ସେମାନେ ଜୈନିକ ବ୍ୟବସାୟୀକ ନାଁ ନେବା ସହ ତାଙ୍କୁ ଦାଦାବଟି ମାଗିଥିଲେ । ଉକ୍ତ ଭିଡ଼ିଓଟି ଭାଇରାଲ ହେବା ସହ ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ କରାଯାଇଥିଲା । ଏହାପରେ ଜେଲ କର୍ତ୍ତୃପକ୍ଷ ଉପରୋକ୍ତ ଅଭିଯୁକ୍ତମାନଙ୍କ ଠାରୁ ଏକ ସ୍ମାର୍ଟ ଫୋନ ଏବଂ ଛୁରୀକୁ ଜବତ କରିଥିଲେ । ଉକ୍ତ ଛୁରୀଟିକୁ ଅପରାଧୀମାନେ ନିଜ ପାଖରେ ଲୁଚାଇ ରଖି ଏହି ଭିଡ଼ିଓ କରିଥିବା ଘଟଣାଦିନ ସୁପରିଟେଣ୍ଡଣ୍ଟ ସୂଚନା ଦେଇଥିଲେ । ଏହାପରେ ଅଭିଯୁକ୍ତମାନଙ୍କୁ ଜେଲର ହାଇ ସିକୁ୍ୟରିଟି ସେଲରେ ରଖାଯାଇଥିଲା । ଯାହାକୁ ନେଇ କଏଦୀମାନେ ଜେଲର ଓ ୱାର୍ଡରଙ୍କ ଉପରେ ରାଗ ରଖିଥିଲେ । ଶୁକ୍ରବାର କଏଦୀମାନେ ସେଲରୁ ବାହାରି ବାହାରକୁ ମଧ୍ୟାହ୍ନ ଭୋଜନ ନେବାକୁ ଆସିଥିବା ବେଳେ ପୂର୍ବ ରାଗ ଶୁଝାଇବାକୁ ଯାଇ ପ୍ରଥମେ ୱାର୍ଡରଙ୍କୁ ଆକ୍ରମଣ କରିଥିଲେ । ୱାର୍ଡରଙ୍କୁ କଏଦୀମାନେ ମାରୁଥିବା ନେଇ ସିସିଟିଭିରେ ଦେଖିବା ପରେ ଜେଲର ତୁରନ୍ତ ଭିତରକୁ ଯାଇ ଅପରାଧୀଙ୍କ ଠାରୁ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଅଭିଯୁକ୍ତମାନେ ମାଡ଼ ମାରୁଥିବା ୱାର୍ଡରଙ୍କୁ ଛାଡ଼ି ହଠାତ ଜେଲର ପ୍ରସନ୍ନ ସାହୁଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ । ଅଭିଯୁକ୍ତମାନେ ନିଜ ପାଖରେ ରଖିଥିବା ଏକ ଛୁରୀରେ ପ୍ରସନ୍ନଙ୍କ ବାମ ହାତକୁ ବାରମ୍ବାର କାଟିବା ସହ ପାଖରେ ଥିବା ଏକ ପଥର ଉଠାଇ ତାଙ୍କ ମୁଣ୍ଡକୁ ଛେଚି ଦେବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ନିକଟରେ ଥିବା ୱାର୍ଡରମାନେ ଅଭିଯୁକ୍ତମାନଙ୍କୁ ଠେଲାପେଲା କରିବା ସହ ଜେଲରେ ଲାଗିଥିବା ଆଲାରାମଟିକୁ ବଜାଇଥିଲେ । ଉକ୍ତ ଆଲାରାମର ଏକ କନେକ୍ସନ ଲକ୍ଷ୍ମୀସାଗର ଥାନାରେ ମଧ୍ୟ ରହିଛି । ଜେଲରେ କୌଣସି ବଡ଼ଧରଣର ଅଘଟଣ ଘଟିଲେ ଏହି ଆଲାରାମଟି ବଜାଯାଇଥାଏ । ଆଲାରାମ ବାଜିବା ଶୁଣି ତୁରନ୍ତ ଜେଲ ସୁପରିଟେଣ୍ଡଣ୍ଟ ଓ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜେଲର ପ୍ରସନ୍ନ ଏବଂ ୱାର୍ଡରଙ୍କୁ କଏଦୀମାନଙ୍କ କବଳରୁ ରକ୍ଷା କରିଥିବା ଜଣାପଡ଼ିଛି । ଏନେଇ ସୁପରିଟେଣ୍ଡଣ୍ଟ ମନମୋହନ ପ୍ରତିହାରୀ କହିଛନ୍ତି ଯେ, ଅଭିଯୁକ୍ତମାନଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୁଲିସ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଜେଲ ମାନୁଆଲରେ ଯେଉଁ ନିୟମ ରହିଛି ତାହା ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଜେଲ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ ଶୁକ୍ରବାର ଜେଲରଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କ ଅଧିକ ସୁରକ୍ଷା ମଧ୍ୟ ରଖାଯିବ । ସେହିପରି ଜେଲ ଭିତରକୁ ମୋବାଇଲ, ଛୁରୀ ଓ ବ୍ଲେଡ ଭଳି ଜିନିଷ କିପରି ଆସୁଛି ସେ ନେଇ ପଚାରିବାରୁ ସୁପରିଟେଣ୍ଡଣ୍ଟ କହିଛନ୍ତି ଯେ, ଝାରପଡ଼ା ଜେଲର ଭୌଗଳିକ ସ୍ଥିତ ସମସ୍ତଙ୍କୁ ଜଣା ରହିଛି । ଜେଲ ଚାରିପାଖ ଅଞ୍ଚଳରେ ଜନ ବସତି । ତେଣୁ ଜେଲ ପାଚେରୀକୁ ଲାଗି କେହି ବି ଜଣେ ଚାହିଁଲେ କିଛି ବି ଜିନିଷ ଜେଲ ଭିତରକୁ ଫୋଫାଡ଼ି ପାରିବ । ବହୁ ସମୟରେ ଜେଲ ବାହାରୁ ଫୋଫଡ଼ା ଯାଉଥିବା ଜିନିଷକୁ ୱାର୍ଡରମାନେ ଜବତ କରୁଛନ୍ତି । ଆଗାମୀଦିନରେ ଏ ସମସ୍ତ ଜିନିଷ ଯେପରି କଏଦୀଙ୍କ ପାଖକୁ ନ ଆସିପାରିବ ସେ ଦିଗରେ ଗୁରୁତ୍ୱ ଦିଆଯିବ ବୋଲି ସୁପରିଟେଣ୍ଡଣ୍ଟ ଶ୍ରୀ ପ୍ରତିହାରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଜେଲ ଭିତରେ ଘଟୁଥିବା ଅପରାଧ ଓ ଭିତରକୁ ମୋବାଇଲ, ଛୁରୀ, ଗଞ୍ଜେଇ, ମଦ, ବ୍ରାଉନସୁଗାର, ସିଗାରେଟ୍ ଭଳି ନିଶାଦ୍ରବ୍ୟ ପ୍ରବେଶରେ କିଛି ଗାଦିମଡା ୱାଡରଙ୍କ ହାତ ରହୁଥିବା ବିଶ୍ୱସ୍ତ ସୁତ୍ରରୁ ସୂଚନା ହସ୍ତଗତ ହୋଇଛି । ଜଦି ଏଭଳି ଜେଲ ମଧ୍ୟରେ ଅପରାଧୀଙ୍କୁ ପ୍ରତ୍ସାହନ ଦିଆଯାଏ ତାହାହେଲେ ଅପରାଧୀମାନେ ଜେଲରେ ଥାଇ ମଧ୍ୟ ବଡ଼ବଡ଼ ଅପରାଧୀକ କାର୍ଯ୍ୟ ଅବା ଅପରାଧ ଘଟାଇପାରିବେ । ଯାହାକୁ ନେଇ ଜେଲ ଡ଼ିଜିଙ୍କ ନଜରକୁ ଆସିବା ଦରକାର ଓ ଅତିସିଘ୍ର ଝାରପଡ଼ା ଜେଲରେ ଗାଦିମାଡି ବସିଥିବା ଓ ଅପରାଧୀଙ୍କୁ ସହଯୋଗ କରୁଥିବା ୱାଡର କିମ୍ବା ଅନ୍ୟ କର୍ମଚାରୀଙ୍କୁ ତୁରନ୍ତ ଅନ୍ୟ ଜିଲ୍ଲାକୁ ବଦଳି କରାଯାଉ ବୋଲି ଦାବି ହୋଇଛି । ତାହାସହ ଜେଲ କର୍ମଚାରୀଙ୍କ ସୁରକ୍ଷା ପାଇର୍ ହାତରେ ବାଡି ଖଣ୍ଡେ ମଧ୍ୟ ନାହିଁ । ଯାହାଫଳରେ ଅପରାଧୀମାନେ ଜେଲ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉନାହାନ୍ତି । ଏଭଳି ଜେଲର ଅବସ୍ତା ଉପରେ ଉପରସ୍ତ ଅଧିକାରୀଙ୍କ ନଜର ଆଡକୁ ଆସିଲେ ଜେଲର ଢ଼ାଞ୍ଚା ବଦଳି ପାରନ୍ତା ଓ ଅପରାଧୀମାନେ ଅପରାଧ ଘଟାଇବା ପୂର୍ବରୁ ଶହେଥର ଚିନ୍ତା କରନ୍ତେ । ଅନ୍ୟପଟେ ଝାରପଡ଼ା ଜେଲରେ ଅସାନ୍ତ ଘଟଣାକୁ ନେଇ ଆଜି ସୁନିଲ ରଥଙ୍କ ଦ୍ୱାରା ଏକ ମୋକଦମା ଫାଇଲ କରାଯାଇଥିବା ଜଣାପଡ଼ିଛି ।