ରାତି ହେଲେ ବ୍ଲକିଂ ନାଁରେ ଗୁଣ୍ଡାରାଜ୍ ଚଳାଉଛି ପୁଲିସ
ଭୁବନେଶ୍ୱର,୧୨ା୬ : ରାତି ହେଲେ କମିଶନରେଟ୍ ପୁଲିସକୁ ଫାଇନ୍ କାଟି ଟଙ୍କା କଲେକ୍ସନ୍ କରିବା ନିଶା ଘାରିଛି । ସେଥିପାଇଁ ରାତି ଦିନ ଲୋକଙ୍କଠାରୁ ମାଡ ମାରି ରକ୍ତାକ୍ତ କରି ଫାଇନ୍ ଆଦାୟ କରାଯାଉଛି । ଏହି ଭିତରେ ସାମ୍ନାକୁ ଆସିଛି ଲୋମ ହର୍ଷଣକାରୀ ଘଟଣା । ରାତିରେ ପୁଲିସ୍ ଚେକିଂ ଦେଖି ଭୟରେ ଫେରି ଯାଉଥିବା ୨ ଜଣ ଯୁବକଙ୍କୁ ଗୋଡାଇ ଗୋଡାଇ ମାଡ ମାରି ମୁଣ୍ଡ ଫଟାଇ ଦେଇଛି ପୁଲିସ । ଏହି ୨ ଯୁବକଙ୍କ ମଧ୍ୟରୁ ଜଣେ ଯୁବକ ଏବେ ଏକ ଘରୋଇ ହସ୍ପିଟାଲ୍ର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।
ସୂଚନାଯୋଗ୍ୟଯେ, ଗତ କିଛି ମାସ ହେବ ଫାଇନ୍ କାଟି ଟଙ୍କା କମାଇବାକୁ ଅଧିକ ଫୋକସ୍ ଦେଇଛି କମିଶରେଟ୍ ପୁଲିସ । ଚୋର ଲୁଟେରାଙ୍କ ପଛରେ ନପଡ଼ି ଫାଇନ୍ ଆଦାୟକୁ ଗୁରୁତ୍ୱ ଦେବାରେ ଲାଗିଛି । ରାତିକୁ ୧୦ ଲକ୍ଷ ଟଙ୍କାର ଟାର୍ଗେଟ୍ ନେଇ ସହରର ବିଭିନ୍ନ ସ୍ଥାନରେ ବ୍ଲକିଂ କରାଯାଉଛି । ମଦ୍ୟପ ଚାଳକଙ୍କ ୧୦ ହଜାର, ଫୋନ୍ରେ କଥା ହେଲେ ୫ ହଜାର ଓ ବିନା ହେଲ୍ମେଟ୍ରେ ଗଲେ ୧ ହଜାର ଟଙ୍କା ଫାଇନ୍ ଆଦାୟ କରାଯାଉଛି । ରାତିରେ ଟ୍ରାଫିକ୍ ୧ ଓ ଟ୍ରାଫିକ୍ ୨ ଥାନା ପୁଲିସ ଓ ସ୍ଥାନୀୟ ପୁଲିସ ମିଳିତ ଭାବେ ବ୍ଲକି୍ଂ ଚେକିଂ କରିବା ସମୟରେ ଜବତ ଗାଡି ଗୁଡ଼ିକୁ ଥାନାରେ ରଖି ଦେଉଛି ପୁଲିସ । ଯାହାକୁ ନେଇ ଅନେକ ଲୋକ ବିଭିନ୍ନ ସମସ୍ୟାରେ ପଡୁଛନ୍ତି । ରାତି ହେଲେ ଫାଇନ୍ କଲେକ୍ସନ୍ ପାଇଁ ପୁଲିସ୍ ରକ୍ତମୁଖା ପାଲଟି ଯାଉଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗତ ରବିବାର ବିଳମ୍ବିତ ରାତିରେ ।
ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ କଲେଜରେ ପାଠ ପଢ଼ୁଥିବା କୁମାର ତନ୍ମୟ ପଟିଆ ଅଞ୍ଚଳରେ ଘର ଭଡ଼ା ନେଇ ରହୁଛନ୍ତି । ରବିବାର ସନ୍ଧ୍ୟାରେ ସେ ଏକ ଭୋଜିକୁ ଯାଇଥିଲେ । ରାତି ୧୦ଟା ବେଳେ ଘରକୁ ଫେରିଥିଲେ । ହେଲେ କିଛି ସମୟ ରହିବା ପରେ ତାଙ୍କ ପେଟ ଖରାପ ହୋଇଥିଲା । ଫଳରେ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ତନ୍ମୟ ଓ ତାଙ୍କର ଜଣେ ସାଙ୍ଗ ବାଇକ୍ରେ ହସ୍ପିଟାଲ୍ ବାହାରିଥିଲେ । କିନ୍ତୁ ତରବର ଭାବେ ସେମାନେ ହେଲ୍ମେଟ୍ ଆଣିବା ଭୁଲି ଯାଇଥିଲେ । ଘର ଠାରୁ କିଛି ବାଟ ଆସିବା ପରେ ସେମାନେ ଦେଖିଥିଲେ ଡମଣାଛକରେ ଚନ୍ଦ୍ରଶେଖରପୁର ଥାନା ପକ୍ଷରୁ ଚେକିଂ ଚାଲିଥିଲା । ଏହା ଦେଖି ସେ ଗାଡି ବୁଲାଇ ଘରକୁ ଫେରି ଯାଉଥିଲେ । ହେଲେ ଅନ୍ଧାରରେ ଲୁଚିଥିବା ଦୁଇ ଜଣ ପୁଲିସ ହଠାତ୍ ରାସ୍ତା ଉପରକୁ ଚାଲି ଆସିଥିଲେ ଓ କିଛି ବୁଝିବା ପୂର୍ବରୁ ଆଖି ବୁଜା ପିଟିଥିଲେ । ଫଳରେ ତନ୍ମୟଙ୍କ ମୁଣ୍ଡ ଓ ତାଙ୍କ ସାଙ୍ଗ ଓଠ ଫାଟି ଯାଇଥିଲା ପରେ ଦୁଇ ଜଣ ତଳେ ପଡି ଯାଇଥିଲେ । କିଛି ଦୂରରେ ଥିବା ଅନ୍ୟ ପୁଲିସ୍ କର୍ମଚାରୀ ମାନେ ମଧ୍ୟ ସେଠାରେ ପହଞ୍ଚି ନିସ୍ତୁତ ପିଟି ରକ୍ତାକ୍ତ କରି ଦେଇଥିଲେ । ହେଲେ ଯେତେବେଳେ ଯୁବକଙ୍କ ରକ୍ତ ବାହାରିବା ଦେଖି ପୁଲିସ କର୍ମଚାରୀମାନେ ତାଙ୍କୁ ସେଠାରୁ ଛାଡି ଦେଇଥିଲେ । ଏମିତି ହସ୍ପିଟାଲ୍ ମଧ୍ୟ ସେମାନଙ୍କୁ ନେଇନଥିଲେ । ଭୁଲିଯାଇଥିଲେ ମାନବିକତା । ଏହି ସମୟରେ ତନ୍ମୟ ଓ ତାଙ୍କ ସାଙ୍ଗ ରକ୍ତାକ୍ତ ଅବସ୍ଥାରେ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ଆସିଥିଲେ । ପ୍ରାଥମିକ ଚିକିତ୍ସାରେ ତାଙ୍କୁ କଟକ ବଡ଼ମେଡିକାଲ୍କୁ ସ୍ଥାନାନ୍ତରିତ କରିଥିଲେ । ସେ ଏବେ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ପୁଲିସର ଏଭଳି ଅମାନୁସିକ କାଣ୍ଡକୁ ନେଇ ତନ୍ମୟଙ୍କ ପରିବାର ଲୋକ ଭାଙ୍ଗି ପଡିଛନ୍ତି । ତନ୍ମୟ ସୁସ୍ଥ ହେଲେ ପରେ ସେମାନେ ଡିଜିପିଙ୍କୁ ଭେଟି ଘଟଣା ବିଷୟରେ ଜଣାଇବେ ବୋଲି ଆକ୍ରମଣର ଶିକାର ହହୋଇଥିବା ଯୁବକଙ୍କ ପରିବାର କହିଛନ୍ତି । ସବୁଠାରୁ ବଡ଼ କଥା ହେଲା ପୁଲିସ କମିଶନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂ ଏ ବିଷୟରେ ଜାଣିଛନ୍ତି । ତାଙ୍କ ପାଖରେ କୌଣସି ଅଭିଯୋଗ ନାହିଁ କହି ଘଟଣାକୁ ଏଡାଇ ଦେଇଛନ୍ତି ।