ଜେଲ ଗଲା ଅଭିଯୁକ୍ତ; ରକ୍ତ ଲଗା ଛୁରୀ ଜବତ
ଭୁବନେଶ୍ୱର,୨୫ା୧୦ : ଶଳାର ତଣ୍ଟିକୁ ଅତି ବିଭତ୍ସ ଭାବେ କାଟି ହତ୍ୟା କରିବା ମାମଲାରେ ଚନ୍ଦକା ଥାନା ପୁଲିସ ଶୁକ୍ରବାର ଅଭିଯୁକ୍ତ ଭିଣୋଇକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଭିଣୋଇ ଲକ୍ଷ୍ମୀଧର ଦାସ(୫୯)ଙ୍କ ଠାରୁ ପୁଲିସ ହତ୍ୟାରେ ବ୍ୟବହୃତ ରକ୍ତ ଲଗା ଛୁରୀକୁ ମଧ୍ୟ ଜବତ କରିଛି । ପାରିବାରିକ କଳହ ଯୋଗୁଁ ନିଶାସକ୍ତ ଅବସ୍ଥାରେ ଭିଣୋଇ ଲକ୍ଷ୍ମୀଧର ନିଜ ଶଳା ପ୍ରଶାନ୍ତ ବିଶ୍ୱାଳଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଥିବା ପୁଲିସ ଜାଣିବାକୁ ପାଇଛି । ଗିରଫ ଲକ୍ଷ୍ମୀଧରଙ୍କ ଘର ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଗଙ୍ଗପଡ଼ା ଅଞ୍ଚଳରେ ହୋଇଥିବା ବେଳେ, ବର୍ତ୍ତମାନ ସମୟରେ ସେ ଚନ୍ଦକା ଥାନା ଅଧିନସ୍ତ ମେଣ୍ଢାଶାଳ ଶଶୁର ଘର ଗାଁରେ ରହୁଥିଲେ । ଏନେଇ ମୃତକଙ୍କ ଦାଦା ସୁରେନ୍ଦ୍ରନାଥ ବିଶ୍ୱାଳ ଚନ୍ଦକା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ସୂଚନା ଅନୁଯାୟୀ, ବେଶ କିଛିଦିନ ରାଜ୍ୟ ବାହାରେ ରହିବା ପରେ ଗତ କିଛିଦିନ ତଳେ ଅଭିଯୁକ୍ତ ଲକ୍ଷ୍ମୀଧର ମେଣ୍ଢାଶାଳ ସ୍ଥିତ ନିଜ ଘରକୁ ଫେରିଥିଲେ । ତେବେ ଲକ୍ଷ୍ମୀଧର ବାହାରେ ରହୁଥିବାରୁ ଶଳା ପ୍ରଶାନ୍ତ ତାଙ୍କ ଘରର ସମସ୍ତ ଭଲମନ୍ଦ କଥା ବୁଝିଥାନ୍ତି । ଲକ୍ଷ୍ମୀଧର ଅଧିକାଂଶ ସମୟରେ ନିଶାସକ୍ତ ହୋଇ ପ୍ରଶାନ୍ତଙ୍କ ଭଉଣୀଙ୍କୁ ମାରÿଧର କରୁଥିବାରୁ ଏହାକୁ ନେଇ ଉଭୟ ଶଳା ଭିଣୋଇଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିରହୁଥିଲା । ଅନ୍ୟଦିନ ଭଳି ଗତ ବୁଧବାର ମଧ୍ୟ ଅଭିଯୁକ୍ତ ଲକ୍ଷ୍ମୀଧର ସନ୍ଧ୍ୟାରେ ନିଶାଗ୍ରସ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଏହାକୁ ନେଇ ପୁଣିଥରେ ଶଳା ଭିଣୋଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ରାତି ପ୍ରାୟ ୧ଟା ବେଳେ ଭିଣୋଇ ଲକ୍ଷ୍ମୀଧର ଅତ୍ୟଧିକ ନିଶାଗ୍ରସ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଗେଟ ପାଖରୁ ହିଁ ସେ ଶଳା ପ୍ରଶାନ୍ତଙ୍କୁ ଖରାପ ଭାଷାରେ ଗାଳି କରି ଘରୁ ବାହାରକୁ ଡାକିଥିଲେ । ପରେ ପ୍ରଶାନ୍ତ ଘରୁ ବାହାରି ଆସିବାରୁ ଅଭିଯୁକ୍ତ ଲକ୍ଷ୍ମୀଧର ସାଙ୍ଗରେ ନେଇ ଆସିଥିବା ଏକ ଭୁଜାଲିରେ ତାଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ରକ୍ତ ଜୁଡ଼ୁବୁଡ଼ ଅବସ୍ଥାରେ ପ୍ରଶାନ୍ତ ତଳେ ପଡ଼ି ଯିବାରୁ ରକ୍ତମୁଖା ସାଜିଥିବା ଲକ୍ଷ୍ମୀଧର ଭୁଜାଲିରେ ତାଙ୍କ ତଣ୍ଟିକୁ କାଟି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପକ୍ଷରେ ପ୍ରଶାନ୍ତ ଅଭିଯୁକ୍ତର ଆକ୍ରମଣରେ ତଳେ ପଡ଼ି ଚିକôାର କରୁଥିବା ଦେଖି ଘର ଭିତରେ ଥିବା ତାଙ୍କ ଦୁଇ ପୁଅ ଏବଂ ଅଭିଯୁକ୍ତର ପୁଅ ମଧ୍ୟ ବାହାରି ଆସିଥିଲେ । ସେମାନେ ମଧ୍ୟ ଲକ୍ଷ୍ମୀଧରଙ୍କୁ ଆକ୍ରମଣରୁ ବର୍ତ୍ତୀ ପାରି ନଥିଲେ । ଲକ୍ଷ୍ମୀଧର ମଧ୍ୟ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ସେମାନେ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ । ହତ୍ୟା ଖବର ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ଲକ୍ଷ୍ମୀଧର ଫେରାର ହୋଇଯାଇଥିଲେ । ତେବେ ରାତି ହିଁ ପୁଲିସ ଛାନଭିନ୍ନ କରି ଅନ୍ୟଏକ ଗାଁରୁ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା ।