ଟାର୍ଗେଟରେ ବନ୍ୟଜନ୍ତୁ, ଚର୍ଚ୍ଚାରେ ଚମ୍ପାଝର

ାା ପ୍ରଭାନୁ୍ୟଜ ।ା ଟମକା : କଟକ ବନଖଣ୍ଡ ଅଧିନସ୍ଥ ଟମକା ବନାଞ୍ଚଳ ଗତ ସପ୍ତାହ ମଧ୍ୟରେ ଚର୍ଚ୍ଚାରେ ରହିଛି । ଟମକା ବନ କାର୍ଯ୍ୟାଳୟଠାରୁ ମାତ୍ର ୩କି.ମି ଦୂରରେ ଅବସ୍ଥାପିତ ଚମ୍ପାଝର ରାଜସ୍ୱ ଗ୍ରାମରେ ବସବାସ କରୁଥିବା ଆଦିବାସୀ ଯୁବକ ବନ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛନ୍ତି ।
 ପ୍ରଥମେ ହାତୀ ଦାନ୍ତ କାରବାର ସମ୍ପୃକ୍ତରେ ଉକ୍ତ ଗ୍ରାମର ତଥା ଶାସକ ବିଜେପି ଦଳର ଯୁବକର୍ମୀ ଜଗନ୍ନାଥ ମାଝୀଙ୍କ ପୁଅ ମିଥୁନ୍ ଗତମାସ ୨୬ ତାରିଖରେ କେନ୍ଦୁଝର ବନ ବିଭାଗ ଦ୍ୱାରା ଗିରଫହୋଇ ଏବେ ଜେଲ୍ ହାଜତର ଚାରି କାନ୍ଥ ଭିତରେ ରହିଥିବା ବେଳେ ୧୦ ଦିନପରେ ସେହି ଗ୍ରାମର ଅନ୍ୟଜଣେ ଯୁବକ ପ୍ରସନ୍ନ ଚାମ୍ପିଆ ସୋମବାର  ବିରଳ କଲରିଆ ପତରିଆ ବାଘ ଛାଲ ସହ ଗିରଫ ହେବା ଘଟଣା ଚମ୍ପାଝର ଗ୍ରାମକୁ ଚର୍ଚ୍ଚାରେ ରଖିଛି । ତେବେ ଦୁଇଟି ଦୁଇଟି ଘଟଣାରେ ଗୋଟିଏ ଗାଁର ଆଦିବାସୀ ଯୁବକ ଗିରଫ ହେବା ବିଭାଗୀୟ ଅଧିକାରୀଙ୍କ ସହ ଅନେକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଏହି ଘଟଣାର ଖୋଳତାଡ କରି ଏହାର ମୂଳ ବାହାର କରିବାକୁ ଉଦ୍ୟମ ଜାରି ରଖିଥିବା ବେଳେ ରାତାରାତି ଲକ୍ଷପତି ହେବା ନିଶା ଏମାନଙ୍କୁ ଏହି ବେଆଇନ୍ ଓ ଜଘନ୍ୟ ଅପରାଧ ଆଡକୁ ଟାଣି ନେଉଥିବା ଦେଖିବାକୁ ମିଳିଛି । ଘଟଣା ମୁତାବକ ଟମକା ଓ ମହାଗୀରୀ ପାହାଡ ଅଞ୍ଚଳକୁ ନେଇ ଟମକା ବନାଞ୍ଚଳ ଅବସ୍ଥାପିତ । ଏହି ଦୁଇ ପାହାଡରେ ଅନେକ ମୂଲ୍ୟବାନ ଗଛ ସହି ବହୁ ପ୍ରଜାତିର ବନ୍ୟଜନ୍ତୁ ମଧ୍ୟ ବସବାସ କରନ୍ତି । ଏହାକୁ ଦୃଷ୍ଟିରେ ରଖି ଟମକାକୁ ଏକ ସ୍ୱତନ୍ତ୍ର ରେଞ୍ଜରେ ବିଭକ୍ତ କରାଯାଇଥିବା ବେଳେ ଡୁୁବୁରୀ ଠାରେ ଟମକା ବନାଞ୍ଚଳ କାର୍ଯ୍ୟାଳୟ ଟମକାଠାରେ ବନପାଳଙ୍କ କାର୍ଯ୍ୟାଳୟ ଓ କଂସ ଠାରେ ଏକ ବିଟ୍ ହାଉସ ମଧ୍ୟ ସ୍ଥାପନ କରାଯାଇଛି । ହେଲେ ବିଗତ କିଛି ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ଅବାଧ ବନ୍ୟଜନ୍ତୁ ଶିକାର ହେଉ ଅବା ନିଳପଥର ଚୋରାଚାଲାଣ ହେଉ କିମ୍ବା ଚୋରା କାଠ କାରବାର ବଢିବାରେ ଲାଗିଛି । ବାରାହା, ହରିଣ, କୁଟୁରା ଇତ୍ୟାଦି ବନ୍ୟଜନ୍ତୁ ଏଠାରେ ଶିକାର କରୁଥିବାର ଅନେକ ନଜିର ରହିଥିବା ବେଳେ ଏନେଇ ବନ ବିଭାଗ ଏକାଧିକ ବ୍ୟକ୍ତିଙ୍କୁୁ  ଗିରଫ କରି କୋର୍ଟ ଚାଲାଣ କରିଛି । ଟମକା, ଚମ୍ପାଝର, ରାଇଘାଟି, ବୁରୁଡିସାହି, ଟୁଙ୍ଗେଇଶୁଣି, ତରାଝର, ସମରପିଟା ଇତ୍ୟାଦି ଅଞ୍ଚଳରେ ଏହି ଶିକାର ମାନ କରାଯାଉଥିବାର ନଜିର ରହିଥିବା ବେଳେ ଏହି ସବୁ ଗ୍ରାମରେ ବେଆଇନ୍ ବନ୍ଧୁକ ମଧ୍ୟ ରହିଛି । ଯେଉଁଥିରେ ଏମାନେ ଏହି ଶିକାର କରୁଥିବା ଜଣାପଡିଛି । ତେବେ ଏହି ବନାଞ୍ଚଳ ଅଧିନରେ ଥିବା ଏହି ସବୁ ଗ୍ରାମରୁ କେବେ ହାତି ଦାନ୍ତ କିମ୍ବା ବାଘ ଛାଲ ଜବତ ହୋଇନାହିଁ । ହେଲେ ଏହି ୧୦ ଦିନ ମଧ୍ୟରେ ହାତି ଦାନ୍ତ କାରବାର ସମ୍ପୃକ୍ତରେ ମିଥୁନ୍ ଏବଂ ବାଘ ଛାଲ ସହ ପ୍ରସନ୍ନ ଗିରଫ ହେବା ଘଟଣା ଅନେକ ଚର୍ଚ୍ଚା ବଢାଇ ଦେଇଛି । ହାତି ଦାନ୍ତ ହେଉ କିମ୍ବା ବାଘ ଛାଲ ଏହି ବନାଞ୍ଚଳରୁ ଏହି ବନ୍ୟଜନ୍ତୁଙ୍କୁ ଶିକାର କରାଯାଇଛି ନା ଲକ୍ଷପତି ହେବା ନିଶାରେ ଏହାକୁ ଅନ୍ୟ କେଉଁଠୁ ଆଣି ଏଠାରୁ ଚୋରା ଚାଲାଣ କରାଯାଉଛି? ଯଦି ଏହା ଏହି ବନାଞ୍ଚଳ ଅଞ୍ଚଳରୁ ଶିକାର କରାଯାଇ ନାହିଁ ତେବେ ଏହା କେୁଉଁଠୁ ଆସୁଛି? ଚମ୍ପାଝରରେ ରଖି ଚୋରା ଚାଲାଣ କରିବା ପଛରେ ରହସ୍ୟ କ’ଣ?  ଏହି ଘଟଣାରେ ଏହି ଦୁଇ ଯୁବକଙ୍କ ସମ୍ପୃକ୍ତି ଅଛି ନା ଆଉ କେହି ଏମାନଙ୍କ ସହ ଜଡିତ ଅଛନ୍ତି? ଏମିତି ଅନେକ ଗୁଡାଏ ପ୍ରଶ୍ନ ଏବେ ବନବିଭାଗର ନିଦ ହଜାଇ ଦେଇଥିବା ବେଳେ ଏହି ଘଟଣାର ସତ୍ୟାସତ୍ୟ ଖୋଜି ପାଇବାରେ ବିଭାଗ କେତେ ସଫଳତା ହାସଲ କରୁଛି ତାହା ଦେଖିବାକୁ ବାକି ରହିଲା ।