ନିମ୍ନମାନର ରାସ୍ତା କାର୍ଯ୍ୟକୁ ବିରୋଧ
ବନ୍ତ: ରାଜ୍ୟ ସରକାର ସାଧାରଣ ଲୋକଙ୍କ ଗମନାଗମନ ପାଇଁ ପକ୍କା, ପିଚୁ ରାସ୍ତା ନିର୍ମାଣ କରିଥିବାବେଳେ ଯେଉଁ ସ୍ଥାନରେ ଖାଲ ଅଛି ସେହି ସ୍ଥାନରେ ରାସ୍ତାକୁ ସୁରକ୍ଷା ପାଇଁ ପକ୍କା ପାଚେରୀ ନିର୍ମାଣ କରୁଛନ୍ତି । କିନ୍ତୁ ଠିକାଦାର ଅଧିକ ଲାଭ ଆଶାରେ ନିମ୍ନମାନର ନିର୍ମାଣ କରୁଥିବା ବେଳେ କମ୍ ଦିନରେ ଏହି କାର୍ଯ୍ୟ ନଷ୍ଟ ହୋଇଯାଉଛି । ଏହିଭଳି ଘଟଣା ଦେଖିବାକୁ ମିଳିଛି ଗ୍ରାମ୍ୟ ଉନ୍ନୟନ୍ନ ବିଭାଗ ରାସ୍ତାରେ । ୯ କିମି ରାସ୍ତା ଗଣିଜାଙ୍ଗରୁ ଆମ୍ବଗଢିଆ ଭାୟା ଗୋପାଳପୁର, ମଙ୍ଗୁଲି ରାସ୍ତା କାର୍ଯ୍ୟ ଓ ସୁରକ୍ଷା ପାଚେରୀ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଅଞ୍ଚଳବାସୀ ବାରମ୍ବାର ବିରୋଧ କରିବା ସହିତ ଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ସମ୍ପୃକ୍ତ ଠିକାଦାରକୁ କହିଥିଲେ । ଏହି ପାଚେରୀରେ ମେଣ୍ଟଲ ଓ ସିମେଣ୍ଟ ଭାଗ କମ୍ ଦିଆଯାଇଥିବା ବେଳେ ଅଧିକ ମାତ୍ରାରେ ବାଲି ବ୍ୟବହୃତ ହେଉଥିଲା । ଏହା ସହିତ ବିଭାଗୀୟ ଯନ୍ତ୍ରୀ ଅନୁପସ୍ଥିତ ଥିବାନେଇ ଲୋକେ କାର୍ଯ୍ୟକୁ ବିରୋଧ କରିଥିଲେ । ପୂର୍ବରୁ ଅନ୍ୟ ଏକ ରାସ୍ତା ଗଣିଜାଙ୍ଗରୁ ରୁପୁଡି ଭାୟାଦାସ ସାହି, ହାସିନପୁର କେନାଲ ଛକ ରାସ୍ତା କାର୍ଯ୍ୟ ଏହି ଠିକାଦାର କରୁଥିବା ବେଳେ ନିମ୍ନମାନର କରୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ଏହିଭଳି ଠିକାଦାରକୁ କିପରି କାର୍ଯ୍ୟ ଦିଆଯାଉଛି, ସେ ନେଇ ସାଧାରଣରେ ଆଲୋଚନାର ଶିରୋନାମା ପାଲଟିଛି । ଏହି ଠିକାଦାରଙ୍କ କାର୍ଯ୍ୟ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି ।